ତାଳଚେର ଥାନା ଲିଙ୍ଗରାକଟା ନିକଟରେ ୨ଯୁବକଙ୍କୁ ହତ୍ୟା ଘଟଣା ରହସ୍ୟ ଉନ୍ମୋଚନ କରିଛି ପୁଲିସ। ଚୋରି କରିବାକୁ ଯାଇଥିବା ବେଳେ ସୁରକ୍ଷା କର୍ମୀ ଏମାନଙ୍କୁ ଗୁଳି ମାରିଥିବା ପୁଲିସ କହିଛି। ଏହି ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ବ୍ୟବହାର ହୋଇଥିବା ବନ୍ଧୁକ ମଧ୍ୟ ଜବତ ହୋଇଛି। ଅନୁଗୁଳ ଜିଲ୍ଲା ତାଳଚେର ଥାନା ଲିଙ୍ଗରାକଟା ଗାଁ ନିକଟରୁ ବୁଧବାର ସକାଳେ ଲିଙ୍ଗରାକଟା ଗ୍ରାମର ଦିବ୍ୟରଞ୍ଜନ ପରିଡ଼ା ଓ ବଅଁରପାଳ ଥାନା ଭୋଗବେରଣୀ ପଂଚାୟତ ନାରାୟଣ ଚନ୍ଦ୍ରପୁର ଗାଁ ଜନାର୍ଦ୍ଦନ ନାଏକଙ୍କ ମୃତ ଦେହ ପଡ଼ିଥିଲା।ସେମାନଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।
ଏହି ମାମଲାରେ ଗତକାଲି ୫ଜଣଙ୍କୁ ଗିରଫ କରାଯାଇଥିବା ଅନୁଗୁଳ ଏସପି ରାହୁଲ ଜୈନ ଏକ ସାମ୍ୱାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ସମଲ ଥାନା ବିଲିଣ୍ଡା ଗାଁ ର ଗଣେଶ୍ୱର ସାହୁ,ବଅଁରପାଳ ଥାନା ଲଙ୍ଗୁଲିଆବେଡାର ଅଭିମନ୍ୟୁ ସାହୁ, ଲିଙ୍ଗରାକଟା ଗାଁ ର ପର୍ଶୁରାମ ପରିଡ଼ା, ବିହାରର କିସାନ ମାଂଝୀ ଓ ଅନାଦି ମାଂଝୀ।ସେମାନଙ୍କ ପାଖରୁ ଗୋଟିଏ ୧୨ବୋର୍ ଡବଲ ବ୍ୟାରେଲ୍ ବନ୍ଧୁକ ଦେଖାଇ ଓ ଖାଲି କ୍ୟାଟ୍ରିଜ୍ ଜବତ ହୋଇଛି।
ଏସପିଙ୍କ ସୁଚନା ଅନୁସାରେ ଚାଇଁପାଳ ନିକଟସ୍ଥ ଲିଙ୍ଗରାକଟା ଗାଁ ନିକଟରେ ହେଉଥିବା ଟାୱାର ନିର୍ମାଣ ସ୍ଥାନରେ ୨୩ତାରିଖ ରାତିରେ ଚୋରି ଉଦ୍ୟମ ହୋଇଥିଲା।୧୦ ରୁ ୧୨ଜଣ ଯୁବକ ଟାୱାର ନିର୍ମାଣ ପାଇଁ ଥିବା ଗୋଦାମରେ ପଶି ଚୋରି କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଏମାନଙ୍କୁ ଦେଖିଥିଲେ ସୁରକ୍ଷା କର୍ମୀ।ସେ ଦୁର୍ବୃତ୍ତଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ।ପରେ ବନ୍ଧୁକରୁ ଗୁଳି ବାଜିଥିଲା।କିଛି ବାଟ ଦୌଡ଼ି ଦୌଡ଼ି ଯିବା ପରେ ଉଭୟ ଟଳି ପଡିଥିଲେ। ଅନ୍ୟମାନେ ଫେରାର ହୋଇ ଯାଇଥିଲେ।
ଏନେଇ ପୋଲିସରେ ଅଭିଯୋଗ ହେବାପରେ ପୁଲିସ ୨ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଏସପି ନିଜେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତର ତଦାରଖ କରିଥିଲେ।ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ୫ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି ନା ନାହିଁ ତାହାର ଖୋଳତାଡ ଚାଲିଛି ବୋଲି ପୋଲିସ କହିଛି। ଗିରଫ ୫ଅଭିଯୁକ୍ତ ଏହି ଘୋରୋଇ କମ୍ପାନୀରେ ସୁରକ୍ଷା କର୍ମୀମାନେ କାମ କରୁଥିଲେ। ଏଥିରେ ଜଣେ ଗନ୍ ମ୍ୟାନ ଅଛନ୍ତି। ଘଟଣାର ଅଧିକ ତଦନ୍ତ ଏବେ ବି ଚାଲିଛି ବୋଲି ଏସପି କହିଛନ୍ତି।
