ସମାଜବାଦୀ ପାର୍ଟି (ଏସପି)ର ବରିଷ୍ଠ ନେତା ଆଜମ ଖାନଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ୟାପକ ଚଢାଉ କରିଛି। ଏହି ଚଢାଉ ଉତ୍ତର ପ୍ରଦେଶର ରାମପୁର, ସହାରନପୁର ଏବଂ ଦିଲ୍ଲୀର ପ୍ରାୟ ୧୦ଟି ସ୍ଥାନରେ ଏକାସାଥିରେ ଚାଲିଥିବା ସୂଚନା ମିଳିଛି। ତଦନ୍ତର କେନ୍ଦ୍ରବିନ୍ଦୁରେ ରହିଛି ମହମ୍ମଦ ଅଲି ଜୌହର ୟୁନିଭର୍ସିଟି ଓ ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟ ସହ ଜଡିତ ଅର୍ଥନୈତିକ ଅନିୟମିତତା ଓ ମନି ଲଣ୍ଡରିଂ ଅଭିଯୋଗ।
ଇଡି ସୂତ୍ର ଅନୁସାରେ, ଏହି ମାମଲା ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ରୁଜୁ କରାଯାଇଛି। ଅଭିଯୋଗ ରହିଛି ଯେ, ଜୌହର ୟୁନିଭର୍ସିଟିର ନିର୍ମାଣ ଓ ପରିଚାଳନା ସମୟରେ ବହୁ ପରିମାଣର ଅଘୋଷିତ ଧନର ବ୍ୟବହାର ହୋଇଥିଲା। ଏହି ଅର୍ଥ କେଉଁଠାରୁ ଆସିଲା ଏବଂ ଏହାର ଉତ୍ସ କଣ, ତାହାକୁ ନେଇ ଇଡି ତଦନ୍ତ କରୁଛି।
ଲକ୍ଷ୍ନୌ ମୁଖ୍ୟାଳୟ ଥିବା ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ହେଉଛନ୍ତି ଆଜମ ଖାନ। ତାଙ୍କ ପରିବାର ସଦସ୍ୟ ଏବଂ କିଛି ସହଯୋଗୀ ମଧ୍ୟ ଏହି ଟ୍ରଷ୍ଟ ସହ ଜଡିତ ଅଛନ୍ତି। ଏହି ଟ୍ରଷ୍ଟ ରାମପୁରରେ ମହମ୍ମଦ ଅଲି ଜୌହର ୟୁନିଭର୍ସିଟି ଓ ଏକ ପବ୍ଲିକ ସ୍କୁଲ ପରିଚାଳନା କରୁଛି। ଇଡି ଅଧିକାରୀମାନେ ଟ୍ରଷ୍ଟ ସହ ସମ୍ପର୍କିତ ଦସ୍ତାବେଜ, ବ୍ୟାଙ୍କ ରେକର୍ଡ ଏବଂ ଆର୍ଥିକ କାରବାରର ତଥ୍ୟ ସଂଗ୍ରହ କରୁଛନ୍ତି।
ଗତ କିଛି ବର୍ଷ ଧରି ଜୌହର ୟୁନିଭର୍ସିଟି ବିଭିନ୍ନ ବିବାଦରେ ଘେରା ରହିଛି। ଜମି ଦଖଲ, ଅର୍ଥ ହେରଫେର ଏବଂ ନିର୍ମାଣ ସମ୍ପର୍କିତ ଅନିୟମିତତା ନେଇ ଅନେକ ଅଭିଯୋଗ ହୋଇଛି। ଏହାଛଡ଼ା ୟୁନିଭର୍ସିଟିର ଅନେକ ଭବନ ଆଇନଗତ ଅନୁମତି ବିନା ନିର୍ମାଣ ହୋଇଥିବା ଅଭିଯୋଗ ମଧ୍ୟ ରହିଛି। ନିକଟରେ ୟୁନିଭର୍ସିଟିର ୩୮ଟି ଭବନ ଭଙ୍ଗାଯିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।
ଆଜମ ଖାନ ଏବଂ ତାଙ୍କ ପରିବାର ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲା ରହିଛି। ୟୁନିଭର୍ସିଟି ପାଇଁ ଜମି ଅଧିଗ୍ରହଣ, ଜାଲିଆତି ଓ ଅନ୍ୟାନ୍ୟ ଆଇନଗତ ବିବାଦ ତଦନ୍ତ ଏଜେନ୍ସିମାନଙ୍କ ନଜରରେ ରହିଆସିଛି। ଏହି ପରିପ୍ରେକ୍ଷୀରେ ଇଡିର ନୂଆ ଚଢାଉ ମାମଲାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି।
ଏପର୍ଯ୍ୟନ୍ତ ଆଜମ ଖାନ କିମ୍ବା ସମାଜବାଦୀ ପାର୍ଟି ପକ୍ଷରୁ ଏହି ଚଢାଉ ନେଇ ବିସ୍ତୃତ ପ୍ରତିକ୍ରିୟା ଆସିନାହିଁ। ତେବେ ରାଜନୈତିକ ମହଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଡି ତଦନ୍ତ ଶେଷ ହେବା ପରେ ମାମଲାରେ ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି।
