ଆତଙ୍କବାଦକୁ ଉଚିତ ଜବାବ ଦେଇଛି ଅପରେସନ୍ ସିନ୍ଦୂର: ମେରଠରେ ପୂର୍ବତନ ସୈନିକଙ୍କୁ ସମ୍ବୋଧନ କଲେ ଯୋଗୀ

ଉତ୍ତରପ୍ରଦେଶର ମେରଠ ଛାଉଣିସ୍ଥିତ କୁଲୱନ୍ତ ସିଂହ ଷ୍ଟାଡିୟମ୍‌ରେ ଆୟୋଜିତ ପୂର୍ବତନ ସୈନିକ ପୁନର୍ମିଳନ ସମାରୋହରେ ଯୋଗଦେଇ ସୈନିକମାନଙ୍କ ବୀରତ୍ୱ, ତ୍ୟାଗ ଓ ଦେଶପ୍ରତି ସମର୍ପଣକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ସେ କହିଛନ୍ତି ଯେ, ସୈନିକ କେବେ ଅବସର ନିଅନ୍ତି ନାହିଁ। ଦେଶର ସୁରକ୍ଷା ଓ ସମାଜ ପ୍ରତି ସେମାନଙ୍କ ଅବଦାନ ସବୁବେଳେ ଜାରି ରହିଥାଏ। ଏଥିସହ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ଏବଂ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନାର ପରାକ୍ରମକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ଉତ୍ତରପ୍ରଦେଶ ହେଉଛି ବୀରମାନଙ୍କ ଭୂମି। ରାଜ୍ୟରେ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାରକୁ ମିଶାଇ ପ୍ରାୟ ୧୫ରୁ ୨୦ ଲକ୍ଷ ଲୋକଙ୍କ ଏକ ବିଶାଳ ସାମରିକ ପରିବାର ରହିଛି। ରାଜ୍ୟର ପ୍ରାୟ ୫.୧୯ ଲକ୍ଷ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାର ଦେଶର ଗୌରବମୟ ସାମରିକ ପରମ୍ପରାର ପ୍ରତୀକ। ପ୍ରତିବର୍ଷ ଦେଶରୁ ପ୍ରାୟ ୬୦ ହଜାର ସୈନିକ ଅବସର ନେଉଥିବା ବେଳେ ସେଥିରୁ ୧୦ରୁ ୧୨ ହଜାର ଉତ୍ତରପ୍ରଦେଶର ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗୀ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ସାମରିକ ନୀତି ଓ ସୈନିକଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ କହିଥିଲେ। ତାଙ୍କ ମତରେ, ପୂର୍ବ ସରକାରମାନେ ଦୀର୍ଘବର୍ଷ ଧରି ‘ୱାନ୍ ରାଙ୍କ୍ ୱାନ୍ ପେନସନ୍’ ଯୋଜନାକୁ ଅଟକାଇ ରଖିଥିଲେ। କିନ୍ତୁ ବର୍ତ୍ତମାନ ସୈନିକଙ୍କ ସମ୍ମାନ, ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି।

ଅପରେସନ୍ ସିନ୍ଦୂରର ଉଲ୍ଲେଖ କରି ସେ କହିଥିଲେ ଯେ, ଭାରତୀୟ ସେନା ନିଜର ପରାକ୍ରମ ଦ୍ୱାରା ଆତଙ୍କବାଦ ବିରୋଧରେ ଦେଶର ଦୃଢ଼ ସଂକଳ୍ପକୁ ପ୍ରମାଣିତ କରିଛି। ଏହା ସହ ଉତ୍ତରପ୍ରଦେଶର ଡିଫେନ୍ସ କରିଡର ଏବଂ ଲକ୍ଷ୍ନୌରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିର୍ମାଣକୁ ରାଜ୍ୟର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ଦିଗରେ ବଡ଼ ପଦକ୍ଷେପ ବୋଲି ସେ ଅଭିହିତ କରିଥିଲେ।

ଏହି ସମାରୋହରେ ପୂର୍ବତନ ସୈନିକ ଓ ସହିଦ ପରିବାରଙ୍କ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇଥିବା ଖବର ମିଳିଛି। ବୀରତା ପୁରସ୍କାରର ରାଶି ଦୁଇଗୁଣ କରିବା, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପତ୍ତି କ୍ରୟରେ ଷ୍ଟାମ୍ପ ଶୁଳ୍କ ଛାଡ଼ ଏବଂ ଯୋଗ୍ୟ ପୂର୍ବତନ ସୈନିକଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ସୁଯୋଗ ଦେବା ନେଇ ଘୋଷଣା ହୋଇଛି।

ସେହିପରି ସହିଦ ସୈନିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁଗ୍ରହ ରାଶି, ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି, ଅଗ୍ନିବୀରଙ୍କ ପାଇଁ ଉତ୍ତରପ୍ରଦେଶ ପୁଲିସରେ ୨୦ ପ୍ରତିଶତ ସଂରକ୍ଷଣ ଏବଂ ଗ୍ରୁପ୍‌-ବି ପଦରେ ପୂର୍ବତନ ସୈନିକଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ରାଜ୍ୟରେ ୩୧,୭୦୦ରୁ ଅଧିକ ପୂର୍ବତନ ସୈନିକଙ୍କୁ ନିଯୁକ୍ତି ମିଳିଥିବା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ସମାରୋହରେ ୧୫ ଜଣ ବୀର ନାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ସହିଦ ପରିବାରଙ୍କ ପ୍ରତି ସରକାରଙ୍କ ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମରେ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ସଞ୍ଜୟ ମିତ୍ରା ମଧ୍ୟ ଉପସ୍ଥିତ ଥିଲେ। ସୈନିକଙ୍କ ସମ୍ମାନ ଓ ସହିଦ ପରିବାରଙ୍କ କଲ୍ୟାଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଏକ ଜାତୀୟ ସଂକଳ୍ପ ବୋଲି ଯୋଗୀ କହିଥିଲେ।

Leave a Reply