ପାଳଲହଡ଼ା ସହରରେ କୁଢ଼କୁଢ଼ ଆବର୍ଜନା, ଡରାଉଛି ସ୍କ୍ରବ୍ ଟାଇଫସ୍

ପାଳଲହଡ଼ା ସହରରେ କୁଢ଼କୁଢ଼ ଆବର୍ଜନା ଓ ଅପରିଷ୍କାର ପରିବେଶକୁ ନେଇ ସହରବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଦୁର୍ଗନ୍ଧମୟ ପରିବେଶରେ ଜୀବନ ଅତିବାହିତ କରୁଥିବା ସହରବାସୀଙ୍କ ମଧ୍ୟରେ ଏବେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପରିମଳ ବିଭାଗ, ପୂର୍ତ୍ତ ବିଭାଗ ଓ ବ୍ଲକ୍‌ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ସହରର ପରିମଳ ବ୍ୟବସ୍ଥା ସୁଧୁରି ପାରୁନାହିଁ।

ପାଳଲହଡ଼ା ସହରର ୧୭ଟି ୱାର୍ଡରେ ପ୍ରାୟ ୧୮ ହଜାରରୁ ଅଧିକ ଜନସାଧାରଣ ବସବାସ କରୁଛନ୍ତି। ସହରରେ ଜେଲ୍‌, ବିଦ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ଲକ୍‌ କାର୍ଯ୍ୟାଳୟ, ଥାନା, ବସ୍‌ଷ୍ଟାଣ୍ଡ, ୧୪୯ ଓ ୪୯ ନମ୍ବର ଜାତୀୟ ରାଜପଥ ସମ୍ବନ୍ଧୀୟ କାର୍ଯ୍ୟାଳୟ, ଉପଖଣ୍ଡ ଚିକିତ୍ସାଳୟ ସମେତ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଛି। ଏହା ସହ ଦୋକାନ, ବଜାର, ହାଟ ଓ ଦୈନନ୍ଦିନ ବଜାର ମଧ୍ୟ ସହରରେ ଅବସ୍ଥିତ।

ହେଲେ ସହରର ମୁଖ୍ୟ ରାସ୍ତାକଡ଼ରେ ନିୟମିତ ସଫେଇ ହେଉନଥିବାରୁ ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି। କିଛି ସ୍ଥାନରେ ଡ୍ରେନ୍‌ରେ ଅଳିଆ ଓ ଦୂଷିତ ପାଣି ଜମି ରହିଥିବା ବେଳେ ଅନେକ ଡ୍ରେନ୍‌ ପୋତି ହୋଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ନିଜିଗଡ଼ ପଞ୍ଚାୟତ ଅଧୀନରେ ଆସୁଥିବା କିଛି ଅଞ୍ଚଳରେ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟ କରୁଥିବା ବେଳେ ଅନେକ ୱାର୍ଡରେ ନିୟମିତ ସଫେଇ ହେଉନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଛି।

ସରକାର ପ୍ରାୟ ଏକ ବର୍ଷ ପୂର୍ବେ ପାଳଲହଡ଼ାକୁ ପୌରପାଳିକା ଭାବେ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସହରର ପରିମଳ ବ୍ୟବସ୍ଥା କିଏ ସମ୍ଭାଳିବ ଏବଂ ଦାୟିତ୍ୱ କାହାର—ଏହାକୁ ନେଇ ମଧ୍ୟ ଅସ୍ପଷ୍ଟତା ରହିଥିବା ଅଭିଯୋଗ ହେଉଛି।

ଏପଟେ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଆତଙ୍କ ଦେଖାଦେଇଛି। ଏହି ରୋଗରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହା ଅଞ୍ଚଳବାସୀଙ୍କୁ ଭୟଭୀତ କରିଛି। ଅପରିଷ୍କାର ପରିବେଶ, ଆବର୍ଜନା ଜମା ଓ ଦୂଷିତ ପରିବେଶ ଯୋଗୁଁ ଲୋକଙ୍କ ମଧ୍ୟରେ ରୋଗବ୍ୟାଧି ବ୍ୟାପିବା ନେଇ ଆଶଙ୍କା ବଢ଼ିଛି।

ସ୍କ୍ରବ୍ ଟାଇଫସ୍‌ ନେଇ ଆତଙ୍କ ମଧ୍ୟରେ ସହରର ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶାସନ ତୁରନ୍ତ ସକ୍ରିୟ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଆବର୍ଜନା ନିୟମିତ ଉଠାଇବା, ଡ୍ରେନ୍‌ ସଫା କରିବା, ଜମି ରହିଥିବା ଦୂଷିତ ପାଣି ନିଷ୍କାସନ କରିବା ଏବଂ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।

ତେଣୁ ପାଳଲହଡ଼ା ଉପଖଣ୍ଡ ପ୍ରଶାସନ ତୁରନ୍ତ ଏକ କମିଟି ଗଠନ କରି ସହରର ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ପାଳଲହଡ଼ା ସହରକୁ ଆବର୍ଜନାମୁକ୍ତ କରିବାକୁ ସହରବାସୀ ଦାବି କରିଛନ୍ତି। ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଜୀବନ ପାଇଁ ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ନେବା ଏବେ ସମୟର ଆବଶ୍ୟକତା।

Leave a Reply