ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶାରେ ଶୁକ୍ରବାର ଶ୍ରଦ୍ଧା ଓ ସମ୍ମାନର ସହ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ମହାନ ନେତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଭିନ୍ନ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ। ସମସ୍ତେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଦେଶ ପାଇଁ ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।
ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପାଟି ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ଆଦର୍ଶକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ ଗାନ୍ଧୀଜୀଙ୍କ ଏହି ଚିରନ୍ତନ ମୂଲ୍ୟବୋଧ ଆଜି ମଧ୍ୟ ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରୁଛି। ତାଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ମଧ୍ୟ ପ୍ରେରଣା ଦେଇଚାଲିବ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।
ଲାଲବହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟପାଳ ତାଙ୍କ ସରଳ ଜୀବନ, ସଚ୍ଚୋଟତା ଏବଂ ଦେଶ ପ୍ରତି ନିଷ୍ଠାକୁ ସ୍ମରଣ କରିଥିଲେ। ଶାସ୍ତ୍ରୀଜୀଙ୍କ ଜୀବନ ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଥିଲେ। ତାଙ୍କର ପ୍ରସିଦ୍ଧ ‘ଜୟ ଜୱାନ, ଜୟ କିଷାନ’ ଆହ୍ୱାନକୁ ମଧ୍ୟ ସ୍ମରଣ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ମହାତ୍ମା ଗାନ୍ଧୀ କେବଳ ଭାରତକୁ ସ୍ୱାଧୀନତାର ମାର୍ଗ ଦେଖାଇନଥିଲେ, ବରଂ ସତ୍ୟାଗ୍ରହ ଓ ଅସହଯୋଗ ଭଳି ନୈତିକ ଶକ୍ତିର ମାଧ୍ୟମରେ ସମଗ୍ର ବିଶ୍ୱକୁ ଏକ ନୂଆ ଦିଗ ଦେଇଥିଲେ। ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତିଙ୍କ କଲ୍ୟାଣ, ପରିଚ୍ଛନ୍ନତା ଏବଂ ସ୍ୱଦେଶୀ ସାମଗ୍ରୀର ପ୍ରଚାର ଗାନ୍ଧୀଜୀଙ୍କ ପ୍ରମୁଖ ଚିନ୍ତା ଥିଲା ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଗାନ୍ଧୀଜୀଙ୍କ ପରିଚ୍ଛନ୍ନତାର ବାର୍ତ୍ତା ଆଜି ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ଏକ ଜନଆନ୍ଦୋଳନର ରୂପ ନେଇଛି। ସେହିପରି ସ୍ୱଦେଶୀର ମନ୍ତ୍ର ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ। ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ଏବଂ ଶାସ୍ତ୍ରୀଜୀଙ୍କ କର୍ତ୍ତବ୍ୟନିଷ୍ଠା ଓ ଦେଶସେବାର ଭାବନାକୁ ଆଧାର କରି ଓଡ଼ିଶାକୁ ସମୃଦ୍ଧ ଓ ଉନ୍ନତ କରିବା ପାଇଁ ସରକାର ନିଜ ପ୍ରୟାସ ଜାରି ରଖିବ ବୋଲି ସେ କହିଥିଲେ।
ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା। ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଓ ସାଂସ୍କୃତିକ ସଂଗଠନ, ଯୁବକ ସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
