ଟିକରପଡ଼ା ପଞ୍ଚାୟତରୁ ଆସିଲା ଚିନ୍ତାଜନକ ଚିତ୍ର:ଚାଉଳ ପାଇଁ ଚାଲୁଛନ୍ତି ୧୫ କିମି

ସରକାରୀ ମାଗଣା ଚାଉଳା ପାଇଁ ଗରିବ ଲୋକଙ୍କୁ ଚାଲିବାକୁ ପଡ଼ୁଛି ୧୫ କିଲୋମିଟରର ନିଘଞ୍ଚ ଜଙ୍ଗଲୀ ରାସ୍ତା। ପୁଣି ଗାଡ଼ି ଭଡ଼ା ବାବଦକୁ ଦେବାକୁ ପଡ଼ୁଛି କେଜି ପ୍ରତି ଏକ ଟଙ୍କା । ଏଭଳି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି ଅନୁଗୋଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତରୁ । ଟିକରପଡ଼ା ପଞ୍ଚାୟତ ସଦର ମହକୁମା ଠାରୁ ମଝିପଡ଼ା ଗ୍ରାମର ଦୂରତା ପ୍ରାୟ ୧୫ କିଲୋମିଟର। ନିଘଞ୍ଚ ଜଙ୍ଗଲ ଭିତରେ ଥିବା ମଝିପଡ଼ା, ଅଁଅଳା ଖଳି, ବେହେରା ସାହି ଏବଂ ଗଇଁଦି ଭଳି ୪ଟି ଗ୍ରାମର ଶତାଧିକ ପରିବାର ଏହି ଟିକରପଡ଼ା ଯୋଗାଣ କେନ୍ଦ୍ର ଉପରେ ହିଁ ନିର୍ଭର କରନ୍ତି। 

ଯୋଗାଣ କେନ୍ଦ୍ର ଠାରୁ ଏହି ଗାଁ ଗୁଡ଼ିକର ଦୂରତା ୮ରୁ ୧୫ କିଲୋମିଟର। ମାଗଣା ଚାଉଳ ପାଇଁ ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଦିନସାରା ଅପେକ୍ଷା କରିବାକୁ ପଡ଼ିଥାଏ। ଜଙ୍ଗଲୀ ରାସ୍ତାରେ ଯାତାୟାତ ପାଇଁ ସେମାନେ ମିଳିତ ଭାବେ ଗାଡ଼ି ଭଡ଼ା କରନ୍ତି। ଆଶ୍ଚର୍ଯ୍ୟର ବିଷୟ, ସେମାନଙ୍କୁ ଚାଉଳ ବୋହିବା ପାଇଁ କେଜି ପ୍ରତି ୧ ଟଙ୍କା ହିସାବରେ ଗାଡ଼ି ଭଡ଼ା ଦେବାକୁ ପଡ଼ିଥାଏ। ଅର୍ଥାତ୍ ମାଗଣା ଚାଉଳ ପାଇଁ ବି ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଯାହାର ଭଡ଼ା ଦେବା ପାଇଁ ଟଙ୍କା ନଥାଏ ସେମାନେ ମୁଣ୍ଡରେ ବୋହି କି ନିଅନ୍ତି।

Leave a Reply