SOA-ITERର ଦୁଇଦିନିଆ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଶେଷ, ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ମିଳିଲା ଡିଗ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ବୃତ୍ତିଗତ ଜୀବନର ଏକ ନୂଆ ଅଧ୍ୟାୟରେ ପାଦ ଥାପିଛନ୍ତି ସିକ୍ଷା ‘ଓ’ ଅନୁସନ୍ଧାନ (SOA) ଡିମ୍ଡ୍ ଟୁ ବି ୟୁନିଭର୍ସିଟି ଅଧୀନସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ITER)ର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀ। ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ମଙ୍ଗଳବାର ସମାପ୍ତ ହୋଇଛି। ଏହି ଅବସରରେ BTech, MTech, BCA, MCA ଓ MSc ପାଠ୍ୟକ୍ରମ ସଫଳତାର ସହ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୦୨୨-୨୬ ଶିକ୍ଷାବର୍ଷର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSE) ବିଭାଗର BTech ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଦିନରେ ସିଭିଲ୍ ଇଞ୍ଜିନିୟରିଂ, CSE, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନଫର୍ମେସନ୍ ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ସମେତ ବିଭିନ୍ନ ବିଭାଗର BTech ଛାତ୍ରଛାତ୍ରୀ ଡିଗ୍ରୀ ହାସଲ କରିଥିଲେ।

ଏହା ସହିତ ବିଭିନ୍ନ ପୋଷ୍ଟଗ୍ରାଜୁଏଟ୍ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡିଗ୍ରୀ ଦିଆଯାଇଥିଲା। Master of Computer Applications (MCA), Computer Science and Engineering, Structural Engineering, Power Systems and Power Electronics, Electronics and Communication—Communication System Engineering ଏବଂ Heat Power and Thermal Engineering ଭଳି ବିଷୟରେ ପୋଷ୍ଟଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। SOA-ITERରେ ବିଭିନ୍ନ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ଶିକ୍ଷା ସହ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ Boston Consulting Group (BCG)ର ପ୍ରୋଗ୍ରାମ୍ ଡାଇରେକ୍ଟର ଅମିତ କୁମାର ଯୋଗଦେଇ ନବସ୍ନାତକମାନଙ୍କୁ ନିଜର ବୃତ୍ତିଗତ ଜୀବନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଜୀବନବ୍ୟାପୀ ଶିକ୍ଷା ଜାରି ରଖିବା ସହ ସମୟାନୁବର୍ତ୍ତିତା ଓ ନମ୍ରତାକୁ ନିଜ ଜୀବନର ଅଂଶ କରିବାକୁ କହିଥିଲେ। ପାଠପଢ଼ା ଶେଷ ହେବା ପରେ ଶିକ୍ଷା ଶେଷ ହୋଇଯାଏ ନାହିଁ, ବରଂ ବୃତ୍ତିଗତ ଜୀବନରେ ନୂଆ ଜ୍ଞାନ ଆହରଣର ପ୍ରକ୍ରିୟା ଜାରି ରହିବା ଦରକାର ବୋଲି ସେ ଛାତ୍ରମାନଙ୍କୁ ବୁଝାଇଥିଲେ।

ସେହିପରି GyanSysର ମାନବ ସମ୍ବଳ ବିଭାଗର ଉପସଭାପତି ଶଶ୍ୱତୀ ପାଣ୍ଡବ ଛାତ୍ରଛାତ୍ରୀଙ୍କୁ କେବଳ ପରୀକ୍ଷାର ମାର୍କ କିମ୍ବା ଏକାଡେମିକ୍ ସ୍କୋର ଉପରେ ନିର୍ଭର ନକରି ନିରନ୍ତର ଶିଖିବାର ମାନସିକତା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଟେକ୍ନୋଲୋଜି ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ନୂଆ କୌଶଳ ଶିଖିବା ଓ ସମୟ ସହ ନିଜକୁ ଖାପ ଖୁଆଇବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

SOAର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କ ବଜାୟ ରଖିବା ସହ ନିଜର ଜ୍ଞାନ ଓ ଦକ୍ଷତାକୁ ସମାଜର ଉନ୍ନତି ପାଇଁ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ।

ITERର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗବେଷଣା, ନୂଆ ଚିନ୍ତାଧାରା ଓ ପରିଶ୍ରମ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ଅନୁଷ୍ଠାନରେ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟ ଚାଲିଥିବା ସେ ସୂଚନା ଦେଇଥିଲେ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧିକାରୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଡିଗ୍ରୀ ହାସଲ କରିଥିବା ୨୦୨୬ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ଏବେ ଉଚ୍ଚଶିକ୍ଷା, ଗବେଷଣା ଓ ବୃତ୍ତିଗତ ଜୀବନର ନୂଆ ଯାତ୍ରା ଆରମ୍ଭ କରିବେ। ଏହି ଗ୍ରାଜୁଏସନ୍ ସେମାନଙ୍କ ଶିକ୍ଷାଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ।

Leave a Reply