ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଟେଲିଭିଜନ୍ ଜଗତର ପରିଚିତ ଚେହେରା ବିନ୍ଦୁ ଦାରା ସିଂହ ନିଜର ପ୍ରଥମ ବିବାହ ଓ ଛାଡ଼ପତ୍ରକୁ ନେଇ ଦୀର୍ଘ ବର୍ଷ ପରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଫରାହ ନାଜ୍ଙ୍କ ସହ ତାଙ୍କର ବିବାହ କାହିଁକି ଭାଙ୍ଗିଥିଲା, ସେ ସମ୍ପର୍କରେ ଅନେକ ଅଜଣା କଥା କହିଛନ୍ତି। ବିନ୍ଦୁଙ୍କ କହିବା ଅନୁସାରେ, ହଜ୍ ଯାତ୍ରାରୁ ଫେରିବା ପରେ ଫରାହଙ୍କ ଜୀବନଶୈଳୀ ଓ ଧାର୍ମିକ ବିଚାରଧାରାରେ ବଡ଼ ପରିବର୍ତ୍ତନ ଆସିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ମତଭେଦ ବଢ଼ିବା ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।
ନିକଟରେ ‘ବିନ୍ଦାସ୍ ବୋଲ୍’ ପଡକାଷ୍ଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କରିଥିଲେ ବିନ୍ଦୁ ଦାରା ସିଂହ। ଏହି ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ହଜ୍ ଯାତ୍ରା ପରେ ଫରାହଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା କି? ଏହାର ଉତ୍ତରରେ ବିନ୍ଦୁ କହିଥିଲେ, ହଁ, ହଜ୍ରୁ ଫେରିବା ପରେ ଫରାହ ସମ୍ପୂର୍ଣ୍ଣ ବଦଳିଯାଇଥିଲେ। ସେ ଇସଲାମ ଧର୍ମକୁ ଅଧିକ ଗଭୀରତାର ସହ ଗ୍ରହଣ କରିବାକୁ ଚାହୁଁଥିଲେ। ପୂର୍ବରୁ ଉଭୟଙ୍କ ମଧ୍ୟରେ ଧର୍ମକୁ ନେଇ ସେତେଟା ଆଲୋଚନା କିମ୍ବା ବିବାଦ ନଥିଲା। କିନ୍ତୁ ପରେ ଧାର୍ମିକ ଚିନ୍ତାଧାରାକୁ ନେଇ ମତଭେଦ ଆରମ୍ଭ ହୋଇଥିଲା।
ବିବାହ ପୂର୍ବରୁ ବାପା ଦାରା ସିଂହ ଦେଇଥିଲେ ପରାମର୍ଶ
ବିନ୍ଦୁ ଦାରା ସିଂହ କହିଛନ୍ତି ଯେ, ଅଭିନେତ୍ରୀ ଫରାହ ନାଜ୍ଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ବାପା ତଥା କିମ୍ବଦନ୍ତୀ ଅଭିନେତା ଓ କୁସ୍ତିଯୋଦ୍ଧା ଦାରା ସିଂହ ତାଙ୍କୁ ସତର୍କ କରାଇଥିଲେ। ଦାରା ସିଂହ କହିଥିଲେ, ପ୍ରେମ କରିବା ଓ ବିବାହ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ବିଶେଷକରି ଦୁଇଟି ଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ବିବାହ ହେଲେ ଭବିଷ୍ୟତରେ କିଛି ସମସ୍ୟା ଉପୁଜିପାରେ। ତେଣୁ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରିବାକୁ ସେ ପୁଅକୁ କହିଥିଲେ।
ତେବେ ସେହି ସମୟରେ ପ୍ରେମ ଉପରେ ବିନ୍ଦୁଙ୍କର ଦୃଢ଼ ବିଶ୍ୱାସ ଥିଲା। ଧର୍ମ ତାଙ୍କ ସମ୍ପର୍କ ମଧ୍ୟରେ କେବେ ବାଧା ସୃଷ୍ଟି କରିବ ନାହିଁ ବୋଲି ସେ ଭାବିଥିଲେ। କିନ୍ତୁ ବିବାହ ପରେ ପରିସ୍ଥିତି ବଦଳିଯାଇଥିଲା। ଆଜି ପଛକୁ ଫେରି ଚାହିଁଲେ ବାପାଙ୍କ କଥାର ଗୁରୁତ୍ୱ ବୁଝିପାରୁଥିବା ସେ କହିଛନ୍ତି।
ହଜ୍ରୁ ଫେରିବା ପରେ ବଦଳିଥିଲା ଜୀବନଶୈଳୀ
ବିନ୍ଦୁଙ୍କ କହିବା ଅନୁସାରେ, ଫରାହଙ୍କ ସହ ତାଙ୍କର ପରିଚୟ ଓ ପ୍ରେମ ସମୟରେ ଧର୍ମକୁ ନେଇ କୌଣସି ବଡ଼ ସମସ୍ୟା ନଥିଲା। ସେତେବେଳେ ଫରାହ ଧୂମପାନ କରୁଥିଲେ। ବିନ୍ଦୁ ଚାହୁଁଥିଲେ ସେ ଏହି ଅଭ୍ୟାସ ଛାଡ଼ନ୍ତୁ। ଦିନେ ଫରାହ କହିଥିଲେ ଯେ, ତାଙ୍କୁ ହଜ୍ ଯାତ୍ରାରେ ପଠାଇଲେ ସେ ଧୂମପାନ ଛାଡ଼ିଦେବେ। ଏହାପରେ ବିନ୍ଦୁ ସମସ୍ତ ବ୍ୟବସ୍ଥା କରି ତାଙ୍କୁ ହଜ୍ ଯାତ୍ରାରେ ପଠାଇଥିଲେ।
କିନ୍ତୁ ଯାତ୍ରାରୁ ଫେରିବା ପରେ ଫରାହଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ଆସିଥିଲା। ଧାର୍ମିକ ନିୟମ ଓ ଆଚରଣ ପ୍ରତି ତାଙ୍କ ଆଗ୍ରହ ବଢ଼ିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଧୀରେ ଧୀରେ ସେମାନଙ୍କ ବୈବାହିକ ଜୀବନରେ ଦୂରତା ବଢ଼ିଥିଲା।
୨୦୦୨ରେ ହୋଇଥିଲା ଛାଡ଼ପତ୍ର
ବିନ୍ଦୁ ଦାରା ସିଂହ ଓ ଫରାହ ନାଜ୍ ୧୯୯୬ ମସିହାରେ ବିବାହ କରିଥିଲେ। ୧୯୯୭ରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା, ଯାହାଙ୍କ ନାମ ଫତେହ ରନ୍ଧାୱା। ତେବେ ଦାମ୍ପତ୍ୟ ଜୀବନରେ ମତଭେଦ ବଢ଼ିବା ପରେ ୨୦୦୨ ମସିହାରେ ଉଭୟ ଅଲଗା ହୋଇଯାଇଥିଲେ।
ଛାଡ଼ପତ୍ର ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଫରାହ ତାଙ୍କୁ ପୁଅକୁ ଦେଖା କରିବାକୁ ଦେଇନଥିବା କଥା ମଧ୍ୟ ବିନ୍ଦୁ କହିଛନ୍ତି। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇଥିଲା।
ପୂର୍ବତନ ପତ୍ନୀଙ୍କୁ କଲେ ପ୍ରଶଂସା
ବିବାହ ଭାଙ୍ଗିଯାଇଥିଲେ ମଧ୍ୟ ଫରାହଙ୍କ ପ୍ରତି ବିନ୍ଦୁଙ୍କ ମନରେ କୌଣସି ତିକ୍ତତା ନାହିଁ। ସେ ଫରାହଙ୍କୁ ଜଣେ ଭଲ ମା’ ବୋଲି କହିବା ସହ ପୁଅର ଉତ୍ତମ ଲାଳନପାଳନ ପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ପୁଅ ସବୁ ଧର୍ମକୁ ସମ୍ମାନ କରେ ବୋଲି ମଧ୍ୟ କହିଛନ୍ତି।
ବିନ୍ଦୁଙ୍କ କହିବା ଅନୁସାରେ, ଏହି ବିବାହରୁ ତାଙ୍କୁ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ଭାବେ ପୁଅ ଫତେହ ମିଳିଛି। ତେଣୁ ଏହି ସମ୍ପର୍କକୁ ନେଇ ତାଙ୍କର କୌଣସି ଅନୁତାପ ନାହିଁ। ଅନ୍ୟପକ୍ଷରେ ଫରାହ ନାଜ୍ ଦୀର୍ଘ ବର୍ଷ ହେଲା ଚଳଚ୍ଚିତ୍ର ଜଗତରୁ ଦୂରେଇ ରହି ସରଳ ଜୀବନ ବିତାଉଛନ୍ତି।
