ତ୍ରୁଟି ସୁଧାର ପରେ ଓଡ଼ିଶାରେ ବଣ୍ଟନ ଆରମ୍ଭ ହେଲା ସଂଶୋଧିତ ସ୍କୁଲ ପାଠ୍ୟପୁସ୍ତକ

ଭୁବନେଶ୍ୱର: ନୂଆ ପାଠ୍ୟପୁସ୍ତକରେ ବିଭିନ୍ନ ତ୍ରୁଟି ଚିହ୍ନଟ ହେବା ପରେ ଓଡ଼ିଶା ସରକାର ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ଏନେଇ ସୂଚନା ଦିଆଯାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯାଉଛି।

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନଗୁଡ଼ିକରେ ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାଗୁଡ଼ିକୁ ମଧ୍ୟ ଏହି ପୁସ୍ତକ ପଠାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ହାତରେ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପହଞ୍ଚାଇବା।

ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ଅନୁଯାୟୀ ପ୍ରସ୍ତୁତ ପୁସ୍ତକରେ ଅନେକ ତଥ୍ୟଗତ, ବ୍ୟାକରଣଗତ ଓ ମୁଦ୍ରଣଗତ ତ୍ରୁଟି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାକୁ ନେଇ ଶିକ୍ଷକ, ଅଭିଭାବକ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା। ତ୍ରୁଟି ସୁଧାର ପାଇଁ ପୂର୍ବରୁ ଶିକ୍ଷକମାନଙ୍କୁ କରିଜେଣ୍ଡମ୍‌ ମାଧ୍ୟମରେ ସୂଚନା ଦିଆଯାଇଥିଲା। ପରେ ସଂଶୋଧିତ ପୁସ୍ତକ ବଣ୍ଟନ କରିବା ନେଇ ସରକାର ପଦକ୍ଷେପ ନେଇଛନ୍ତି।

ଏହି ପ୍ରସଙ୍ଗକୁ ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଚାଲିଥିବା ସତ୍ୟାଗ୍ରହ ମଧ୍ୟ ଜାରି ରହିଛି। ସଂଗଠନ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଉଛି। ପାଠ୍ୟପୁସ୍ତକରେ ଏତେ ସଂଖ୍ୟକ ତ୍ରୁଟି କିପରି ରହିଗଲା ଏବଂ ଏଥିପାଇଁ କାହାର ଦାୟିତ୍ୱ ରହିଛି, ତାହା ସ୍ପଷ୍ଟ କରିବାକୁ ସଂଗଠନ ଦାବି କରିଛି।

ଏହି ଆନ୍ଦୋଳନକୁ ‘କକ୍‌ରୋଚ୍ ଜନତା ପାର୍ଟି’ (CJP) ମଧ୍ୟ ସମର୍ଥନ ଜଣାଇଛି। ଦଳର ସହ-ସଂଯୋଜକ ତଥା ମୁଖପାତ୍ର ସୌରଭ ଦାସ ସୋମବାର ଛାତ୍ର ସଂଗଠନର ସତ୍ୟାଗ୍ରହରେ ସାମିଲ ହୋଇ ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ଦାବି କରିଥିଲେ। ଏହାସହ ସେ ଖୋର୍ଦ୍ଧା ଜିଲ୍ଲାର କିଛି ସ୍କୁଲ ପରିଦର୍ଶନ କରି ‘ସ୍କୁଲ ଠିକ୍ କରୋ’ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ, ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଏବଂ NYCS ନେତା ମନୱାର ଅଲୀ କହିଛନ୍ତି ଯେ ସରକାର ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ନକଲେ ସତ୍ୟାଗ୍ରହକୁ ଆହୁରି ତୀବ୍ର କରାଯିବ। ଅକ୍ଷୟ କୁମାର ବିଧାନସଭା ଘେରାଉ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି।

ପୂର୍ବରୁ ତ୍ରୁଟିଗୁଡ଼ିକର ତଦନ୍ତ ପାଇଁ ସରକାର ତିନିଜଣିଆ କମିଟି ଗଠନ କରିଥିଲେ। ପାଠ୍ୟପୁସ୍ତକ ପ୍ରସ୍ତୁତିର କେଉଁ ପର୍ଯ୍ୟାୟରେ ତ୍ରୁଟି ଘଟିଲା ଏବଂ ଏଥିପାଇଁ କାହାର ଦାୟିତ୍ୱ ରହିଛି, ତାହା ଚିହ୍ନଟ କରିବା କମିଟିର ଉଦ୍ଦେଶ୍ୟ ଥିଲା। ଏବେ ସଂଶୋଧିତ ପୁସ୍ତକ ବଣ୍ଟନ ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀମାନେ ସୁଧାରିତ ବିଷୟବସ୍ତୁ ସହ ପାଠପଢ଼ିବାର ସୁଯୋଗ ପାଇବେ।

ସରକାରଙ୍କ ଏହି ପଦକ୍ଷେପ ସତ୍ତ୍ୱେ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଦାୟିତ୍ୱ ନିର୍ଦ୍ଧାରଣର ଦାବି ଜାରି ରହିଛି। ତେଣୁ ଆଗାମୀ ଦିନରେ ସଂଶୋଧିତ ପୁସ୍ତକ ବଣ୍ଟନ ସହ ଏହି ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ମଧ୍ୟ ନଜର ରହିବ।

Leave a Reply