ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଏକ୍ସ-ଗ୍ରେସିଆ ନିୟମ: ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସ୍ଥାୟୀ ଦିବ୍ୟାଙ୍ଗତା ପାଇଁ ମିଳିବ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଦୁର୍ଘଟଣାଜନିତ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନୂଆ ଏକ୍ସ-ଗ୍ରେସିଆ ସହାୟତା ନିୟମ ଜାରି କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩ ତାରିଖରେ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଦିବ୍ୟାଙ୍ଗତା ହେଲେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ।

ଏହି ନୂଆ ବ୍ୟବସ୍ଥା ସିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମଡେଲ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସୁବିଧା ପାଇପାରିବେ। ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣା ପରେ ପରିବାର ଉପରେ ପଡୁଥିବା ଆର୍ଥିକ ଚାପକୁ କିଛି ମାତ୍ରାରେ କମାଇବା।

ନୂଆ ନିୟମ ଅନୁଯାୟୀ, ସ୍କୁଲ ପରିସରରେ, ସ୍କୁଲକୁ ଯିବା କିମ୍ବା ସ୍କୁଲରୁ ଫେରିବା ସମୟରେ ଏବଂ ସ୍କୁଲ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଘଟୁଥିବା ଦୁର୍ଘଟଣାକୁ ଏହି ସହାୟତା ବ୍ୟବସ୍ଥାରେ ସାମିଲ କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରକୁ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରେସିଆ ମିଳିବ। ସେହିପରି ଦୁର୍ଘଟଣା ଯୋଗୁଁ ଛାତ୍ରଛାତ୍ରୀ ସ୍ଥାୟୀ ଦିବ୍ୟାଙ୍ଗତାର ଶିକାର ହେଲେ ମଧ୍ୟ ୨ ଲକ୍ଷ ଟଙ୍କାର ସହାୟତା ମିଳିବ।

କେବଳ ମୃତ୍ୟୁ କିମ୍ବା ସ୍ଥାୟୀ ଦିବ୍ୟାଙ୍ଗତା ନୁହେଁ, ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ନୂଆ ନିୟମରେ ସହାୟତା ବ୍ୟବସ୍ଥା କରାଯାଇଛି। ଯଦି ଦୁର୍ଘଟଣା ପରେ ଉନ୍ନତ ଚିକିତ୍ସା ପାଇଁ ଛାତ୍ରଙ୍କୁ ନିଜ ଜିଲ୍ଲା ବାହାରକୁ ସ୍ଥାନାନ୍ତର କରିବା ଆବଶ୍ୟକ ହୁଏ, ତେବେ ପରିବହନ ବାବଦରେ ସର୍ବାଧିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଏହା ଛାତ୍ର ଓ ପରିବାରକୁ ଜରୁରୀ ସମୟରେ ଆର୍ଥିକ ଭାବେ ଆଶ୍ୱସ୍ତ କରିବ।

ସେହିପରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପରିବହନ ଖର୍ଚ୍ଚ ପାଇଁ ସର୍ବାଧିକ ୧୦ ହଜାର ଟଙ୍କା ମିଳିବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସାର ସୁବିଧା ମଧ୍ୟ ମିଳିବ। ଏହା ସହିତ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ରେଡକ୍ରସ୍‌ ଭଳି ଉପଲବ୍ଧ ଯୋଜନାରୁ ମଧ୍ୟ ଆବଶ୍ୟକତା ଅନୁସାରେ ସହାୟତା ନିଆଯାଇପାରିବ।

ଏହି ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ବ ନହେବା ଉପରେ ମଧ୍ୟ ବିଭାଗ ଗୁରୁତ୍ୱ ଦେଇଛି। ହେଡମାଷ୍ଟର କିମ୍ବା ପ୍ରିନ୍ସିପାଲ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ସ୍ତରରେ ଆବଶ୍ୟକ ଅନୁମୋଦନ ପରେ ଅର୍ଥ ମଞ୍ଜୁର ହେବ। ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ମଞ୍ଜୁର ରାଶି ଜାରି କରିବାକୁ ପ୍ରାଥମିକତା ଦିଆଯିବ।

ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହେଲେ ଏକ୍ସ-ଗ୍ରେସିଆ ରାଶି ପାଇବାରେ ମା’ଙ୍କୁ ପ୍ରଥମ ଅଧିକାର ଦିଆଯିବ। ମା’ ଜୀବିତ ନଥିଲେ ବାପା ଏହି ସହାୟତା ପାଇବେ। ଯଦି ଉଭୟ ଅଭିଭାବକ ଜୀବିତ ନଥାନ୍ତି, ତେବେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ଏହି ରାଶି ପ୍ରଦାନ କରାଯିବ।

ସରକାରଙ୍କ ଏହି ନୂଆ ପଦକ୍ଷେପ ଦୁର୍ଘଟଣାର ଶିକାର ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ସହିତ ସଙ୍କଟ ସମୟରେ ଶିକ୍ଷା ଜାରି ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave a Reply