ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲେ ଭାରତୀୟ କୂଟନୀତିଜ୍ଞ ମୈଥିଲୀ ଆର୍‌! ଜାଣନ୍ତୁ କିଏ ସେ?

ଜାତିସଂଘରେ ପାକିସ୍ତାନକୁ ନିଜର ଯୁକ୍ତି ମାଧ୍ୟମରେ କଡ଼ା ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ କୂଟନୀତିଜ୍ଞ ଆର୍‌. ମୈଥିଲୀ। ଆଇନର ଶାସନ, ମାନବାଧିକାର, ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ଗଣମାଧ୍ୟମର ସ୍ୱାଧୀନତା ପ୍ରସଙ୍ଗରେ ସେ ପାକିସ୍ତାନର ଆଭିମୁଖ୍ୟକୁ ପ୍ରଶ୍ନ କରିଛନ୍ତି। ଜାତିସଂଘ ମହାସଭାର ଷଷ୍ଠ କମିଟିରେ ଆଇନର ଶାସନ ସମ୍ପର୍କିତ ଆଲୋଚନା ସମୟରେ ଭାରତ ପକ୍ଷରୁ ନିଜ ମତ ରଖି ମୈଥିଲୀ କହିଥିଲେ ଯେ ଅନ୍ୟ ଦେଶକୁ ଆଇନର ଶାସନ ଉପରେ ଉପଦେଶ ଦେବା ପୂର୍ବରୁ ପାକିସ୍ତାନ ନିଜ ଦେଶର ସ୍ଥିତି ଉପରେ ନଜର ପକାଇବା ଉଚିତ।

କିଏ ଏହିଆର୍‌. ମୈଥିଲୀ?

ଆର୍‌. ମୈଥିଲୀ ଜାତିସଂଘରେ ଭାରତର ସ୍ଥାୟୀ ମିଶନରେ କାଉନ୍‌ସେଲର୍‌ ଭାବେ କାର୍ଯ୍ୟରତ ଜଣେ ଭାରତୀୟ କୂଟନୀତିଜ୍ଞ। ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପକ୍ଷ ରଖିବା ଏବଂ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଦେଶର ମତ ଉପସ୍ଥାପନ କରିବା ତାଙ୍କ ଦାୟିତ୍ୱର ଅଂଶ।

ଜାତିସଂଘରେ ଭାରତର ପ୍ରତିନିଧି ଭାବେ ସେ ଆଇନର ଶାସନ, ନ୍ୟାୟ ବ୍ୟବସ୍ଥା ଓ ମାନବାଧିକାର ଭଳି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ନିକଟରେ ପାକିସ୍ତାନର ମନ୍ତବ୍ୟର ଉତ୍ତର ଦେଇ ତାଙ୍କର ଦୃଢ଼ ଯୁକ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ପାକିସ୍ତାନକୁ କାହିଁକି ଘେରିଲା ଭାରତ?

ଜାତିସଂଘ ମହାସଭାର ଷଷ୍ଠ କମିଟିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଇନର ଶାସନ ସମ୍ପର୍କିତ ଆଲୋଚନା ସମୟରେ ପାକିସ୍ତାନ ଭାରତ ବିରୋଧରେ ମନ୍ତବ୍ୟ ଦେଇଥିଲା। ଏହାର ଜବାବରେ ଭାରତ ନିଜର ‘ରାଇଟ୍‌ ଅଫ୍‌ ରିପ୍ଲାଏ’ ଅଧିକାର ବ୍ୟବହାର କରିଥିଲା।

ମୈଥିଲୀ ପାକିସ୍ତାନର ନ୍ୟାୟ ବ୍ୟବସ୍ଥାର ସ୍ୱାଧୀନତା, ରାଜନୈତିକ ବିରୋଧୀଙ୍କ ସ୍ଥିତି ଓ ସାମରିକ ଅଦାଲତରେ ସାଧାରଣ ନାଗରିକଙ୍କ ବିଚାର ପ୍ରସଙ୍ଗ ଉଠାଇଥିଲେ। ତାଙ୍କ ମତରେ, ଯେଉଁ ଦେଶରେ ସାମରିକ ପ୍ରଭାବ ଆଇନ ଓ ନ୍ୟାୟ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଅଭିଯୋଗ ରହିଛି, ସେହି ଦେଶ ଅନ୍ୟମାନଙ୍କୁ ଆଇନର ଶାସନ ଉପରେ ଉପଦେଶ ଦେବା ଉଚିତ ନୁହେଁ।

ସେ ପାକିସ୍ତାନର ସାମରିକ ପ୍ରଭାବକୁ ନେଇ କହିଥିଲେ, ଜାତିସଂଘରେ ପାକିସ୍ତାନ ଆଇନର ଶାସନ କଥା କହୁଥିବା ବେଳେ ନିଜ ଦେଶରେ ସେନାର ପ୍ରଭାବ ଉପରେ ଗୁରୁତର ପ୍ରଶ୍ନ ରହିଛି।

ସଂଖ୍ୟାଲଘୁ ଓ ଗଣମାଧ୍ୟମର ସ୍ୱାଧୀନତା ପ୍ରସଙ୍ଗ

ମୈଥିଲୀ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଅଧିକାର ଓ ସାମ୍ବାଦିକତାର ସ୍ୱାଧୀନତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ସ୍ଥିତିକୁ ନେଇ ପାକିସ୍ତାନର ଅଭିଯୋଗ ନିଜ ଦେଶର ସମସ୍ୟାରୁ ଧ୍ୟାନ ହଟାଇବାର ଏକ ପ୍ରୟାସ।

ବିଦେଶୀ ଗଣମାଧ୍ୟମର କାର୍ଯ୍ୟକଳାପ ଉପରେ ପାକିସ୍ତାନର ନିୟମକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଏହା ଗଣମାଧ୍ୟମର ସ୍ୱାଧୀନତା ଓ ଲୋକଙ୍କ ସୂଚନା ପାଇବା ଅଧିକାର ଉପରେ ପ୍ରଭାବ ପକାଇପାରେ ବୋଲି ଭାରତ ପକ୍ଷରୁ ଯୁକ୍ତି ରଖାଯାଇଥିଲା।

ଅପରେ ସନ୍ସିନ୍ଦୂରକୁ ନେଇ ଭାରତର ପକ୍ଷ

ମୈଥିଲୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ଅପରେସନ୍ ସିନ୍ଦୂରକୁ ମଧ୍ୟ ଉଲ୍ଲେଖ କରିଥିଲେ। ଭାରତର ମତରେ, ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀ ଆକ୍ରମଣର ଜବାବରେ ଏକ ସୀମିତ, ଅନୁପାତିକ ଓ ଲକ୍ଷ୍ୟଭିତ୍ତିକ ପ୍ରତିକ୍ରିୟା ଥିଲା। ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ବାରମ୍ବାର ଅଭିଯୋଗ ଆଣିଲେ ନିଜ ଦେଶର ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

Leave a Reply