ମାଲକାନଗିରିରେ ଲଗାଣ ବର୍ଷା: ବଢ଼ିଲା ସତୀଗୁଡ଼ା ଓ ବାଲିମେଳା ଜଳଭଣ୍ଡାରର ଜଳସ୍ତର

ମାଲକାନଗିରି: ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହେଉଛି। ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷଜମି ଜଳମଗ୍ନ ହୋଇଛି।

ବର୍ଷା ଯୋଗୁଁ ଜିଲ୍ଲାର ପ୍ରମୁଖ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ମଧ୍ୟ ଦ୍ରୁତଗତିରେ ବଢ଼ିଛି। ସତୀଗୁଡ଼ା ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୧୯୧.୨୫ ମିଟରରେ ପହଞ୍ଚିଛି। ଏହାର ସର୍ବାଧିକ ଧାରଣ କ୍ଷମତା ୧୯୨.୬୩ ମିଟର। ଅଗଷ୍ଟ ୧୬ ତାରିଖରେ ଏହି ଜଳଭଣ୍ଡାରର ଜଳସ୍ତର ୧୮୮.୭ ମିଟର ଥିବାବେଳେ ଲଗାଣ ବର୍ଷା ପରେ ଏହା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।

ସେହିପରି ବାଲିମେଳା ଜଳଭଣ୍ଡାରରେ ମଧ୍ୟ ପାଣି ବଢ଼ିଛି। ବର୍ତ୍ତମାନ ଏଠାରେ ପ୍ରାୟ ୧,୪୭୭.୨ ଫୁଟ୍‌ ଜଳ ରହିଛି। ଏହାର ସର୍ବାଧିକ ଧାରଣ କ୍ଷମତା ୧,୫୧୬ ଫୁଟ୍‌। ଅଗଷ୍ଟ ୧୩ରେ ଜଳସ୍ତର ୧,୪୭୫.୬ ଫୁଟ୍‌ ଥିବାବେଳେ ଅଗଷ୍ଟ ୨୦ରେ ଏହା ୧,୪୬୭ ଫୁଟ୍‌କୁ ଖସିଥିଲା। କିନ୍ତୁ ନିକଟରେ ହୋଇଥିବା ପ୍ରବଳ ବର୍ଷା ପରେ ପୁଣି ଜଳସ୍ତର ବଢ଼ିଛି।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ପାଙ୍ଗାମ, ପୋଟେରୁ ଓ ଏମ୍‌ଭି-୯୬ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାତାୟାତ ବ୍ୟାହତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୁଲର ଉଭୟ ପାର୍ଶ୍ୱରେ ପୁଲିସ ମୁତୟନ କରାଯାଇଛି ଏବଂ ଲୋକଙ୍କୁ ପାଣି ଭିତରକୁ ଯିବାକୁ ବାରଣ କରାଯାଉଛି।

ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ମଧ୍ୟ ଭାରୀ ବର୍ଷା ରେକର୍ଡ ହୋଇଛି। ମାଲକାନଗିରି ବ୍ଲକ୍‌ରେ ୧୩୬ ମିମି, ମାଥିଲିରେ ୮୫ ମିମି, ଖଇରପୁଟରେ ୧୪୨ ମିମି, ଚିତ୍ରକୋଣ୍ଡାରେ ୧୯୨ ମିମି, କୋରୁକୋଣ୍ଡାରେ ୧୩୪ ମିମି, କାଲିମେଳାରେ ୮୫ ମିମି ଏବଂ ପଡ଼ିଆରେ ୨୯ ମିମି ବର୍ଷା ହୋଇଛି।

ପୋଟେରୁ ଅଞ୍ଚଳର ଅନେକ ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଦୀର୍ଘ ସମୟ ଧରି ଜମିରେ ପାଣି ରହିଲେ ଧାନ ଓ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହାସହ ବର୍ଷା ଓ ତଳିଆ ଅଞ୍ଚଳର ଜଳବନ୍ଦୀ ସ୍ଥିତିକୁ ଦେଖି ବାଲିମେଳା OHPC ଜଳବିଦ୍ୟୁତ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ଶନିବାରଠାରୁ ବନ୍ଦ କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ପ୍ରକଳ୍ପରୁ ପ୍ରାୟ ୭୦ରୁ ୮୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହେଉଥିଲା। ବର୍ତ୍ତମାନ ମାଲକାନଗିରିର ବିଦ୍ୟୁତ ଆବଶ୍ୟକତା ଜୟପୁରରୁ ଆସୁଥିବା ବିଦ୍ୟୁତ ଯୋଗାଣ ମାଧ୍ୟମରେ ପୂରଣ କରାଯାଉଛି।

ସତୀଗୁଡ଼ା ଜଳଭଣ୍ଡାରର ପାଣି ପ୍ରାୟ ୯,୦୫୬ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇଥାଏ। ସେହିପରି ବାଲିମେଳା OHPC ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ପରେ ଛଡ଼ାଯାଉଥିବା ପାଣି ପ୍ରାୟ ୪୪,୪୧୩ ହେକ୍ଟର ଜମିରେ ଜଳସେଚନରେ ସହାୟକ ହୁଏ। ଏହା ବ୍ୟତୀତ MI ଡିଭିଜନ୍‌ ଅଧୀନରେ ପ୍ରାୟ ୪,୧୪୦ ହେକ୍ଟର ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ପ୍ରାୟ ୧,୨୮୮ ହେକ୍ଟର ଜମି ଜଳସେଚିତ ହୋଇଥାଏ।

ବର୍ତ୍ତମାନ ପ୍ରବଳ ବର୍ଷା ଓ ତଳିଆ ଅଞ୍ଚଳର ସ୍ଥିତିକୁ ଦେଖି ଜଳଭଣ୍ଡାରରୁ ପାଣି ଛଡ଼ାଯାଉନାହିଁ। ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଲଗାଣ ବର୍ଷା ଆହୁରି ଜାରି ରହିଲେ ଜଳସ୍ତର ଓ ତଳିଆ ଅଞ୍ଚଳର ସ୍ଥିତି ଅଧିକ ଗୁରୁତର ହେବାର ଆଶଙ୍କା ରହିଛି।

Leave a Reply