ଓଡ଼ିଶାରେ ମହଙ୍ଗା ହେଲା ଅତ୍ୟାବଶ୍ୟକ ସାମଗ୍ରୀ: ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଓଡ଼ିଶାରେ ଗତ କିଛି ଦିନ ହେବ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦରରେ ବୃଦ୍ଧି ଘଟିଛି। ଚିନିଠାରୁ ଆରମ୍ଭ କରି ପିଆଜ, ଟମାଟୋ, ଅଦା, ରସୁଣ ଓ ଅନ୍ୟାନ୍ୟ ପରିବାର ଦାମ ବଢ଼ିଥିବାରୁ ଖାଉଟିଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। ବର୍ଷା ଓ ଯୋଗାଣ ସମସ୍ୟାକୁ ଦରବୃଦ୍ଧିର ପ୍ରମୁଖ କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି।

ସୂଚନା ଅନୁସାରେ, ଚିନି ଦରରେ ସବୁଠାରୁ ଅଧିକ ବୃଦ୍ଧି ଦେଖାଯାଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଚିନି କିଲୋପ୍ରତି ପ୍ରାୟ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହାର ଖୁଚୁରା ଦର ୬୫ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଅଳ୍ପ ସମୟ ମଧ୍ୟରେ କିଲୋପ୍ରତି ପ୍ରାୟ ୧୦ ଟଙ୍କା ବୃଦ୍ଧି ହୋଇଛି। ବ୍ୟବସାୟୀଙ୍କ ମତରେ ଇଥାନଲ ଉତ୍ପାଦନ ପାଇଁ ଆଖୁର ବ୍ୟବହାର ବଢ଼ିବା ମଧ୍ୟ ଚିନି ଯୋଗାଣ ଓ ଦର ଉପରେ ପ୍ରଭାବ ପକାଇଛି। ଓଡ଼ିଶାକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ଚିନି ଯୋଗାଣ ହୋଇଥାଏ।

ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା ଅନୁସାରେ, ପ୍ରାୟ ଦେଢ଼ ମାସ ପୂର୍ବରୁ ଚିନିର ହୋଲସେଲ୍ ଦର କ୍ୱିଣ୍ଟାଲ ପିଛା ପ୍ରାୟ ୪,୧୦୦ ଟଙ୍କା ଥିଲା। ଏବେ ଏହା ବଢ଼ି ପ୍ରାୟ ୬,୧୦୦ ଟଙ୍କାରେ ପହଞ୍ଚିଛି। ଗତ କିଛି ମାସ ଧରି ଚିନି ଦର ଲଗାତାର ବଢ଼ୁଥିବା ନେଇ ବ୍ୟବସାୟୀମାନେ ଚିନ୍ତା ପ୍ରକାଶ କରିଛନ୍ତି।

କେବଳ ଚିନି ନୁହେଁ, ପନିପରିବା ଦର ମଧ୍ୟ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ପିଆଜ ଦର କିଲୋପ୍ରତି ପ୍ରାୟ ୪୦ ଟଙ୍କାରୁ ବଢ଼ି ୫୦ ଟଙ୍କା ହୋଇଛି। ଟମାଟୋ କିଲୋପ୍ରତି ପ୍ରାୟ ୮୦ ଟଙ୍କାରେ ବିକ୍ରି ହେଉଛି। ବନ୍ଧାକୋବି ୩୦ ଟଙ୍କା, ଗାଜର ୫୦ ଟଙ୍କା, କଲକାତା ପୋଟଳ ୫୦ ଟଙ୍କା ଏବଂ କଲରା ୫୦ରୁ ୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ବାଇଗଣ ଦର ମଧ୍ୟ ୫୦ରୁ ୬୦ ଟଙ୍କା ରହିଛି।

ଏହା ସହିତ ଜହ୍ନି କିଲୋପ୍ରତି ପ୍ରାୟ ୮୦ ଟଙ୍କାରେ ପହଞ୍ଚିଥିବା ବେଳେ କାଙ୍କଡ଼ ଓ ଅଦାର ଦର ପ୍ରାୟ ୨୦୦ ଟଙ୍କା ରହିଛି। ରସୁଣ କିଲୋପ୍ରତି ପ୍ରାୟ ୨୪୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ପପିତା ୨୦ ଟଙ୍କାରୁ ବଢ଼ି ୨୫ ଟଙ୍କା ଏବଂ ଆଳୁ ୨୦ ଟଙ୍କାରୁ ବଢ଼ି ୨୨ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି। ଓଡ଼ିଶା ବାହାରୁ ଆସୁଥିବା ବିନ୍ସ ପ୍ରାୟ ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କୋରାପୁଟ ବିନ୍ସର ଦର ୮୦ରୁ ୧୦୦ ଟଙ୍କା ରହିଛି।

ରନ୍ଧନ ତେଲର ଦର ମଧ୍ୟ ବଢ଼ିଛି। ରିଫାଇନ୍ଡ ଖାଇବା ତେଲ ଲିଟର ପିଛା ପ୍ରାୟ ୧୮୦ ଟଙ୍କା ରହିଥିବା ବେଳେ ସୋରିଷ ତେଲ ୨୦୦ରୁ ୨୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ବ୍ୟବସାୟୀଙ୍କ ଅନୁସାରେ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ତେଲ ଓ ଚିନି ଦର କିଲୋ କିମ୍ବା ଲିଟର ପିଛା ପ୍ରାୟ ୧୦ ଟଙ୍କା ବଢ଼ିଛି। ଜିରା ଦର ମଧ୍ୟ ପ୍ରାୟ ୨୦ ଟଙ୍କା ବଢ଼ି କିଲୋପ୍ରତି ୨୯୦ ଟଙ୍କା ହୋଇଛି।

ଭୁବନେଶ୍ୱର ୟୁନିଟ୍-୧ ପରିବା ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ୱାଇଁଙ୍କ କହିବା ଅନୁସାରେ, ନାସିକରେ ବର୍ଷା ଯୋଗୁଁ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ପିଆଜ ଦର ବଢ଼ିଛି ଏବଂ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଅନ୍ୟ ପନିପରିବାର ଦର ବୃଦ୍ଧି ପଛରେ ମଧ୍ୟ ବର୍ଷା ଓ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ରହିଥିବା ବ୍ୟବସାୟୀମାନେ କହିଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀର ଏହି ଦରବୃଦ୍ଧି ଫଳରେ ସାଧାରଣ ପରିବାରର ମାସିକ ଖର୍ଚ୍ଚ ବଢ଼ିଯାଇଛି। ରୋଷେଇ ଘରର ଦୈନନ୍ଦିନ ସାମଗ୍ରୀ ମହଙ୍ଗା ହେବାରୁ ଖାଉଟିମାନେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେଲେ ପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦରରେ କିଛିଟା ସ୍ଥିରତା ଆସିବ ବୋଲି ଆଶା କରାଯାଉଛି।

Leave a Reply