ନବୀନଙ୍କ ପ୍ଲାନ୍ ଜାଣିଦେଲେ କି ମୋହନ ?
ନବୀନଙ୍କ ଭୋଟବ୍ୟାଙ୍କ ହାତେଇବାକୁ ମୋହନଙ୍କ ବଡ ଯୋଜନା!
ମୋହନ ସଫଳ ହେବେ ନା ନବୀନ ମାତ ଦେବେ !
ଦର୍ଶକବନ୍ଧୁ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିବା ଦେଖିବାକୁ ମିଳିଛି। ସବୁ ବର୍ଗଙ୍କୁ ଖୁସି କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଥିଲେ ବି ଯୁବ ବର୍ଗଙ୍କୁ ଟାଣି ରଖିବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମହିଳାଙ୍କ ପାଇଁ ସରକାରଙ୍କ ପଦକ୍ଷେପ ବାବଦରେ ଅବଗତ କରିବା ସହ ଆଗାମୀ ଦିନରେ ବି ମହିଳାଙ୍କୁ ନେଇ ସରକାରଙ୍କ ବଡ ଯୋଜନା ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରୁ ଅନୁମାନ କରାଯାଉଛି। କିନ୍ତୁ ଏହି ଅବସରରେ ମହିଳାଙ୍କ ରାଜନୀତିକ ଭାଗିଦାରୀ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଦୁଇ ଲାଇନ କହିଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ମହିଳା ଭୋଟ ବ୍ୟାଙ୍କ କୁ ନିଜ ସପକ୍ଷରେ ରଖିବାକୁ ଏବେଠୁ ଯୋଜନା ଆରମ୍ଭ କରିଛି ବିଜେପି।
୨୦୨୪ ରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିଲେ ବି ବିରୋଧୀଦଳ ଆସନରେ ବସିଥିବା ବିଜେଡି କୁ ମିଳିଛି ଅଧିକ ପ୍ରତିଶତ ଭୋଟ। କିନ୍ତୁ ସବୁ ନିର୍ବାଚନରେ ନିର୍ଣ୍ଣାୟକ ହୋଇଥିବା ମହିଳା ଭୋଟ ଭାଗ ଭାଗ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ସୁଭଦ୍ରା ପ୍ରତିଶ୍ରୁତି କିଛି ମାତ୍ରାରେ ମହିଳା ଭୋଟ ବ୍ୟାଙ୍କ କୁ ପ୍ରଭାବିତ କରିଥିବା ବେଳେ ସରକାର ଗଠନ କରେ ତୁରନ୍ତ ସୁଭଦ୍ରା ଯୋଜନା ଲାଗୁ କରି ବିଜେଡ଼ିର ମିଶନଶକ୍ତି ଭୋଟ ବ୍ୟାଙ୍କ କୁ ଚେକ୍ ଦେବାକୁ ରଣନୀତି କରିଥିଲା ବିଜେପି।କିନ୍ତୁ ସାଧାରଣ ନିର୍ବାଚନ କୁ ଆହୁରି ଢେର୍ ସମୟ ଥିଲେ ବି ମହିଳାଙ୍କୁ ନିଜ ସପକ୍ଷରେ ରଖିବାକୁ ବିଜେପି ଆଉ ଏକ ମାଷ୍ଟରଷ୍ଟ୍ରୋକ ଖେଳିଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ କହିଥିଲେ କି ରାଜନୀତିକ ସ୍ତରରେ ମହିଳାଙ୍କୁ ଅଧିକ ପ୍ରତିନିଧିତ୍ୱ ପାଇଁ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ କରାଇଛନ୍ତି। ଆଗାମୀ ଦିନରେ ସଂଶୋଧିତ ବିଧେୟକ ପାରିତ କରି ୨୦୨୯ ନିର୍ବାଚନ ଠାରୁ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ କରିବେ।
ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ଅନୁଶୀଳନ କଲେ ଏକଥା ସ୍ପଷ୍ଟ କି ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଏକ ତୃତୀୟାଂଶ ମହିଳା ନିର୍ବାଚିତ ହେବେ। ବର୍ତ୍ତମାନ ଓଡ଼ିଶାର ବିଧାନସଭା ଓ ଲୋକସଭା ସଂଖ୍ୟା ଦେଖିଲେ ୪୯ ମହିଳା ବିଧାୟକ ଓ ୭ ସାଂସଦ ନିର୍ବାଚିତ ହେବେ। ଯଦି ଡିଲିମିଟେସନ ହେଉଛି ତେବେ ଏହି ସଂଖ୍ୟା ବଢ଼ିପାରେ। କିନ୍ତୁ ନିକଟରେ ମହିଳା ସଂରକ୍ଷଣ ଓ ଡିଲିମିଟେସନ କୁ ନେଇ ବଡ ରାଜନୀତିକ ଲଢେଇ ଦେଖିବାକୁ ମିଳିଛି। ସଂଶୋଧିତ ବିଧେୟକ ସଂସଦରେ କାଟ ଖାଇବା ପରେ ସାରା ଦେଶରେ ଏହାକୁ ନେଇ ରାଜନୀତି ତେଜିଥିବା ବେଳେ ଓଡ଼ିଶାରେ ବି ଏହାକୁ ନେଇ ବିଜେଡି ଓ ବିଜେପି ବଡ କ୍ୟାମ୍ପେନ କରିଥିବା ଦେଖିବାକୁ ମିଳିଛି। କାରଣ ମହିଳା ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ପୂର୍ବରୁ ୨୦୧୯ ରେ ଲୋକସଭା ପାଇଁ ବିଜେଡି ଦଳୀୟ ଭିତ୍ତିରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟ ରାଜନୀତିକ ଦଳ ବି ମହିଳା ସଂରକ୍ଷଣ ନେଇ ସ୍ୱର ଉଠାଇବାକୁ ସବୁ ରାଜନୀତିକ ଦଳର ମୁଖ୍ୟଙ୍କୁ ଭେଟି ଦାବି କରିଥିଲା ବିଜେଡି। ଏବେ ମହିଳାଙ୍କୁ ନେଇ ବିଜେଡି ବଡ ଯୋଜନା କରୁଥିବା ଦେଖିବାକୁ ମିଳିଛି।ସୁଜାତା ରାଉତ ବିଜେଡିରେ ଯୋଗ ଦେବା ପରେ ମହିଳାଙ୍କ ଉପରେ ବିଜେଡି ଫୋକସ କରିଥିବା ଦେଖିବାକୁ ମିଳିଛି। ବିଜେଡି ସରକାର ସମୟରେ ମହିଳାଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ଓ ବିଜେଡି ର ଦଳୀୟ ପଦକ୍ଷେପ କୁ ଆଧାର କରି ମହିଳାଙ୍କ ପାଖରେ ପହଞ୍ଚିବାକୁ ବିଜେଡି ଯୋଜନା କରିଥିବା ଚର୍ଚ୍ଚା ହେଉଛି।ଏଭଳି ସ୍ଥିତିରେ ମହିଳାଙ୍କୁ ନିଜ ସପକ୍ଷରେ ରଖିବାକୁ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିବା ଚର୍ଚ୍ଚା ହେଉଛି। ଆଗକୁ ମହିଳାଙ୍କୁ ନେଇ ଯେ ବଡ ରାଜନୀତିକ ଲଢେଇ ହେବ ସେଥିରେ ଦ୍ଵନ୍ଦ ନାହିଁ।
