ରାଉରକେଲା ସର୍କିଟ୍ ହାଉସ୍ରେ ଅପରାଧୀଙ୍କୁ ଆଶ୍ରୟ ଦିଆଯିବା ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ବଦଳିକୁ ନେଇ ରାଜନୈତିକ ମହଲରେ ନୂଆ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ମଙ୍ଗଳବାର ମଲ୍ଲିକଙ୍କୁ ପାନପୋଷ ଉପଜିଲ୍ଲାପାଳ ପଦରୁ ବଦଳି କରି ଭୁବନେଶ୍ୱରରେ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ଭାବେ ନିଯୁକ୍ତ କରିଛନ୍ତି। ତେବେ ଏହି ବଦଳିକୁ ବିରୋଧୀ ଦଳଗୁଡ଼ିକ ସାଧାରଣ ପ୍ରଶାସନିକ ବଦଳି ଭାବେ ଗ୍ରହଣ କରିନାହାନ୍ତି।
ବିଜେଡିର ବରିଷ୍ଠ ନେତା ବିରେନ ସେନାପତି ଅଭିଯୋଗ କରିଛନ୍ତି ଯେ, ଉପଜିଲ୍ଲାପାଳଙ୍କ ବଦଳିକୁ ଏକ ସାଧାରଣ ପ୍ରଶାସନିକ ପଦକ୍ଷେପ ଭଳି ଦେଖାଯାଉଛି। ତାଙ୍କ ମତରେ ଏହି ବଦଳି ଦ୍ୱାରା ସମ୍ପୃକ୍ତ ଅଧିକାରୀଙ୍କୁ ଏକ ପ୍ରକାର ‘ସେଫ୍ ପାସେଜ୍’ ଦିଆଯାଇଛି ଏବଂ ଘଟଣାର ତଦନ୍ତ ଧୀରେ ଧୀରେ ଦୁର୍ବଳ ହେବାର ଆଶଙ୍କା ରହିଛି। ଅନ୍ୟ ଜଣେ ବିଜେଡି ନେତା କହିଛନ୍ତି ଯେ, ଯେତେବେଳେ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ପ୍ରକାଶ ପାସୱାନଙ୍କୁ ସୁବିଧା ଯୋଗାଇବାରେ ଆଗ୍ରହୀ ଥିଲେ ବୋଲି ପ୍ରଶ୍ନ ଉଠୁଛି, ସେତେବେଳେ ପ୍ରଶାସନିକ ଅଧିକାରୀଙ୍କ ଭୂମିକାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ।
ଅଗଷ୍ଟ ୧୫ ତାରିଖରେ ରାଉରକେଲା ସର୍କିଟ୍ ହାଉସ୍ରୁ ଅସ୍ତ୍ରଧାରୀ ଅପରାଧୀଙ୍କୁ ଗିରଫ କରାଯିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ତଦନ୍ତରେ ସାମ୍ନାକୁ ଆସିଥିଲା ଯେ, ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ପ୍ରତିନିଧି ପ୍ରକାଶ ପାସୱାନ ଅପରାଧୀମାନଙ୍କୁ ସରକାରୀ ଅତିଥିଗୃହରେ ରହିବା ପାଇଁ ସୁବିଧା କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ତାଙ୍କୁ ଏହି ମାମଲାରେ ଗିରଫ କରିଥିଲା। ପାସୱାନଙ୍କ ବିରୋଧରେ ମୋଟ ୨୩ଟି ମାମଲା ଥିବା ଏବଂ ସେ ତାଙ୍କର ୧୧ ଜଣ ସହଯୋଗୀଙ୍କ ସହ ଜେଲ୍ରେ ଥିବା ଖବର ରହିଛି। ଏହି ଘଟଣାରେ ପାନପୋଷ ଉପଜିଲ୍ଲାପାଳଙ୍କ ଭୂମିକା ମଧ୍ୟ ତଦନ୍ତକାରୀଙ୍କ ନଜରକୁ ଆସିଥିଲା। ପୋଲିସ ପଚରାଉଚରା ସମୟରେ ମଲ୍ଲିକ କହିଥିବା ଅନୁସାରେ, ପ୍ରକାଶ ପାସୱାନ ଫୋନ୍ ଯୋଗେ ରୁମ୍ ବୁକିଂ ପାଇଁ ଅନୁରୋଧ କରିଥିଲେ। ଏହାପରେ ଜୁଲାଇ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୁଇଟି ରୁମ୍ ଦିଆଯାଇଥିଲା। ତେବେ ସେହି ରୁମ୍ଗୁଡ଼ିକୁ ଅପରାଧୀମାନେ କିପରି ବ୍ୟବହାର କଲେ, ସେ ବିଷୟରେ ତାଙ୍କୁ ଜଣାନଥିଲା ବୋଲି ମଲ୍ଲିକ ତଦନ୍ତକାରୀଙ୍କୁ କହିଥିଲେ।
ଏପଟେ ପୋଲିସ ପକ୍ଷରୁ ସର୍କିଟ୍ ହାଉସ୍ ବ୍ୟବହାର, ରୁମ୍ ବଣ୍ଟନ, ଅତିଥିଙ୍କ ରେକର୍ଡ ଏବଂ ନିୟମାବଳୀ ପାଳନ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମଗାଯାଇଥିଲା। କିନ୍ତୁ ରିପୋର୍ଟ ମିଳିବାରେ ବିଳମ୍ବ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ସେପ୍ଟେମ୍ବର ୧୯ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ ଗସ୍ତ ସମୟରେ ଏହି ଘଟଣାରେ ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଥିବା କହିଥିଲେ। ସର୍କିଟ୍ ହାଉସ୍କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସହ ଏହାର ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ଏଥିସହ ରାଜ୍ୟର ସମସ୍ତ ସର୍କିଟ୍ ହାଉସ୍ରେ ଅନଲାଇନ୍ ରୁମ୍ ବୁକିଂ ବ୍ୟବସ୍ଥା ଆଣିବା ପାଇଁ ସରକାର ବିଚାର କରୁଥିବା ମନ୍ତ୍ରୀ କହିଥିଲେ।
ଏବେ ଉପଜିଲ୍ଲାପାଳଙ୍କ ବଦଳି ପରେ ସର୍କିଟ୍ ହାଉସ୍ ମାମଲାର ତଦନ୍ତ କେଉଁ ଦିଗକୁ ଯିବ, ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିଛି। ବିରୋଧୀଙ୍କ ଅଭିଯୋଗ ହେଉଛି, ମାମଲାରେ ସମ୍ପୃକ୍ତ ସମସ୍ତ ପ୍ରଶାସନିକ ଓ ରାଜନୈତିକ ପକ୍ଷର ଭୂମିକାର ନିରପେକ୍ଷ ତଦନ୍ତ ହେବା ଦରକାର। ଅନ୍ୟପକ୍ଷରେ ସରକାରୀ ସ୍ତରରେ ବିଭାଗୀୟ ତଦନ୍ତ ଚାଲିଥିବାରୁ ଏହାର ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
