ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟାର ପ୍ରକୋପ ଅଧିକ ରହିଛି। ଦୁଇଟି ଜିଲ୍ଲାର ୧ ହଜାରରୁ ଅଧିକ ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟାଞ୍ଚଳର ଆକାଶମାର୍ଗରୁ ସର୍ଭେ କରିବେ। ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ କୁମାର ପୂଜାରୀ ମଧ୍ୟ ରହିବେ।
ସରକାରୀ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ର ୨୯୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ଗଜପତି ଜିଲ୍ଲାର ୭ଟି ବ୍ଲକ୍ର ୭୧୧ଟି ଗାଁ ଜଳମଗ୍ନ ହୋଇଛି। ଏହି ଦୁଇ ଜିଲ୍ଲାର ଅନେକ ଅଞ୍ଚଳରେ ରାସ୍ତାଘାଟ ବୁଡ଼ିଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨ ହଜାର ଲୋକ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଅଭିଯାନ ଚାଲିଛି। ଆବଶ୍ୟକ ସ୍ଥାନରେ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି।
ଗତ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ବିପଦପୂର୍ଣ୍ଣ ଅଞ୍ଚଳରୁ ୫୯ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଓ ଗଜପତି ବ୍ୟତୀତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ପ୍ରଭାବ ପଡ଼ିଛି।
ବର୍ଷାର ପରିମାଣ ମଧ୍ୟ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିଲିମିଟର ବର୍ଷା ହୋଇଛି। ଅତ୍ୟଧିକ ବର୍ଷା ଯୋଗୁଁ ଋଷିକୁଲ୍ୟା ଓ ବଂଶଧାରା ନଦୀର ଜଳସ୍ତର ବଢ଼ି ବିପଦ ସୃଷ୍ଟି କରିଛି। ଗଞ୍ଜାମର ସୋରଡ଼ା, ପୁରୁଷୋତ୍ତମପୁର, ପାତ୍ରପୁର, କବିସୂର୍ଯ୍ୟନଗର ଓ ସାନଖେମୁଣ୍ଡି ଅଞ୍ଚଳରେ ବନ୍ୟାର ପ୍ରଭାବ ଅଧିକ ରହିଛି। କେତେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୬୯ଟି ସ୍ୱତନ୍ତ୍ର ଟିମ୍ ମୁତୟନ କରିଛନ୍ତି। ଏଥିରେ ୯ଟି ଏନ୍ଡିଆର୍ଏଫ୍ ଓ ୬୦ଟି ଓଡ୍ରାଫ୍ ଟିମ୍ ସାମିଲ ଅଛନ୍ତି। ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହ ଫୋନ୍ରେ କଥା ହୋଇ ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତାର ଆଶ୍ୱାସନା ଦେଇଛନ୍ତି। କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ମଧ୍ୟ ଖୁବ୍ଶୀଘ୍ର ପ୍ରଭାବିତ ଜିଲ୍ଲା ଗସ୍ତ କରିବେ।
ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ସର୍ଭେ ପରେ ବନ୍ୟାଞ୍ଚଳର ପ୍ରକୃତ ସ୍ଥିତି, ରାସ୍ତାଘାଟର କ୍ଷୟକ୍ଷତି ଓ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ। ଏହାପରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ। ବନ୍ୟା ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀ ଯୋଗାଇବା ସହ ସମସ୍ତଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରାଥମିକତା ରହିଛି।
