ତାଳଚେର ଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ପାଇଁ ବ୍ୟାପକ ମାତ୍ରାରେ ଗଛପତ୍ର କଟାଯାଉଛି। ଏହା ଦ୍ଵାରା ଶାଳପତ୍ର ତିଆରି ଖଲି ଏବଂ ଚଉପତି ଲୋପ ପାଇବା ଆରମ୍ଭ କଲାଣି| ବୃଦ୍ଧି ପାଉଥିବା ଆଧୁନିକତା ଓ ସାମାନ୍ଯ ଅର୍ଥ ଲୋଭରେ ବ୍ୟବସାୟୀ ଶାଳପତ୍ର ବଦଳରେ ବହୁଳମାତ୍ରାରେ ଥର୍ମୋକୋଲ ପ୍ଲେଟ୍ ଓ ଠୋଲା ବ୍ୟବହାର କରୁଛନ୍ତି। ଏହା କର୍କଟ ଭଳି ମାରାତ୍ମକ ରୋଗକୁ ଆମନ୍ତ୍ରଣ କରୁଛି।
ପ୍ରତିବର୍ଷ ଜୁନ୍ ମାସ ଆସିଲେ ପ୍ରଶାସନଠାରୁ ଆରମ୍ଭ କରି ସହରର ବିଭିନ୍ନ ଜଳଖିଆ ଦୋକାନ କରି ପରିବେଶବିତ୍ମାନଙ୍କ ପର୍ଯ୍ୟନ୍ତ ଏବଂ ଦହିବରା ଦୋକାନଠାରୁ ଆରମ୍ଭ ପ୍ଲାଷ୍ଟିକ ବର୍ଜନ ସହିତ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଦିଆଯାଏ
କିନ୍ତୁ, ଏହା କାର୍ଯ୍ୟକାରୀ ହୁଏ ନାହିଁ । ସଚେତନତା ଅଭାବରୁ ତାଳଚେର ଅଞ୍ଚଳରେ ବାହାଘର, ବ୍ରତଘର ସହିତ ବିଭିନ୍ନ ଉତ୍ସବ ତଥା ସହରର ବିଭିର୍ନ ଜଳଖିଆ ଦୋକାନ ଏବଂ ଦହିବରା ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲଗୁଡ଼ିକରେ ଥର୍ମୋକୋଲ ପ୍ଲେଟ୍ରେ ଗରମ ଖାଦ୍ୟ ଦିଆଯାଉଛି। ଏଥିପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଖାଦ୍ୟ ନିରାପତ୍ତା ବିଭାଗ କିମ୍ବା ଉପଖଣ୍ଡ ପ୍ରଶାସନିକ ଅଧିକାରୀ କେହି ବି ଦୃଷ୍ଟି ଦେଉନଥିବାରୁ ଅସାଧୁ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ଥର୍ମୋକୋଲ ଷ୍ଟାଇରିନ୍ ଏବଂ ବେଞ୍ଜିନ ଭଳି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ରହିଥାଏ।
ଗରମ ଖାଦ୍ୟ କିମ୍ବା ପାନୀୟ ଏହି ପ୍ଲେଟ୍ରେ ଖାଇବା ଦ୍ଵାରା ବିଷାକ୍ତ ରସାୟନ ଖାଦ୍ୟ ସହ ମିଶି ଶରୀର ଭିତରକୁ ଯାଇଥାଏ । ନିୟମିତ ଭାବେ ଷ୍ଟାଇରିନ୍ ସଂସ୍ପର୍ଶରେ ଆସିଲେ ମୁଣ୍ଡ ବିନ୍ଧା, ଧଇଁସଇଁ ହେବା ସହିତ ଯକୃତ ଏବଂ ବୃକକ୍ ଆଦିରେ କ୍ଷତି ଘଟାଇଥାଏ ବୋଲି ବରିଷ୍ଠ ଭେଷଜ ଡାକ୍ତର ଚୈତନ୍ୟ ମାରାଣ୍ଡି କହିଛନ୍ତି। ଅପରପକ୍ଷରେ ଥର୍ମୋକୋଲ ଜୈବ ବିଘଟନଶୀଳ ନୁହେଁ ଏବଂ ଏହାର ପୁନଃ ବ୍ୟବହାର କରିବା ଅତ୍ୟନ୍ତ କଷ୍ଟକର। ଏହା ମାଟି ଓ ଜଳକୁ ବ୍ୟାପକ ଭାବେ ପ୍ରଦୂଷଣ କରିଥାଏ। ଥର୍ମୋକୋଲକୁ ଜଳାଇବା ଦ୍ଵାରା କାର୍ବନ ମନୋଅକ୍ସାଇଡ଼ ଏବଂ ଇରନ୍ ଗ୍ୟାସ ସହିତ ବିଷାକ୍ତ ଧୂଆଁ ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରିଥାଏ ବୋଲି ପରିବେଶବିତ୍ ବାଉରୀବନ୍ଧୁ ବେଜ୍ କହିଛନ୍ତି। ଥର୍ମୋକୋଲ ବଦଳରେ ପରିବେଶକୁ କାଗଜ କିମ୍ବା ଶାଳପତ୍ର ତିଆରି ସାମଗ୍ରୀ ବ୍ୟବହାର କରାଗଲେ ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷିତ ରହିପାରନ୍ତା।
ତୁରନ୍ତ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଥର୍ମୋକୋଲ ପ୍ଲେଟ୍ ଓ ଠୋଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଇବାକୁ ତାଳଚେର ସଚେତନ ନାଗରିକଙ୍କ ପକ୍ଷରୁ ଦାବି କରାଯାଇଛି ।
