କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ପୁଣିଥରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ତୀବ୍ର ହୋଇଛି। ମଙ୍ଗଳବାର ନେରେଡିଭାଲାସା ସୀମା ଅଞ୍ଚଳରେ ଉଭୟ ରାଜ୍ୟର ପୋଲିସ ଅଧିକାରୀ ଓ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଆନ୍ଧ୍ରପ୍ରଦେଶ ପୋଲିସ କଥିତ ଭାବେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପ ପାଇଁ ଓଡ଼ିଶା ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣା ପରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ପକ୍ଷର କିଛି ଲୋକ ଓ ପୋଲିସ କର୍ମଚାରୀ ନେରେଡିଭାଲାସା ଚେକ୍ପୋଷ୍ଟ ନିକଟରେ ପହଞ୍ଚି ଓଡ଼ିଶା ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣା ସମୟରେ ଆନ୍ଧ୍ର ପକ୍ଷର କିଛି ଲୋକ ଓଡ଼ିଶା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଅସ୍ଥାୟୀ ଚେକ୍ପୋଷ୍ଟ ଓ ବ୍ୟାରିକେଡ୍ ହଟାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଓଡ଼ିଶାର ପୋଲିସ ଆଉଟପୋଷ୍ଟକୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ଉଦ୍ୟମ ହୋଇଥିବା କୁହାଯାଉଛି। ଏହି ସମୟରେ କିଛି ମହିଳା ଓଡ଼ିଶା ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ପୋଲିସ ସହ ଠେଲାପେଲା କରିଥିବା ଅଭିଯୋଗ ରହିଛି।
ପରିସ୍ଥିତିକୁ ଶାନ୍ତ କରିବା ପାଇଁ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଧ୍ର ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ତାଙ୍କ ସହ ମଧ୍ୟ ଆନ୍ଧ୍ର ପକ୍ଷର ଅଧିକାରୀମାନେ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିବା ପରେ ଓଡ଼ିଶା ପ୍ରଶାସନର ଚେତାବନୀ ପରେ ଆନ୍ଧ୍ର ପୋଲିସ ଓ ସେମାନଙ୍କ ସହ ଆସିଥିବା ଲୋକମାନେ ଫେରିଯାଇଥିଲେ।
ଏହି ଘଟଣା ପରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଞ୍ଚଳରେ ୭ ପ୍ଲାଟୁନ ପୋଲିସ ଫୋର୍ସ ଓ ୯ ଜଣ ମାଜିଷ୍ଟ୍ରେଟ୍ଙ୍କୁ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ଉପଜିଲ୍ଲାପାଳ ଫାବି ରସିଦ୍ କହିଛନ୍ତି ଯେ ଆନ୍ଧ୍ର ପୋଲିସ ବ୍ୟାରିକେଡ୍ ଭାଙ୍ଗି ଓଡ଼ିଶା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି।
ଅନ୍ୟପଟେ ଏହି ଘଟଣାକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବିଜେଡି ଓ କଂଗ୍ରେସ ଉଭୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କେନ୍ଦ୍ର ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପିର ସମର୍ଥନ ହରାଇବା ଭୟରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଚୁପ୍ ରହିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି।
ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଆନ୍ଧ୍ର ସରକାରଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।
ସୂଚନାଯୋଗ୍ୟ, କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘ ବର୍ଷ ଧରି ସୀମା ବିବାଦ ଲାଗି ରହିଛି। ଆସନ୍ତା ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆର କିଛି ଗ୍ରାମରେ ନିର୍ବାଚନ କରାଇବାକୁ ପ୍ରସ୍ତୁତି ଚାଲିଥିବାରୁ ବିବାଦ ଆହୁରି ଜଟିଳ ହୋଇଛି। ଏହି ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି ମତ ପ୍ରକାଶ ପାଇଛି।
