କଟକ: ଓଡ଼ିଶାର ଐତିହାସିକ ଓ ପ୍ରସିଦ୍ଧ ମହୋତ୍ସବ ବାଲିଯାତ୍ରାକୁ ନେଇ ଏଥର ଦର୍ଶକଙ୍କ ମଧ୍ୟରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଏଥର ବାଲିଯାତ୍ରା ମଞ୍ଚରେ ବଲିଉଡ୍ର ବଡ଼ ବଡ଼ କଳାକାରଙ୍କୁ ଦେଖିବାକୁ ମିଳିନପାରେ। କଟକ କମିଶନରେଟ୍ ପୋଲିସର ସତର୍କତା ଓ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନିଆଯାଉଥିବା ଚର୍ଚ୍ଚା ହେଉଛି। ତେବେ ବଲିଉଡ୍ କଳାକାରଙ୍କ କାର୍ଯ୍ୟକ୍ରମ ନ ହେବା ଖବରକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗତବର୍ଷ ବାଲିଯାତ୍ରାରେ ବଲିଉଡ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ ନେଇ ଅସାଧାରଣ ଭିଡ଼ ଜମିଥିଲା। ତାଙ୍କୁ ଦେଖିବା ଓ ଗୀତ ଶୁଣିବା ପାଇଁ ହଜାର ହଜାର ଦର୍ଶକ ମଞ୍ଚ ନିକଟରେ ଏକାଠି ହୋଇଥିଲେ। ଫଳରେ ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନକୁ ଅଧିକ ସତର୍କ ହେବାକୁ ପଡ଼ିଥିଲା। ଏହି ଅନୁଭୂତିକୁ ଆଧାର କରି ଚଳିତବର୍ଷ ବଡ଼ ବଲିଉଡ୍ କଳାକାରଙ୍କ କାର୍ଯ୍ୟକ୍ରମ ଆୟୋଜନ ନେଇ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଥିବା କୁହାଯାଉଛି।
ପୋଲିସର ମୁଖ୍ୟ ଚିନ୍ତା ହେଉଛି ଦର୍ଶକଙ୍କ ସୁରକ୍ଷା। ବଡ଼ କଳାକାରଙ୍କ କାର୍ଯ୍ୟକ୍ରମ ହେଲେ ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରନ୍ତି। ଏପରି ସ୍ଥିତିରେ ଦଳାଚକଟା, ଯାତାୟାତ ସମସ୍ୟା ଓ ଅନ୍ୟାନ୍ୟ ଅଘଟଣ ଆଶଙ୍କା ରହିଥାଏ। ତେଣୁ କେବଳ ମନୋରଞ୍ଜନ ନୁହେଁ, ଦର୍ଶକଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ପୋଲିସ ଗୁରୁତ୍ୱ ଦେଉଛି।
ଅନ୍ୟପଟେ ଯୁବପିଢ଼ିଙ୍କ ମତ ଭିନ୍ନ। ସେମାନଙ୍କ କହିବା ଅନୁସାରେ, ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ଏହା ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ମନୋରଞ୍ଜନର ଏକ ବଡ଼ ମଞ୍ଚ। ବଲିଉଡ୍ କଳାକାରଙ୍କ ଉପସ୍ଥିତି ଏହାର ଆକର୍ଷଣ ବଢ଼ାଇଥାଏ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରି ବଡ଼ କଳାକାରଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ବୋଲି ସେମାନେ ମତ ଦେଉଛନ୍ତି।
ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ମହାନଦୀ କୂଳରେ ବାଲିଯାତ୍ରା ଆୟୋଜିତ ହେବ। ଏଥର ଉଭୟ ଉପର ଓ ତଳ ପଡ଼ିଆରେ ମେଳା ହେବା ସହ ୧୮୦୦ରୁ ଅଧିକ ଷ୍ଟଲ୍ ଖୋଲିବାର ଯୋଜନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥର ସାଂସ୍କୃତିକ ମଞ୍ଚରେ ସ୍ଥାନୀୟ ଓ ଓଡ଼ିଆ କଳାକାରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବା ନେଇ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
ବାଲିଯାତ୍ରାର ଐତିହ୍ୟ ଓ ଆକର୍ଷଣକୁ ବଜାୟ ରଖିବା ସହ ଲକ୍ଷାଧିକ ଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ। ତେବେ ବଲିଉଡ୍ କଳାକାରଙ୍କୁ ନିମନ୍ତ୍ରଣ ନ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଓ ଅଧିକାରିକ କାର୍ଯ୍ୟକ୍ରମ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି।
