ଅନୁଗୋଳ: ଜାତୀୟ ରାଜପଥ ୧୪୯ର ଶୋଚନୀୟ ଅବସ୍ଥାକୁ ନେଇ ଅନୁଗୋଳ ଜିଲ୍ଲାରେ ପ୍ରତିବାଦ ତୀବ୍ର ହୋଇଛି। ରାସ୍ତାର ଅବସ୍ଥା ସୁଧାରିବା ଏବଂ ଦୁର୍ଘଟଣା ରୋକିବା ଦାବିରେ ପୂର୍ବତନ ସାଂସଦ ମହେଶ ସାହୁ ତାଳଚେର ଥର୍ମାଲ ନନ୍ଦିନୀ ବ୍ରିଜ ନିକଟରେ ରାସ୍ତା ଉପରେ ବସି ପ୍ରତୀକାତ୍ମକ ଅର୍ଥନୈତିକ ଅବରୋଧ କରିଛନ୍ତି। ଏହି ଆନ୍ଦୋଳନ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ବେଳେ ଶହ ଶହ ଟ୍ରକ୍ ରାସ୍ତାରେ ଅଟକି ରହିଥିଲା।
ପୂର୍ବତନ ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ଏନ୍ଏଚ୍ ୧୪୯ର ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି ବୋଲି ସେ କହିଛନ୍ତି। ଗତ ୫ରୁ ୬ ମାସ ମଧ୍ୟରେ ଏହି ରାସ୍ତାରେ ୯ରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ମହେଶ ସାହୁ ଅଭିଯୋଗ କରିଛନ୍ତି।
ଆନ୍ଦୋଳନ ସମୟରେ ସେ କିଛି ପ୍ରମୁଖ ଦାବି ରଖିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଗୋରୁ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ମନ୍ଦିର କମିଟିକୁ ୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ନନ୍ଦିନୀ ବ୍ରିଜ୍କୁ ବିପଦମୁକ୍ତ ଘୋଷଣା କରିବା ତାଙ୍କର ଦାବି ମଧ୍ୟରେ ରହିଛି। ଏହା ସହ ବ୍ରିଜ୍ର ଆବଶ୍ୟକ ମରାମତି କାମ ଶେଷ ନହେବା ପର୍ଯ୍ୟନ୍ତ ଏଠାରେ ଭାରୀଯାନ ଚଳାଚଳ ଉପରେ ନିଷେଧ ଲଗାଇବାକୁ ମଧ୍ୟ ସେ ଦାବି କରିଛନ୍ତି।
ଏହି ଅବରୋଧ ଯୋଗୁଁ ଏନ୍ଏଚ୍ ୧୪୯ରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ବିଶେଷକରି ଶିଳ୍ପାଞ୍ଚଳ ଓ କୋଇଲା ପରିବହନ ସହ ଜଡ଼ିତ ଭାରୀଯାନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଥିଲା। ଆନ୍ଦୋଳନକାରୀମାନେ ରାସ୍ତାର ଦୁରବସ୍ଥା ଶୀଘ୍ର ସୁଧାରିବା ସହ ଯାତ୍ରୀ ଓ ଭାରୀଯାନ ଚାଳକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ମହେଶ ସାହୁ ଆଗାମୀ ୩୦ ତାରିଖରେ ବାଙ୍କଧରା ଛକ ନିକଟରେ ଟ୍ରେନ୍ ଯୋଗେ କୋଇଲା ପରିବହନ ବନ୍ଦ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି। ଦାବିଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଆନ୍ଦୋଳନରେ ଗାନ୍ଧୀ ବିଚାର ମଞ୍ଚର ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟା ରିତା ରାଣୀ ଦାସ, ବିନୋଦ ଲାଲ, ବାବୁଲା ଶତପଥୀ, ଲିପୁ ରଥ, କଳାକାର ସିଂ, କାଳିଆ ସାମଲ ଓ କୁଶ ବିହାରୀ ସାମଲଙ୍କ ସମେତ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ।
ଏନ୍ଏଚ୍ ୧୪୯ର ଦୁରବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ୁଥିବା ବେଳେ ରାସ୍ତାର ସ୍ଥାୟୀ ସମାଧାନ ଓ ସୁରକ୍ଷିତ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ କେବେ ଓ କିଭଳି ପଦକ୍ଷେପ ନିଆଯିବ, ତାହା ଉପରେ ଏବେ ନଜର ରହିଛି। ଆନ୍ଦୋଳନକାରୀଙ୍କ ଦାବି ଉପରେ ପଦକ୍ଷେପ ନିଆଯାଇନଥିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବାର ସୂଚନା ମିଳିଛି।
