କିଭ୍: ୟୁକ୍ରେନର ବିଭିନ୍ନ ସହର ଉପରେ ରୁଷିଆ ପୁଣିଥରେ ବଡ଼ ଧରଣର ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଛି। ବୁଧବାର ଭୋର ସମୟରେ ହୋଇଥିବା ଏହି ଆକ୍ରମଣରେ ଅନ୍ତତଃ ୮ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍ ଅଧିକାରୀମାନେ କହିଛନ୍ତି। ଏଥିରେ ବହୁ ଲୋକ ଆହତ ହୋଇଥିବା ସହ ଆବାସିକ କୋଠା ଓ ଅନ୍ୟାନ୍ୟ ନାଗରିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।
ଏହି ଆକ୍ରମଣ ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ରୁଷିଆ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ନେଇ ସତର୍କ କରିଥିଲେ। ତାଙ୍କ ସତର୍କବାଣୀର ପରଦିନ ରାତିରୁ ଭୋର ପର୍ଯ୍ୟନ୍ତ ୟୁକ୍ରେନର ଏକାଧିକ ଅଞ୍ଚଳରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ ହୋଇଥିଲା। ରାଜଧାନୀ କିଭ୍ ସମେତ ଚେର୍ନିହିଭ୍, ପୋଲ୍ଟାଭା ଓ ଅନ୍ୟାନ୍ୟ ଅଞ୍ଚଳ ଏହି ଆକ୍ରମଣରେ ପ୍ରଭାବିତ ହୋଇଛି।
ଚେର୍ନିହିଭ୍ ଅଞ୍ଚଳର ପ୍ରିଲୁକି ସହରରେ ଏକ ଆବାସିକ ବହୁତଳ କୋଠାକୁ ମିସାଇଲ ମାଡ଼ ହୋଇଥିଲା। ଏହି ଘଟଣାରେ ଅନ୍ତତଃ ୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଥ୍ୟ ଅନୁସାରେ ୨୦ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ମିସାଇଲ ମାଡ଼ରେ କୋଠାର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିଥିବାରୁ ଧ୍ୱଂସାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ ଜାରି ରଖିଥିଲେ।
ରାଜଧାନୀ କିଭ୍ରେ ମଧ୍ୟ ଭୟଙ୍କର ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ପ୍ରାୟ ରାତି ୩ଟା ସମୟରେ ବାଲିଷ୍ଟିକ୍ ମିସାଇଲ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। କିଭ୍ର ପୋଡିଲ୍ସ୍କି ଜିଲ୍ଲାରେ ଏକ ଅଣଆବାସିକ କୋଠାରେ ରକେଟ୍ ମାଡ଼ ହେବା ପରେ ନିଆଁ ଲାଗିଥିଲା। ଅନ୍ୟପକ୍ଷରେ ଡାର୍ନିତ୍ସ୍କି ଅଞ୍ଚଳରେ ଏକ ଗ୍ୟାରେଜ୍ କମ୍ପ୍ଲେକ୍ସ ମଧ୍ୟ ନିଆଁରେ ପୋଡ଼ିଯାଇଥିଲା।
କିଭ୍ ଅଞ୍ଚଳରେ ଡ୍ରୋନ୍ ସହ ବାଲିଷ୍ଟିକ୍ ମିସାଇଲର ମିଶ୍ରିତ ଆକ୍ରମଣ ହୋଇଥିବା ଅଧିକାରୀମାନେ କହିଛନ୍ତି। ଓବୁଖିଭ୍ ଅଞ୍ଚଳରେ ତିନୋଟି ଉତ୍ପାଦନ ଓ ଗୋଦାମ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ସେହିପରି ପୋଲ୍ଟାଭା ଅଞ୍ଚଳର କ୍ରେମେନଚୁକ୍ରେ ମଧ୍ୟ ଆକ୍ରମଣ ହୋଇ ୨ ଜଣଙ୍କ ମୃତ୍ୟୁ ଓ ୭ ଜଣ ଆହତ ହୋଇଛନ୍ତି।
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ବଡ଼ ଆକ୍ରମଣର ଲକ୍ଷ୍ୟ ଥିଲା ୟୁକ୍ରେନର ସାମରିକ ଶିଳ୍ପ ସହ ଜଡ଼ିତ ପ୍ରତିଷ୍ଠାନ। ବିଶେଷକରି ‘ଫ୍ଲାମିଙ୍ଗୋ’ ମିସାଇଲ ଓ ଡ୍ରୋନ୍ ଉତ୍ପାଦନ ଏବଂ ସଂରକ୍ଷଣ କରୁଥିବା ସ୍ଥାନକୁ ଟାର୍ଗେଟ୍ କରାଯାଇଥିବା ରୁଷିଆ ଦାବି କରିଛି। ଓଡେସା ଅଞ୍ଚଳର ବନ୍ଦର ଓ ଜାହାଜ ମରାମତି ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ମସ୍କୋ କହିଛି। ତେବେ ରୁଷିଆର ଏହି ଦାବିଗୁଡ଼ିକୁ ସ୍ୱାଧୀନ ଭାବେ ସମସ୍ତ କ୍ଷେତ୍ରରେ ଯାଞ୍ଚ କରାଯାଇପାରିନାହିଁ।
ଏହି ନୂଆ ଆକ୍ରମଣ ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧର ଭୟାବହତାକୁ ପୁଣିଥରେ ସାମ୍ନାକୁ ଆଣିଛି। ଆବାସିକ ଅଞ୍ଚଳ ଓ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନେଇ ୟୁକ୍ରେନ୍ ପକ୍ଷରୁ ଗଭୀର ଚିନ୍ତା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଧ୍ୱଂସସ୍ଥଳରେ ଅବିରତ କାର୍ଯ୍ୟ କରୁଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ରହିଛି।
