ପୁଣି ବର୍ଷା ଆଶଙ୍କା, ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ ବର୍ଷାର ପ୍ରକୋପ ବଢ଼ିବାର ଆଶଙ୍କା ଦେଖାଦେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ରବିବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।

IMDର ସକାଳର ବୁଲେଟିନ୍ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ ମିନିଟ୍‌ରେ ଏହି ଲଘୁଚାପ କ୍ଷେତ୍ର ଗଠିତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି।

ଲଘୁଚାପର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ କେତେକ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ବିଶେଷକରି ବାଲେଶ୍ୱର, କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀରୁ ଅତିଭାରୀ ବର୍ଷା ହେବାର ଆଶଙ୍କା ରହିଛି।

ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ ଖୋର୍ଦ୍ଧା ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ।

ବର୍ଷା ସହିତ ରାଜ୍ୟର ଅନେକ ଅଞ୍ଚଳରେ ଘଡ଼ଘଡ଼ି, ବଜ୍ରପାତ ଏବଂ ଝଟକା ପବନ ମଧ୍ୟ ହୋଇପାରେ। ପାଣିପାଗ ବିଭାଗ ଅନୁସାରେ କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ତେଣୁ ବର୍ଷା ସମୟରେ ଲୋକମାନେ ବିଶେଷ ସତର୍କ ରହିବା ଆବଶ୍ୟକ।

ବର୍ତ୍ତମାନ ରାଜ୍ୟର ଅନେକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ନଦୀନାଳର ଜଳସ୍ତର ବଢ଼ିବା ସହିତ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ବିଶେଷକରି ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନୂଆ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ।

ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରହିବା ସହିତ ଜରୁରୀକାଳୀନ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ। ଲୋକମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ନରହି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ଉଚିତ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଆହୁରି ସକ୍ରିୟ ହେବାର ପୂର୍ବାନୁମାନ ଥିବାରୁ ଓଡ଼ିଶାରେ ମୌସୁମୀ ବର୍ଷା ଆହୁରି ବଢ଼ିପାରେ। ତେଣୁ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply