ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଫାଟକ ବିପଜ୍ଜନକ ଭାବେ ରହିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହଜାର ହଜାର ରୋଗୀ ଆସୁଥିବା ବେଳେ ପୁରୁଣା ଫାଟକ ଏବେ ବିପଦରେ ପଡ଼ିଛି। ଫାଟକ ଉପରେ କୋଠା ନିର୍ମାଣ କରାଯାଇ ଦୋକାନ ଘର କରାଯାଇଛି। ଫାଟକ ସହିତ ସେଠାରେ ଥିବା ଦୋକାନ ଘର ମଧ୍ୟ ବିପଜ୍ଜନକ ସ୍ଥିତିରେ ରହିଥିବା ଅଭିଯୋଗ ହୋଇଛି।ତେବେ ଏସମ୍ପର୍କରେ ଅନୁଗୁଳ ସିଡ଼ିଏମଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଜଣା ପଡ଼ିଛି।
ସୁଚନା ମୁତାବକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ଫାଟକ ବହୁ ବର୍ଷ ହେଲା ନିର୍ମିତ ହୋଇଥିଲା।ପରେ ଏହି ଫାଟକ ଉପରେ ପୌରପାଳିକା ପକ୍ଷରୁ ଦୋକାନ ଘର ନିର୍ମିତ ହୋଇଥିଲା।ସେଠାରେ ୮ଟି ଦୋକାନ ଘର ନିର୍ମାଣ କରାଯାଇ ପରବର୍ତ୍ତୀ ସମୟରେ ବଣ୍ଟନ କରାଯାଇଥିଲା। କିନ୍ତୁ ଏହି ପୁରୁଣା ଫାଟକ ଉପରେ ଥିବା ଦୋକାନ ଘରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ସମ୍ପ୍ରସାରଣ କରାଯାଇଥିବା ନେଇ କୁହାଯାଇଛି।
ସେତେବେଳେ କିଏ କେଉଁ ପରିସ୍ଥିତିରେ ଏହା ନିର୍ମାଣ କରିଥିଲା ସେନେଇ ପ୍ରଶ୍ନ ଉଠିଛି। ତେବେ ଫାଟକ ନିକଟରୁ ବିଭିନ୍ନ ସମୟରେ ସିମେଣ୍ଟ ପ୍ଲାଷ୍ଟର ଖସୁଥିବା ଦେଖିବାକୁ ମିଳୁଛି।
ଫଳରେ ରୋଗୀ ଓ ସମ୍ପର୍କୀୟଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି ସେପଟେ ଏହି ଫାଟକଟି ଅତି ସଂକୀର୍ଣ୍ଣ ହୋଇଥିବାରୁ ଏକା ସମୟରେ ଦୁଇଟି ଆମ୍ବୁଲାନ୍ସ ଯିବା ସମ୍ଭବ ହେଉନାହଁ। ତେବେ ଏହି ଫାଟକ ନିକଟରୁ ଜବରଦଖଲ ଉଚ୍ଛେଦ ସହିତ ଚଉଡ଼ା କରିବାକୁ ଅନୁଗୁଳ ସିଡିଏମଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ଚିଠି ଲେଖାଯାଇଥିଲେ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ କୌଣସି ହସ୍ତକ୍ଷେପ ନିଆଯାଇନଥିବା ଜଣା ପଡିଛି।ତେବେ ଆଗାମୀ ଦିନରେ ଏହି ଫାଟକ ଲୋକଙ୍କ ପାଇଁ ବିପଦର କାରଣ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।
