ତାଳଚେରେ ଟ୍ରେନକୁ ବି ଛାଡ଼ୁ ନାହାନ୍ତି ମାଫିଆ

ତାଳଚେର କୋଇଲା ଖଣି ଅଞ୍ଚଳରେ କୋଇଲା ଚୋରି ଖବର ନିତିଦିନିଆ ପାଲଟିଥିବା ବେଳେ ଏବେ କିଛି ମାଫିଆ ଡିଜେଲ ଉପରେ ନଜର ପକାଇଛନ୍ତି।ଖଣି ଭିତରେ ଥିବା ଟ୍ରକ୍ ସହିତ ଟ୍ରେନରୁ ଡିଜେଲ ଚୋରି କରୁଛନ୍ତି। ମାଫିଆମାନେ କୋଇଲା ପରିବହନ କରୁଥିବା ଟ୍ରେନ ଉପରେ ନଜର ପକାଇଛନ୍ତି। ଟ୍ରେନକୁ ରାସ୍ତାରେ ଅଟକାଇ ସେଥିରୁ ଡିଜେଲ ଚୋରୀ କରୁଥିବା ଜଣାପଡ଼ିଛି।ଏନେଇ କଣିହାଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ତାଳଚେର ଥାନାରେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।ହେଲେ ପୁଲିସ୍ ସେପରି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଗତ ମାସରେ ପ୍ରାୟ ୭ଶହ ଲିଟର ଡିଜେଲ ଜବତ ହୋଇଥିବାବେଳେ ୨ଜଣଙ୍କୁ ଗିରଫ କରାଯାଇଥିଲା।ହେଲେ ଏହି ଗ୍ୟାଙ୍ଗରେ ସଂପୃକ୍ତ ପ୍ରାୟ ୧୦ରୁ ୧୫ଜଣଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି।

ମାଫିଆମାନେ ଟ୍ରେନରୁ କୋଇଲା ଚୋରି କରିବା ସହ ଗତ କିଛିଦିନ ହେଲା ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ଡିଜେଲ ଚୋରି ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଖଣିରୁ ଡିଜେଲ ଚୋରି ରୋକିବା ପାଇଁ ସୁରକ୍ଷା କର୍ମଚାରୀଙ୍କ ସହିତ ଠିକା ସଂସ୍ଥା ଏସ୍ ଆଇଏସ୍ ସୁରକ୍ଷା କର୍ମଚାରୀ ରହିଛନ୍ତି।

ଏହା ବ୍ୟତୀତ ଓଆଇଏସ୍ଏଫ ସୁରକ୍ଷା କର୍ମଚାରୀ ମଧ୍ୟ ଜଗି ରହିଛନ୍ତି। ଏତେ ସୁରକ୍ଷା ବଳୟ ମଧ୍ୟରେ ଡିଜେଲ ମାଫିଆମାନେ ଖଣି ଭିତରୁ ଡିଜେଲ କିପରି ଚୋରି କରୁଛନ୍ତି ତାହାକୁ ନେଇ ଖଣି କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଖଣି କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି।

Leave a Reply