ଗ୍ରାମାଞ୍ଚଳରେ ଶିଶୁ, ଯୁବକ ଓ ବୟସ୍କଙ୍କ ମନୋରଞ୍ଜନ ସହ ଶାରୀରିକ ଓ ମାନସିକ ବିକାଶ ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଗ୍ରାମୀଣ ଉଦ୍ୟାନ | ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଚାଳନା ଅଭାବରୁ ଏବେ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କଣ୍ଢାଳ ପଞ୍ଚାୟତରେ ନିର୍ମିତ ଏହି ଉଦ୍ୟାନ ଏବେ ମଦୁଆଙ୍କ ଆଡ଼ା ପାଲଟିଛି।
ସୂଚନା ମୁତାବକ, କଣ୍ଢାଳ ଗ୍ରାମରେ ଥିବା ଉଦ୍ୟାନରେ ପିଲାଙ୍କ ଖେଳକୁଦ ପାଇଁ ଲଗାଯାଇଥିବା ଦୋଳି ଓ ବିଭିନ୍ନ ଖେଳ ସାମଗ୍ରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସେଗୁଡ଼ିକ ଉପରେ ଲଟାବୁଦା ମାଡ଼ିଯାଇଥିବାରୁ ପିଲାଙ୍କ ବ୍ୟବହାର ଉପଯୋଗୀ ହୋଇରହିନାହିଁ । ଉଦ୍ୟାନର ଆକର୍ଷଣ ବଢ଼ାଇବା ପାଇଁ ସ୍ଥାପିତ ମ୍ୟୁଜିକାଲ ଫାଉଣ୍ଡେନ୍ ଚାରିପାଖରେ ମଦ ବୋତଲ ପଡ଼ିରହିଛି।
ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗାଯାଇଥିବା ବିଭିନ୍ନ ପ୍ରଜାତିର ଗଛ ମଧ୍ୟ ଯତ୍ନ ଅଭାବରୁ ଶୁଖି ମରିଗଲାଣି । ନିୟମିତ ସଫେଇ, ଗଛର ଯତ୍ନ, ଖେଳ ସାମଗ୍ରୀର ମରାମତି ଓ ଆଲୋକ ବ୍ୟବସ୍ଥା ଭଳି ମୌଳିକ ପରିଚାଳନା କାର୍ଯ୍ୟ ହେଉନଥିବା କଣ୍ଢାଳ ଗ୍ରାମର ପରମାନନ୍ଦ ବେହେରା କହିଛନ୍ତି। କେବଳ ସେତିକି ନୁହେଁ, ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଦ୍ୟାନ ଏଭଳି ଅବହେଳିତ ହୋଇ ପଡ଼ିରହେ, ତେବେ ଏହା ନିର୍ମାଣର ଉଦ୍ଦେଶ୍ୟ ଓ ସରକାରୀ ଅର୍ଥର ବିନିଯୋଗକୁ ନେଇ ଗ୍ରାମର ପ୍ରବୀର ବାରିକ କହିଛନ୍ତି, ‘ପୂର୍ବ ସରକାର ଗାଁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଉଦ୍ୟାନ ନିର୍ମାଣ କରିଥିଲେ। କିନ୍ତୁ, ନୂତନ ସରକାର ଆସିବା ପରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ବ ଦେଉନାହାନ୍ତି।’
ଏ ସମ୍ପର୍କରେ କଣ୍ଢାଳ ସରପଞ୍ଚ ଯଶୋବନ୍ତି ବେହେରା କହିଛନ୍ତି, ‘ଖଣି ଅଧିଗ୍ରହଣ ଯୋଗୁ ପଞ୍ଚାୟତରେ ସରକାରୀ ଅର୍ଥ ଖର୍ଚ୍ଚ କରିବାରେ ସମସ୍ୟା ରହିଛି।
ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ଖଣି କର୍ତ୍ତୃପକ୍ଷଙ୍କ ସିଏସ୍ଆର୍ ପାଣ୍ଠିରୁ ଅର୍ଥ ଯୋଗାଇଦେବାକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଫଳରେ ଉଦ୍ୟାନର ରକ୍ଷଣାବେକ୍ଷଣ କାର୍ଯ୍ୟ ଆଗେଇ ପାରୁନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଦ୍ୟାନର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପଞ୍ଚାୟତ ପ୍ରଶାସନ ସହ ଖଣି କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ବିଭାଗ କେବେ ପଦକ୍ଷେପ ନେବେ, ତାହାକୁ ନେଇ ଗ୍ରାମବାସୀ ଅପେକ୍ଷା କରିଛନ୍ତି।
