ଜୁଏଲଙ୍କ ରାସ୍ତାରେ ବାଧକ କିଏ ?
ଜୁଏଲଙ୍କୁ ହଟାଇ କିଏ ହେବ କେନ୍ଦ୍ରମନ୍ତ୍ରୀ ?
ପଦାରେ ପଡିଲା ବିବାଦ,କେନ୍ଦ୍ର ନେତୃତ୍ୱଙ୍କ ହସ୍ତକ୍ଷେପ ?
ଦର୍ଶକବନ୍ଧୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଏକ ବୟାନ ରଜନୀତିରେ ଖଡ ସୃଷ୍ଟି କରିଛି। ବିଶେଷ କରି ରାଉରକେଲା ରାଜନୀତିକୁ ସରଗରମ କରିଛି। ରାଉରକେଲା ସର୍କିଟ ହାଉସ ଘଟଣାକୁ ନେଇ ରାଉରକେଲା ରାଜନୀତି ସରଗରମ ଥିବା ବେଳେ ଏତିକି ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନ ନିଆଁ ଲଗାଇଛି। ସିଧାସଳଖ ଚ୍ୟାଲେଞ୍ଜ କରି ଜୁଏଲ ଅଭିଯୋଗ ଆଣିଛନ୍ତି କ ମତେ ଅପଦସ୍ତ କରିବାକୁ ଚେଷ୍ଟା କଲେ ଜାଳି କି ସଫା କରିଦେବି । ରାଉରକେଲାରେ ଅନ୍ୟ ଦଳ ରୁ ଆସି କିଛି ଲୋକ ପଇସା ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଜୁଏଲ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ବିରୁଦ୍ଧରେ ଅପ ପ୍ରଚାର କରାଯାଉଥିବା ଜୁଏଲ ଅଭିଯୋଗ କରିବା ସହ ଡ୍ରପ ହେଲେ ସେହି ବ୍ୟକ୍ତି ବୋଧେ କେନ୍ଦ୍ର ମନ୍ତ୍ରୀ ହେବେ ବୋଲି ଆରୋପ ଲଗାଇଛନ୍ତି। ଏକଥା ବି କହିଛନ୍ତି କି ଦଳ କୁ ରକ୍ତ ମାଂସ ଦେଇଛି, ସମ୍ମାନ ରେ କିଏ ହାତ ଲଗେଇଲେ ସେ ହାତ କୁ କାଟି ଫିଙ୍ଗି ଦେବାର ତାକତ ଅଛି ବୋଲି କହି ଚେତାବନୀ ଦେଇଛନ୍ତି। ପୂର୍ବରୁ ନିର୍ବାଚନ ନ ଲଢ଼ିବାକୁ ମନ କରିଥିବା ଜୁଏଲ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସହ ବିବାଦ କୁ ନେଇ କେନ୍ଦ୍ର ନେତୃତ୍ୱ ଅବଗତ କରାଇବାକୁ କହିଛନ୍ତି ଜୁଏଲ।
ଜୁଏଲ ଏଭଳି ଖୋଲା ଚ୍ୟାଲେଞ୍ଜ ଦେଇ ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି କାହାକୁ ଇସାରା କରି ଏଭଳି ପ୍ରତିକ୍ରିୟାଶିଳ ହୋଇଛନ୍ତି ଜୁଏଲ। କିଏ ତାଙ୍କୁ ବଦନାମ କରିବାକୁ ଚାହୁଁଛି। କଣ ରହିଛି ଏହା ପଛର କାରଣ ? ଏଭଳି ଅନେକ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଏଠି ପ୍ରଶ୍ନ ଜୁଏଲଙ୍କ ଏହି ଚ୍ୟାଲେଞ୍ଜ ଦିଲ୍ଲୀପଙ୍କ ପାଇଁ ନୁହେଁ ତ ? ଦିଲ୍ଲୀପଙ୍କୁ ଇସାରା କରି ଏପରି କହି ନାହାନ୍ତି ତ ଜୁଏଲ। କାରଣ ସାମ୍ପ୍ରତିକ କିଛି ରାଜନୀତିକ ସ୍ଥିତି ଦିଲ୍ଲୀପଙ୍କ ସହ।ମିଶୁଥିବାରୁ ତାଙ୍କୁ ନେଇ ଜୁଏଲ ଏପରି ମନ୍ତବ୍ୟ ଦେଇ ଥାଇ ପାରନ୍ତି ବୋଲି କେହି କେହି ଆଲୋଚନା କରୁଛନ୍ତି। କାରଣ ନିକଟରେ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ଵାଚିତ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଛି। କେନ୍ଦ୍ର ନେତୃତ୍ଵ ଓ ରାଜ୍ୟ ନେତୃତ୍ୱଙ୍କ ସହ ତାଙ୍କର ମିଟିଂ ବି ଦିଲ୍ଲୀପଙ୍କ ମନ୍ତ୍ରୀ ଚର୍ଚ୍ଚା କୁ ବଳ ଦେଇଛି। ଏମିତିରେ ବି ତାଙ୍କର ମୂଳ ଦଳ ବିଜେପି ହୋଇନଥିବାରୁ ତାଙ୍କୁ ଇସାରା କରି କହିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଜୁଏଲ ସିଧାସଳଖ କାହା ନାଁ ନେଇ ନଥିବାରୁ କାହାକୁ ଇସାରା କରି କହିଛନ୍ତି ତାହା କହିବା ମୁସ୍କିଲ।
କିନ୍ତୁ ଜୁଏଲଙ୍କ ଏହି ବୟାନ ବିଜେପି ଆଭ୍ୟନ୍ତରୀଣ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏ ନେଇ ରାଜ୍ୟ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷକ କରିଥିବା ବେଳେ କେନ୍ଦ୍ର ନେତୃତ୍ଵଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହି ଦଳୀୟ ବିବାଦକୁ ସାମ୍ନାକୁ ଆଣିଛନ୍ତି। ଆଗକୁ ଏହାର ପ୍ରଭାବ କଣ ଓ ଏହି ବିବାଦ କେଉଁ ମୋଡ ନେବ ତାହା ଉପରେ ନଜର ରହିବ।
