୨୬ରୁ ଓଡ଼ିଶାରେ ଘରକୁ ଘର ବୁଲି ଭୋଟର ସର୍ଭେ, ୨୦୨୭ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ଓଡ଼ିଶାରେ ଆଗାମୀ ୨୦୨୭ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଭୋଟର ସର୍ଭେ କରିବ। ଏହି ଅଭିଯାନ ମାଧ୍ୟମରେ ଭୋଟର ତାଲିକାକୁ ସଠିକ୍‌, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି।

ଜାନୁଆରୀ ୧ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ରାଜ୍ୟ ନିର୍ବାଚନ ଆୟୋଗର ସୂଚନା ଅନୁଯାୟୀ, ଘରକୁ ଘର ସର୍ଭେ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ୨୦୨୭ ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ନିଜ ନାମ, ଠିକଣା ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିବା ପାଇଁ ଭୋଟରମାନଙ୍କୁ ସୁଯୋଗ ମିଳିବ।

ଚିଠା ତାଲିକା ପ୍ରକାଶ ପରେ ଭୋଟରମାନେ ୨୦ ଦିନ ମଧ୍ୟରେ ନାମ ଯୋଡ଼ିବା, ଭୁଲ୍‌ ସଂଶୋଧନ କରିବା କିମ୍ବା ଆପତ୍ତି ଦାଖଲ କରିପାରିବେ। ଦାବି ଓ ଆପତ୍ତିଗୁଡ଼ିକର ଯାଞ୍ଚ ପରେ ୨୦୨୭ ଫେବ୍ରୁଆରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ହଟିବ

ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରେ ରହିଥିବା ତ୍ରୁଟିକୁ ଦୂର କରିବା। ସର୍ଭେ ସମୟରେ ମୃତ ବ୍ୟକ୍ତିଙ୍କ ନାମ, ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ବିବରଣୀ ଏବଂ ଏକାଧିକ ସ୍ଥାନରେ ଥିବା ସମ୍ଭାବ୍ୟ ନକଲି ଏଣ୍ଟ୍ରି ଯାଞ୍ଚ କରାଯିବ। ଏହା ସହିତ ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ଏପର୍ଯ୍ୟନ୍ତ ତାଲିକାରେ ସାମିଲ ହୋଇନାହିଁ, ସେମାନଙ୍କୁ ଚିହ୍ନଟ କରି ନାମ ଯୋଡ଼ିବା ପାଇଁ ପଦକ୍ଷେପ ନିଆଯିବ।

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କହିବା ଅନୁଯାୟୀ, ପୂର୍ବରୁ ୩୦ଟି ଜିଲ୍ଲାରେ କରାଯାଇଥିବା ପାଇଲଟ୍ ସର୍ଭେରେ ପ୍ରାୟ ୭.୬୧ ପ୍ରତିଶତ ଭୋଟରଙ୍କ ନାମ ମୃତ୍ୟୁ କିମ୍ବା ସ୍ଥାନାନ୍ତର ସତ୍ତ୍ୱେ ତାଲିକାରେ ରହିଥିବା ଜଣାପଡ଼ିଥିଲା। ସେହିପରି ପ୍ରାୟ ୪.୮୭ ପ୍ରତିଶତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ନଥିବା ଚିହ୍ନଟ ହୋଇଥିଲା।

ଗୋଟିଏ ପରିବାରର ଭୋଟର ରହିବେ ଗୋଟିଏ ବୁଥ୍‌ରେ

ସର୍ଭେର ଆଉ ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ସଦସ୍ୟଙ୍କ ନାମ ଯଥାସମ୍ଭବ ଗୋଟିଏ ୱାର୍ଡ ଓ ଗୋଟିଏ ମତଦାନ କେନ୍ଦ୍ରର ତାଲିକାରେ ରଖିବା। ବର୍ତ୍ତମାନ କେତେକ ସହରାଞ୍ଚଳରେ ଏକ ଅଞ୍ଚଳର ଭୋଟରଙ୍କୁ ଭିନ୍ନ ଭିନ୍ନ ବୁଥ୍‌ରେ ରଖାଯାଉଥିବା ବେଳେ ଗୋଟିଏ ବୁଥ୍‌ରେ ଏକାଧିକ ଅଞ୍ଚଳର ଭୋଟରଙ୍କ ନାମ ରହୁଛି। ଏହା ଫଳରେ ମତଦାନ କରିବାକୁ ଲୋକଙ୍କୁ ଅସୁବିଧା ହେଉଛି ଏବଂ ଭୋଟଦାନ ହାର ଉପରେ ମଧ୍ୟ ପ୍ରଭାବ ପଡ଼ୁଛି।

ଏହି ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଘରକୁ ଏକ ସ୍ୱତନ୍ତ୍ର ଘର ନମ୍ବର ଦିଆଯିବ। ସେହି ନମ୍ବର ସହ ସେଠାରେ ରହୁଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଯୋଡ଼ାଯିବ। ଏହା ଦ୍ୱାରା ଭୋଟରଙ୍କ ଠିକଣା ଓ ମତଦାନ କେନ୍ଦ୍ର ନିର୍ଦ୍ଧାରଣରେ ସୁବିଧା ହେବ।

୪୫,୨୦୦ ସର୍ଭେ ଟିମ୍ ନିୟୋଜିତ ହେବେ

ସମଗ୍ର ରାଜ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ୪୫,୨୦୦ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଦୁଇରୁ ତିନିଜଣ ସଦସ୍ୟ ରହିବେ। ବୁଥ୍‌ସ୍ତରୀୟ ଅଧିକାରୀ (BLO), ଅଙ୍ଗନବାଡ଼ି କର୍ମୀ, ଜଳସାଥୀ, ସ୍ୱଚ୍ଛସାଥୀ ଏବଂ ଆଶାକର୍ମୀମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ।

ନାମ ଯୋଡ଼ିବା, ସଂଶୋଧନ ଓ ନାମ ବାଦ୍‌ ଦେବା ପାଇଁ ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ମହାନଗର ନିଗମ ଅଞ୍ଚଳ ନିମନ୍ତେ ଭିନ୍ନ ଭିନ୍ନ ଫର୍ମ ରହିଛି। ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ବୁଥ୍‌ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତ କରି ସର୍ଭେରେ ସହଯୋଗ କରିବାକୁ ଆୟୋଗ ଅନୁରୋଧ କରିଛି।

Leave a Reply