ପଞ୍ଚାୟତ ଓ ପୌର ନିର୍ବାଚନ ପର୍ଯ୍ୟନ୍ତ SIRରେ ନିୟୋଜିତ BLOଙ୍କୁ ରଖାଯାଉ: ବିଜେଡିର ଦାବି

ଓଡ଼ିଶାରେ ଆଗାମୀ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି। ଏହି ନିର୍ବାଚନ ପୂର୍ବରୁ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ବୁଲି ଭୋଟରଙ୍କ ଯାଞ୍ଚ ପ୍ରକ୍ରିୟାକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ନିୟୋଜିତ ହୋଇଥିବା ବୁଥ୍‌ସ୍ତରୀୟ ଅଧିକାରୀ (BLO)ମାନଙ୍କୁ ଆଗାମୀ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ନିୟୋଜିତ ରଖିବାକୁ ଦଳ ଦାବି କରିଛି।

ଏନେଇ ବିଜେଡି ପକ୍ଷରୁ ରାଜ୍ୟ ନିର୍ବାଚନ ଆୟୋଗ (SEC) ମଧୁସୂଦନ ପାଢ଼ୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦଳର କହିବା ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, ସଠିକ୍ ତଥ୍ୟ ସଂଗ୍ରହ ଓ ଭୋଟରଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ପୂର୍ବରୁ କାର୍ଯ୍ୟ କରୁଥିବା BLOମାନଙ୍କୁ ଅପରିବର୍ତ୍ତିତ ରଖିବା ଆବଶ୍ୟକ।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ଗତ ଅକ୍ଟୋବର ୬ ତାରିଖରେ ରାଜନୈତିକ ଦଳଗୁଡ଼ିକ ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବୈଠକ ସମୟରେ ଏହି ପ୍ରସଙ୍ଗ ଉଠାଯାଇଥିଲା। ସେତେବେଳେ ଦଳ ପକ୍ଷରୁ ଜଣାଇ ଦିଆଯାଇଥିଲା ଯେ, ଭାରତୀୟ ନିର୍ବାଚନ ଆୟୋଗ (ECI) ପକ୍ଷରୁ SIR କାର୍ଯ୍ୟରେ ନିୟୋଜିତ BLOମାନେ ହିଁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ବୁଲି ଭୋଟରଙ୍କ ସର୍ଭେ କରିବା ଉଚିତ।

ତେବେ କେତେକ ସହରାଞ୍ଚଳରେ ନୂଆ BLOମାନଙ୍କୁ ନିୟୋଜିତ କରାଯାଇଥିବା ବିଜେଡି ଅଭିଯୋଗ କରିଛି। ବିଶେଷକରି କଟକ ମହାନଗର ନିଗମ (CMC) ଅଞ୍ଚଳରେ ଏଭଳି ପରିବର୍ତ୍ତନ ହୋଇଥିବା ଦଳ ନିଜ ସ୍ମାରକପତ୍ରରେ ଉଲ୍ଲେଖ କରିଛି।

ଦଳର ଯୁକ୍ତି ହେଉଛି, ପୂର୍ବରୁ ନିଜ ଅଞ୍ଚଳରେ କାମ କରୁଥିବା BLOମାନେ ସ୍ଥାନୀୟ ଲୋକ, ଭୋଟର ଓ ଅଞ୍ଚଳର ଭୌଗୋଳିକ ସ୍ଥିତି ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି। ନୂଆ ଅଧିକାରୀଙ୍କୁ ନିୟୋଜିତ କରାଗଲେ ଭୋଟରଙ୍କ ତଥ୍ୟ ଯାଞ୍ଚ, ସ୍ଥାନୀୟ ସ୍ତରରେ ସମନ୍ୱୟ ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହ ଯୋଗାଯୋଗରେ ସମସ୍ୟା ଦେଖାଦେଇପାରେ। ତେଣୁ ପୂର୍ବରୁ ନିୟୋଜିତ ଅଧିକାରୀଙ୍କୁ ରଖିଲେ ସର୍ଭେ କାର୍ଯ୍ୟ ଅଧିକ ସୁବ୍ୟବସ୍ଥିତ ଓ ନିର୍ଭୁଲ ହୋଇପାରିବ।

ଏହାସହ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିଥିବା ଘରକୁ ଘର ଭୋଟର ସର୍ଭେର ସମୟସୀମାକୁ ଆଉ ୧୫ ଦିନ ବଢ଼ାଇବାକୁ ବିଜେଡି ଦାବି କରିଛି। ନିକଟରେ ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରେ ଲୋକଙ୍କ ଘର, ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ସମସ୍ତ ଭୋଟରଙ୍କ ତଥ୍ୟ ସଂଗ୍ରହ କରିବା କଷ୍ଟକର ହୋଇପାରେ।

ତେଣୁ ଭୋଟର ତାଲିକାରେ କୌଣସି ଯୋଗ୍ୟ ଭୋଟରଙ୍କ ନାମ ଯେପରି ବାଦ୍ ପଡ଼ିବ ନାହିଁ, ସେଥିପାଇଁ ସର୍ଭେ ସମୟ ବୃଦ୍ଧି କରିବାକୁ ଦଳ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୭ରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଥିବାରୁ ଏବେଠାରୁ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପ୍ରକ୍ରିୟାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ବଢ଼ିଛି। ଏବେ ବିଜେଡିର ଦାବି ଉପରେ ରାଜ୍ୟ ନିର୍ବାଚନ ଆୟୋଗ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply