ଭୁବନେଶ୍ୱର: ଖଣିଜ ସମ୍ପଦକୁ ନେଇ ଓଡ଼ିଶାରେ ଚାଲିଥିବା MMDR ଆଇନ ବିବାଦ ମଧ୍ୟରେ ରାଜ୍ୟ ସରକାର ଏଯାଏଁ ଏହାର ସମ୍ଭାବ୍ୟ ରାଜସ୍ୱ ପ୍ରଭାବର କୌଣସି ନିର୍ଦ୍ଦିଷ୍ଟ ଆକଳନ କରିନଥିବା ଜଣାପଡ଼ିଛି। ୨୦୨୬ର ସଂଶୋଧିତ MMDR ଆଇନ ଲାଗୁ ହେବା ପରେ ଓଡ଼ିଶାର ଖଣିଜ ରାଜସ୍ୱ ଉପରେ କେତେ ପ୍ରଭାବ ପଡ଼ିବ, କେତେ ବକେୟା ଟଙ୍କା ଆଦାୟ ହୋଇପାରିବ ନାହିଁ କିମ୍ବା ପ୍ରତିବର୍ଷ କେତେ ରାଜସ୍ୱ ପ୍ରଭାବିତ ହେବ—ସେନେଇ ଏଯାଏଁ କୌଣସି ଚୂଡ଼ାନ୍ତ ହିସାବ ହୋଇନାହିଁ।
ବିଧାନସଭାରେ ବିରୋଧୀ ଦଳର ବିଧାୟକମାନଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସଂଶୋଧିତ MMDR ଆଇନର ଧାରା ୯ଡିର ଆର୍ଥିକ ପ୍ରଭାବ ନେଇ ସରକାର ଏଯାଏଁ ପରୀକ୍ଷା କରିନାହାନ୍ତି। ଏହି ଧାରା ଅନୁଯାୟୀ ଖଣିଜ ଅଧିକାର ଏବଂ ଖଣିଜ ଥିବା ଜମି ଉପରେ ରାଜ୍ୟଗୁଡ଼ିକ ଟିକସ, ସେସ୍ କିମ୍ବା ଅନ୍ୟ କୌଣସି ଶୁଳ୍କ ଲାଗୁ କରିବା ଉପରେ ସୀମାବଦ୍ଧତା ରହିଛି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ସଂଶୋଧିତ ଆଇନର କାର୍ଯ୍ୟକାରୀ ବ୍ୟବସ୍ଥା, କେନ୍ଦ୍ର ସରକାରଙ୍କ ନିୟମ, ସର୍ତ୍ତ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ସ୍ପଷ୍ଟ ହେବା ପରେ ଏହାର ଆର୍ଥିକ ପ୍ରଭାବ ଆକଳନ କରାଯିବ। ଏହି କାରଣରୁ ପୂର୍ବରୁ ଆଦାୟଯୋଗ୍ୟ ଥିବା ଖଣିଜ ଟିକସର କେତେ ବକେୟା ରହିଛି ଏବଂ ତାହାର କେତେ ଅଂଶ ଆଗାମୀ ଦିନରେ ଆଦାୟ ହୋଇନପାରେ, ସେନେଇ ମଧ୍ୟ ସରକାର କୌଣସି ଚୂଡ଼ାନ୍ତ ଆକଳନ କରିନାହାନ୍ତି।
ଏହି ପ୍ରସଙ୍ଗରେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଧାରା ୯ଡିର ପ୍ରଭାବ ସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ପୂର୍ବରୁ ସରକାରୀ ପ୍ରକାଶନ କିମ୍ବା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ତଥ୍ୟରେ ଯେଉଁ ରାଜସ୍ୱ ଓ ବକେୟା ରାଶିର ଉଲ୍ଲେଖ ଥିଲା, ସେଗୁଡ଼ିକୁ ବର୍ତ୍ତମାନର ଆର୍ଥିକ ପ୍ରଭାବ ଆକଳନ ପାଇଁ ବିଭାଗୀୟ ଚୂଡ଼ାନ୍ତ ଆକଳନ ଭାବେ ଗ୍ରହଣ କରାଯାଉନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସେହିପରି ORISED ଆଇନ ଅଧୀନରେ ଖଣିଜ ଉପରେ ଆଦାୟଯୋଗ୍ୟ ଟିକସ ସମ୍ପର୍କରେ ମଧ୍ୟ ରାଜ୍ୟ ସରକାର କୌଣସି ସମନ୍ୱିତ ଖଣିଜଭିତ୍ତିକ ଆକଳନ କରିନାହାନ୍ତି। ୨୦୨୪ ଜୁଲାଇ ୨୫ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଏବଂ ଅଗଷ୍ଟ ୧୪ର ଆଦେଶ ପରେ ଏହି ଟିକସ ସମ୍ପର୍କରେ କେତେ ଦାବି ଉଠିଛି, କେତେ ଆଦାୟ ହୋଇଛି ଏବଂ କେତେ ବକେୟା ରହିଛି—ଏହାର ଚୂଡ଼ାନ୍ତ ତଥ୍ୟ ଏଯାଏଁ ଉପଲବ୍ଧ ନାହିଁ। ମାମଲା ବିଚାରାଧୀନ ଥିବାରୁ ଏହି ପ୍ରକ୍ରିୟା ମଧ୍ୟ ଚୂଡ଼ାନ୍ତ ହୋଇନଥିବା ମନ୍ତ୍ରୀ କହିଛନ୍ତି।
ପୃଷ୍ଠଭୂମିରେ, ୨୦୨୪ର Mineral Area Development Authority ବନାମ Steel Authority of India ମାମଲାରେ ସୁପ୍ରିମକୋର୍ଟ ଖଣିଜ ଅଧିକାର ଉପରେ ଟିକସ ଲଗାଇବାରେ ରାଜ୍ୟଗୁଡ଼ିକର ବିଧାନସଭା କ୍ଷମତାକୁ ସ୍ୱୀକାର କରିଥିଲେ। ଏହା ପରେ ୨୦୨୬ ଅଗଷ୍ଟ ୨୨ରେ ସଂଶୋଧିତ MMDR ଆଇନ ନୋଟିଫାଏ ହୋଇଛି। ଏହି ସଂଶୋଧନ ପରେ ରାଜ୍ୟର ଖଣିଜ ଉପରେ ଟିକସ ଲଗାଇବାର ଅଧିକାର ନେଇ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି।
ଏହି ଆଇନକୁ ନେଇ ବିଧାନସଭାରେ ମଧ୍ୟ ରାଜନୈତିକ ତର୍କ ତୀବ୍ର ହୋଇଛି। ବିଜେଡି ଓ କଂଗ୍ରେସ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବି କରି ବିରୋଧ କରୁଛନ୍ତି ଏବଂ ଏହି ପ୍ରସଙ୍ଗରେ ବିଧାନସଭାର କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ତେବେ ରାଜ୍ୟ ସରକାରଙ୍କ ମତ ହେଉଛି, ସଂଶୋଧିତ ଆଇନର ସମସ୍ତ କାର୍ଯ୍ୟକାରୀ ନିୟମ ଓ ବ୍ୟବସ୍ଥା ସ୍ପଷ୍ଟ ହେବା ପରେ ହିଁ ଓଡ଼ିଶାର ରାଜସ୍ୱ ଉପରେ ଏହାର ବାସ୍ତବ ପ୍ରଭାବ ଆକଳନ କରାଯାଇପାରିବ।
