୫୦ ଦିନରେ ୫ ଥର ବନ୍ୟା: ଯାଜପୁର ଦଶରଥପୁରରେ ଦୁର୍ଦ୍ଦଶାରେ ଶହ ଶହ ପରିବାର

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବନ୍ୟା ବିପତ୍ତି ଥମିବାର ନାଁ ନେଉନାହିଁ। ମାତ୍ର ୫୦ ଦିନ ମଧ୍ୟରେ ଅଞ୍ଚଳବାସୀ ପଞ୍ଚମ ଥର ପାଇଁ ବନ୍ୟାର ସମ୍ମୁଖୀନ ହୋଇଛନ୍ତି। ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ ଛାଡ଼ିନଥିବା ବେଳେ ପୁଣି ବୈତରଣୀ ନଦୀର ବନ୍ୟାଜଳ ଅନେକ ଅଞ୍ଚଳରେ ପଶିବାରୁ ଲୋକଙ୍କ ଦୁଃଖ ଆହୁରି ବଢ଼ିଛି। ବାରମ୍ବାର ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି, ଜୀବିକା ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ, କାଣୀ ନଦୀ ଓ ବୈତରଣୀ ନଦୀର ବନ୍ଧର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ବନ୍ୟାଜଳ ଗାଁ ଭିତରକୁ ପ୍ରବେଶ କରୁଛି। ତରପଦା ପଞ୍ଚାୟତ ଅଧୀନ ଦୋବାବିଲ ପଟଣା ନିକଟରେ କାଣୀ ନଦୀବନ୍ଧରେ ଥିବା ଘାଇ ଦେଇ ପାଣି ଗାଁ ଭିତରକୁ ପଶୁଥିବା ଜଣାପଡ଼ିଛି। ପୂର୍ବରୁ ପ୍ରଥମ ବନ୍ୟା ସମୟରେ କାଣ୍ଟାପଡ଼ା ନିକଟରେ ହୋଇଥିବା ଘାଇ ମଧ୍ୟ ସମ୍ପୂର୍ଣ୍ଣ ସମସ୍ୟାମୁକ୍ତ ହୋଇନଥିବାରୁ ଆଖପାଖ ଅଞ୍ଚଳକୁ ପାଣି ପ୍ରବାହିତ ହେଉଛି।

ଏହାଛଡ଼ା ଜୟନ୍ତରା ମହାପାତ୍ର ସାହି ନିକଟରେ ବୈତରଣୀ ନଦୀବନ୍ଧରେ ପ୍ରାୟ ୪୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ପଞ୍ଚମ ବନ୍ୟା ସମୟରେ ମହାପାତ୍ର ସାହି ନିକଟରେ ପ୍ରାୟ ୧୦୦ ଫୁଟର ଆଉ ଏକ ଘାଇ ହୋଇଥିବାରୁ ବନ୍ୟାଜଳ ଦ୍ରୁତଗତିରେ ଗାଁ ଭିତରକୁ ପଶିଥିବା ରିପୋର୍ଟରେ କୁହାଯାଇଛି।

ବନ୍ୟା ଯୋଗୁଁ କସପା, ତରପଦା, ମାଳିକାପୁର ଓ ଚଚିନା ଭଳି ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। କେତେକ ଗାଁରେ ପାଣିର ଉଚ୍ଚତା ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ପହଞ୍ଚିଛି। ରାସ୍ତାଘାଟ ଓ ଚାଷଜମି ଜଳମଗ୍ନ ହେବା ସହ ଲୋକଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଦଶରଥପୁରବାସୀଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖର ବିଷୟ ହେଉଛି ବାରମ୍ବାର ବନ୍ୟା। ଚଳିତ ବର୍ଷ ଜୁଲାଇ ୬ ତାରିଖରେ ପ୍ରଥମ ବନ୍ୟା ଆସିଥିଲା। ସେତେବେଳେ କାଣ୍ଟାପଡ଼ା ନିକଟରେ କାଣୀ ନଦୀବନ୍ଧରେ ଘାଇ ହୋଇଥିଲା। ଜୁଲାଇ ୨୮ରେ ଦ୍ୱିତୀୟ ବନ୍ୟା ଆସିବା ସମୟରେ ଦୋବାବିଲ ପଟଣା ନିକଟରେ ଦୁଇଟି ଘାଇ ସୃଷ୍ଟି ହେବା ସହ ଜୟନ୍ତରା ମହାପାତ୍ର ସାହି ନିକଟ ବୈତରଣୀ ବନ୍ଧରେ ମଧ୍ୟ ଘାଇ ହୋଇଥିଲା। ଅଗଷ୍ଟ ୮ରେ ତୃତୀୟ ବନ୍ୟା ଆସି ପୂର୍ବରୁ ମରାମତି ହୋଇଥିବା କେତେକ ଘାଇକୁ ପୁଣି କ୍ଷତିଗ୍ରସ୍ତ କରିଥିଲା। ଏହାପରେ ଅଗଷ୍ଟ ୧୪ରେ ଚତୁର୍ଥ ଏବଂ ଅଗଷ୍ଟ ୨୩ରେ ପଞ୍ଚମ ବନ୍ୟା ଆସିଥିବା ଜଣାପଡ଼ିଛି।

ବାରମ୍ବାର ବନ୍ୟା ଯୋଗୁଁ ଶହ ଶହ ପରିବାର ଦୀର୍ଘ ପ୍ରାୟ ୨୫ ଦିନ ଧରି ନିଜ ଘରକୁ ଫେରିପାରିନାହାନ୍ତି। କେହି ଘରର ଛାତ ଉପରେ ଆଶ୍ରୟ ନେଇଥିବାବେଳେ ଆଉ କେହି ବୈତରଣୀ ନଦୀବନ୍ଧ ଉପରେ ତାରପଲିନ୍ ଟାଣି ଅସ୍ଥାୟୀ ଭାବେ ରହୁଛନ୍ତି। ନଦୀବନ୍ଧ ଏବେ ଏକ ଅସ୍ଥାୟୀ ବସତିର ରୂପ ନେଇଛି। ଲୋକମାନେ ସେଠାରେ ନିଜ ଗୋରୁ, ଛେଳି ଓ ଘରର ଆବଶ୍ୟକ ସାମଗ୍ରୀ ରଖିବାକୁ ବାଧ୍ୟ ହୋଇଛନ୍ତି।

ବିଶେଷକରି ଦୋବାବିଲ ଓ ତରପଦା ଅଞ୍ଚଳର ମହିଳାମାନଙ୍କ ଦୁର୍ଦ୍ଦଶା ଅତ୍ୟନ୍ତ ଚିନ୍ତାଜନକ। ପୂର୍ବ ବନ୍ୟାର ପାଣି କମିବା ପରେ ସେମାନେ ଘର ସଫା କରିବା ଏବଂ କାଦୁଅ ଓ ଆବର୍ଜନା ବାହାର କରିବା ଆରମ୍ଭ କରିଥିଲେ। ଘରକୁ ଫେରି ନୂଆ ଭାବେ ଜୀବନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ପୁଣି ବନ୍ୟାଜଳ ପଶିବାରୁ ସେମାନଙ୍କ ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇଯାଇଛି। ଏହା ସହ ଘର ଓ ସମ୍ପତ୍ତିର ଆହୁରି କ୍ଷତି ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି।

ଏପରି ପରିସ୍ଥିତିରେ ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ଜରୁରୀ ହୋଇପଡ଼ିଛି। ସେହିପରି ବନ୍ଧର ଘାଇଗୁଡ଼ିକୁ ସ୍ଥାୟୀ ଭାବେ ମରାମତି କରାଯାଇ ଆଗାମୀ ଦିନରେ ଏଭଳି ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନେବା ଆବଶ୍ୟକ।

୫୦ ଦିନରେ ପାଞ୍ଚ ଥର ବନ୍ୟା ଦଶରଥପୁରବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପାଣି ହ୍ରାସ ପାଇଲେ ମଧ୍ୟ ଲୋକଙ୍କ ସମସ୍ୟା ତୁରନ୍ତ ଶେଷ ହେବ ନାହିଁ। ଘର ମରାମତି, ଚାଷଜମି ପୁନରୁଦ୍ଧାର, ପଶୁସମ୍ପଦର ସୁରକ୍ଷା ଓ ଜୀବିକାକୁ ପୁଣିଥରେ ଟ୍ରାକ୍‌କୁ ଆଣିବା ପାଇଁ ଦୀର୍ଘମିଆଦୀ ସହାୟତା ଆବଶ୍ୟକ। ବାରମ୍ବାର ଆସୁଥିବା ବନ୍ୟାର ସ୍ଥାୟୀ ସମାଧାନ ସହ ପ୍ରଭାବିତ ପରିବାରଙ୍କୁ ଯଥାଯଥ କ୍ଷତିପୂରଣ ଓ ପୁନର୍ବାସ ସୁବିଧା ଯୋଗାଇଦିଆଯିବା ଏବେ ଅଞ୍ଚଳବାସୀଙ୍କ ପ୍ରମୁଖ ଦାବି ହୋଇଛି।

Leave a Reply