ଆସନ୍ତା ବର୍ଷରୁ ତାଳଚେର ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ

ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପିଜି ପାଠ୍ୟକ୍ରମ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି। ଏ ପ୍ରସ୍ତାବ ଦେଇଛନ୍ତି ମେଡିକାଲ୍ କଲେଜ୍ କର୍ତ୍ତୃପକ୍ଷ। ଖୁବଶୀଘ୍ର ସରକାରଙ୍କ ସହ ଆଲୋଚନା କରି ଆସନ୍ତା ବର୍ଷରୁ ପିଜି ପାଠ୍ୟକ୍ରମ ଆରମ୍ଭ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ତଥା କମିଶନର ଆସ୍ଵିଥି ଏସ୍।

ଅନୁଗୁଳ ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ସଚିବ ଗତକାଲି ନବନିର୍ମିତ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଡ଼ାକ୍ତରଖାନା ପରିଦର୍ଶନ କରିଥିଲେ। ସେଠାରେ ଭିତ୍ତିଭୂମି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଚଳିତବର୍ଷ ଏଠାରେ ୧୦୦ଏମ୍ ବିବିଏସ୍ ଆସନରେ ପଠାପଢା ଆରମ୍ଭ ହୋଇଛି। ଭିତ୍ତିଭୂମି ଥିବାରୁ ଏଠାରେ ପିଜି ଆରମ୍ଭ ନେଇ କୌଣସି ସମସ୍ୟା ନଥିବା ମେଡିକାଲ କଲେଜ କର୍ତୁପକ୍ଷ ଜଣାଇଥିଲେ। ଏ ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଚିବ କହିଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ୍ ହସ୍ପିଟାଲ ବୁଲି ଦେଖିବା ପରେ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ମେଡ଼ିକାଲ କଲେଜ ହସ୍ପିଟାଲ କାର୍ଯ୍ୟକ୍ଷମ ପ୍ରେ ଓପିଡି ଓ ଆଇପିଡିରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଅନୁଗୁଳ ଡ଼ାକ୍ତରଖାନା ପ୍ରତି ଲୋକଙ୍କର ବିଶ୍ଵାସ ବଢ଼ିଛି।

କମ୍ ସମୟ ଭିତରେ ଛୋଟରୁ ନେଇ ବଡ଼ଧରଣର ସର୍ଜରୀ ଆରମ୍ଭ ହୋଇଛି। ଆଗକୁ ଏହି ଡ଼ାକ୍ତରଖାନାରେ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ। ପରେ ସଚିବ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ।

Leave a Reply