ଭୁବନେଶ୍ୱର: ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ଦିଗରେ ଓଡ଼ିଶା ସରକାରଙ୍କୁ ବଡ଼ ସଫଳତା ମିଳିଛି। ୟୁଏଇରେ ଆୟୋଜିତ ତିନିଦିନିଆ ନିବେଶକ ସମ୍ମିଳନୀ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା ପରେ ଓଡ଼ିଶା ପାଇଁ ପ୍ରାୟ ୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରାୟ ୬.୧୮ ଲକ୍ଷ ନୂଆ ଚାକିରି ସୃଷ୍ଟି ହେବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଏକ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରି ବିଭିନ୍ନ ନିବେଶକ ଓ ଶିଳ୍ପ ସଂସ୍ଥା ସହ ଆଲୋଚନା କରିଥିଲେ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଲବ୍ଧ ଭିତ୍ତିଭୂମି, ପ୍ରାକୃତିକ ସମ୍ପଦ, ବନ୍ଦର, ଦକ୍ଷ ମାନବ ସମ୍ବଳ ଏବଂ ଶିଳ୍ପ ଅନୁକୂଳ ପରିବେଶ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯାଇଥିଲା। ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ରପ୍ତାନି କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ସରକାର ଗୁରୁତ୍ୱ ଦେଉଥିବା କୁହାଯାଇଛି।
ୟୁଏଇରୁ ଆସିଥିବା ନିବେଶ ଆଗ୍ରହ ମଧ୍ୟରେ ଖଣିଜ ସମ୍ପଦ, ଧାତୁ ଓ ଧାତୁଭିତ୍ତିକ ଶିଳ୍ପ, ଗୁରୁତ୍ୱପୂର୍ଣ୍ଣ ଖଣିଜ, କୋଇଲାରୁ ରାସାୟନିକ ଉତ୍ପାଦନ, ବନ୍ଦରଭିତ୍ତିକ ଶିଳ୍ପ ଏବଂ ଶିଳ୍ପ ଭିତ୍ତିଭୂମି ଭଳି କ୍ଷେତ୍ର ରହିଛି। ଏହା ସହିତ ଇଲେକ୍ଟ୍ରୋନିକ୍ସ, ଆଇଟି, ସବୁଜ ଶକ୍ତି ଓ ରପ୍ତାନି କ୍ଷେତ୍ରକୁ ମଧ୍ୟ ଓଡ଼ିଶା ସରକାର ପ୍ରାଥମିକତା ଦେଉଛନ୍ତି। ରାଜ୍ୟକୁ କେବଳ ଖଣି ଓ ଧାତୁ ଶିଳ୍ପ ଉପରେ ନିର୍ଭରଶୀଳ ନରଖି ଏକ ବିବିଧ ଓ ପ୍ରଯୁକ୍ତିଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ନେବା ଲକ୍ଷ୍ୟ ରହିଛି।
ଏହି ଗସ୍ତ ସମୟରେ ୟୁଏଇର ବଡ଼ ଶିଳ୍ପ ଗୋଷ୍ଠୀ ଓ ନିବେଶକମାନଙ୍କ ସହ ଏକାଧିକ ରାଉଣ୍ଡଟେବୁଲ୍ ବୈଠକ ହୋଇଥିଲା। ଓଡ଼ିଶାରେ ଦୀର୍ଘମିଆଦୀ ନିବେଶ ପାଇଁ ନିବେଶକମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ବିଶେଷକରି କ୍ରିଟିକାଲ୍ ମିନେରାଲ୍, ମେଟାଲର୍ଜି, ବନ୍ଦରଭିତ୍ତିକ ବିକାଶ ଏବଂ ଶିଳ୍ପ ପ୍ରକଳ୍ପରେ ନିବେଶର ବ୍ୟାପକ ସୁଯୋଗ ଥିବା ସରକାର ପକ୍ଷରୁ ଦର୍ଶାଯାଇଥିଲା। ଏହା ସହିତ ନିବେଶକମାନଙ୍କୁ ସରକାରୀ ସହଯୋଗ ଓ ଆବଶ୍ୟକ ସୁବିଧା ଯୋଗାଇଦେବାର ଆଶ୍ୱାସନ ମଧ୍ୟ ଦିଆଯାଇଛି।
ଅନ୍ୟପଟେ ୟୁଏଇ ବଜାରରେ ଓଡ଼ିଶାର ଉତ୍ପାଦିତ ସାମଗ୍ରୀର ରପ୍ତାନି ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ଜିଆଇ ଟ୍ୟାଗ୍ ଥିବା ଉତ୍ପାଦ, ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ପ୍ରକ୍ରିୟାକରଣ ଖାଦ୍ୟକୁ ୟୁଏଇ ସହିତ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ବଜାରକୁ ପଠାଇବାର ସମ୍ଭାବନା ନେଇ ଆଲୋଚନା ହୋଇଛି। ଏଥିପାଇଁ ବ୍ୟବସାୟିକ ସହଯୋଗ ବଢ଼ାଇବାକୁ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି।
ନିବେଶ ସହିତ ଦକ୍ଷ ମାନବ ସମ୍ବଳକୁ ୟୁଏଇରେ ରୋଜଗାର ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା ହୋଇଛି। ଓଡ଼ିଶାର ଯୁବକ-ଯୁବତୀ ଓ ଦକ୍ଷ ପେସାଦାରମାନଙ୍କ ପାଇଁ ବିଦେଶରେ ରୋଜଗାର ସୁଯୋଗ ବଢ଼ିପାରିବ ବୋଲି ଆଶା କରାଯାଉଛି।
ସରକାରଙ୍କ ଏହି ବିଦେଶୀ ନିବେଶ ଅଭିଯାନ ରାଜ୍ୟର ଶିଳ୍ପ ବିକାଶ, ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧିକୁ ନୂଆ ଗତି ଦେଇପାରେ। ତେବେ ଏହି ପ୍ରସ୍ତାବଗୁଡ଼ିକ ଆଗାମୀ ଦିନରେ ପ୍ରକୃତ ପ୍ରକଳ୍ପରେ ପରିଣତ ହେବା ଏବଂ ଘୋଷିତ ରୋଜଗାର ସୁଯୋଗ ବାସ୍ତବରେ ସୃଷ୍ଟି ହେବା ହିଁ ଏହି ନିବେଶ ଅଭିଯାନର ପ୍ରମୁଖ ସଫଳତା ହ
