ଜଳନ୍ଧର: ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରିଛି ପାଞ୍ଚଥରର ଚାମ୍ପିଅନ୍ ଭାରତ। ଭାରତର ଏହି ବିଜୟରେ ଷ୍ଟ୍ରାଇକର ଅଭିଷେକ ନୈନ୍ଙ୍କ ଦୁଇଟି ଗୋଲ୍ ନିର୍ଣ୍ଣାୟକ ଭୂମିକା ନେଇଛି। ଏହି ବିଜୟ ସହ ଭାରତ ଲଗାତାର ତୃତୀୟ ମ୍ୟାଚ୍ରେ ବିଜୟ ହାସଲ କରିବା ସହ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି।
ମ୍ୟାଚ୍ରେ ଅଭିଷେକ ନୈନ୍ ୧୧ତମ ଓ ୫୧ତମ ମିନିଟ୍ରେ ଦୁଇଟି ଫିଲ୍ଡ ଗୋଲ୍ ଦେଇଥିଲେ। ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ୪୭ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରିଥିବା ବେଳେ ବିଷ୍ଣୁକାନ୍ତ ସିଂହ ୫୬ତମ ମିନିଟ୍ରେ ଆଉ ଏକ ଗୋଲ୍ ଦେଇଥିଲେ। ଜାପାନ ପକ୍ଷରୁ ଶୋଟା ୟାମାଡା ୧୫ତମ ମିନିଟ୍ରେ ପେନାଲ୍ଟି ଷ୍ଟ୍ରୋକ୍ରୁ ଏକମାତ୍ର ଗୋଲ୍ କରିଥିଲେ।
ପ୍ରଥମାର୍ଦ୍ଧରେ ଜାପାନର କଡ଼ା ଟକ୍କର
ମ୍ୟାଚ୍ର ଆରମ୍ଭରୁ ଜାପାନ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦ୍ୱିତୀୟ ମିନିଟ୍ରେ ଦଳକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହାକୁ ଗୋଲ୍ରେ ପରିଣତ କରିପାରିନଥିଲା। ଅନ୍ୟପଟେ ଭାରତୀୟ ଦଳ ଆରମ୍ଭରେ ମିଡଫିଲ୍ଡ ଓ ଫରୱାର୍ଡ ଲାଇନ୍ ମଧ୍ୟରେ ସମନ୍ୱୟ ରଖିବାରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଥିଲା।
ତେବେ ୧୧ତମ ମିନିଟ୍ରେ ଭାରତ ପ୍ରଥମ ଗୋଲ୍ ଦେଇ ଅଗ୍ରଣୀ ହୋଇଥିଲା। ହାର୍ଦ୍ଦିକ ସିଂହଙ୍କ ସୁନ୍ଦର ପାସ୍କୁ ସୁଖଜିତ ସିଂହ ଅଭିଷେକଙ୍କ ନିକଟକୁ ପହଞ୍ଚାଇଥିଲେ। ଅଭିଷେକ ବଲ୍କୁ ଗୋଲ୍ପୋଷ୍ଟ ଭିତରକୁ ପଠାଇ ଭାରତକୁ ୧-୦ରେ ଆଗୁଆ କରିଥିଲେ।
କିନ୍ତୁ ଜାପାନ ଶୀଘ୍ର ମ୍ୟାଚ୍କୁ ଫେରିଥିଲା। ପ୍ରଥମ କ୍ୱାର୍ଟର ଶେଷ ଭାଗରେ ଭାରତୀୟ ଖେଳାଳି ସଞ୍ଜୟଙ୍କ ଶରୀରରେ ବଲ୍ ବାଜିବା ପରେ ଜାପାନକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାକୁ ୧୫ତମ ମିନିଟ୍ରେ ଶୋଟା ୟାମାଡା ଗୋଲ୍ରେ ପରିଣତ କରି ସ୍କୋର୍କୁ ୧-୧ କରିଦେଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଉଭୟ ଦଳ ସମାନ ସ୍ଥିତିରେ ରହିଥିଲେ।
ଶେଷ କ୍ୱାର୍ଟରରେ ଭାରତର ଆକ୍ରମଣ
ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଖେଳର ଗତି ବଦଳାଇ ଦେଇଥିଲେ। ୪୭ତମ ମିନିଟ୍ରେ ମିଳିଥିବା ଭାରତର ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲ୍ରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ।
ଏହାର ଚାରି ମିନିଟ୍ ପରେ ଅଭିଷେକ ନିଜର ଦ୍ୱିତୀୟ ଗୋଲ୍ କରି ଭାରତର ଅଗ୍ରଣୀକୁ ୩-୧ କରିଥିଲେ। ମ୍ୟାଚ୍ର ୫୬ତମ ମିନିଟ୍ରେ ହରମନପ୍ରୀତଙ୍କ ଚମତ୍କାର ଏରିଆଲ୍ ପାସ୍କୁ ବିଷ୍ଣୁକାନ୍ତ ସିଂହ ଗୋଲ୍ରେ ପରିଣତ କରି ଭାରତର ବିଜୟକୁ ନିଶ୍ଚିତ କରିଥିଲେ।
ଉଲ୍ଲେଖଯୋଗ୍ୟ, ଅଭିଷେକ ନୈନ୍ଙ୍କ ପାଇଁ ଏହା ଥିଲା ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍। ଏହି ବିଶେଷ ମ୍ୟାଚ୍ରେ ଦୁଇଟି ଗୋଲ୍ କରି ସେ ‘ପ୍ଲେୟର ଅଫ୍ ଦି ମ୍ୟାଚ୍’ ପୁରସ୍କାର ମଧ୍ୟ ପାଇଛନ୍ତି। ଏହା ପୂର୍ବରୁ ଭାରତ ବାଂଲାଦେଶକୁ ୧୩-୦ ଓ ଚୀନ୍କୁ ୫-୨ ଗୋଲ୍ରେ ପରାସ୍ତ କରିଥିଲା। ଏବେ ତିନିଟି ମ୍ୟାଚ୍ରୁ ୯ ପଏଣ୍ଟ ହାସଲ କରି ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ନଭେମ୍ବର ୧ ତାରିଖ ରବିବାର ଦିନ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ରେ ମାଲେସିଆକୁ ଭେଟିବ।
