ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ, ମହିଳା ଓ ଉଦ୍ୟୋଗୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ସ୍ୱାଧୀନତା ଦିବସ ଅବସରରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସରକାରୀ ଯୋଜନାର ହିତାଧିକାରୀ ଏବଂ ସ୍ଥାନୀୟ ଯୁବ ଉଦ୍ୟୋଗୀଙ୍କ ସହ ସେ ସିଧାସଳଖ ଭାବବିନିମୟ କରିଥିଲେ।

ବାରକୋଟ ବ୍ଲକର ଝରବାହାଳ ଏସ୍‌ଏସ୍‌ଡି ହାଇସ୍କୁଲ ପରିସରରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ପୌଡ଼ି ଭୂୟାଁ, ମୁଣ୍ଡା ଓ ଅନ୍ୟ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସ୍ୱପ୍ନ, ଉଚ୍ଚଶିକ୍ଷା ଓ ଆକାଂକ୍ଷା ବିଷୟରେ ସେ ପଚାରି ବୁଝିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଦେବଗଡ଼ର ଶିକ୍ଷା ଓ ବିକାଶ କ୍ଷେତ୍ରରେ ସାର୍ ବାସୁଦେବ ସୁଢ଼ଳ ଦେବ ଓ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଅବଦାନକୁ ସ୍ମରଣ କରିଥିଲେ। ସେହିପରି ବୀର ସୁରେନ୍ଦ୍ର ସାଏ, ଭଗବାନ ବିର୍ସା ମୁଣ୍ଡା, ଜୟୀ ରାଜଗୁରୁ, ଲକ୍ଷ୍ମଣ ନାୟକ, ବକ୍ସି ଜଗବନ୍ଧୁ ଓ ଶହୀଦ ବାଜି ରାଉତଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସେ ମନେ ପକାଇଥିଲେ। ଏହି ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ନୂଆ ପିଢ଼ିକୁ ଆଗକୁ ବଢ଼ିବାରେ ପ୍ରେରଣା ଦେବ ବୋଲି ସେ କହିଥିଲେ।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣରେ ଓଡ଼ିଶାର ଜନଜାତି ଅଞ୍ଚଳରୁ ବାହାରୁଥିବା ପ୍ରତିଭାବାନ ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେବେ। ଏଥିପାଇଁ ଜନଜାତି ଶିକ୍ଷା ଓ ପ୍ରତିଭା ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ଗସ୍ତ ସମୟରେ ବାରକୋଟ ବ୍ଲକ ଗୋଳାବନ୍ଧଠାରେ ଧର୍ମେନ୍ଦ୍ର ପ୍ରଧାନ ଗ୍ରାମ ପଞ୍ଚାୟତ ସୁଭଦ୍ରା ଶକ୍ତି କେନ୍ଦ୍ର’ ଉଦ୍‌ଘାଟନ କରିଥିଲେ। ସେଠାରେ ମିଶନ ଶକ୍ତିର ମହିଳା, ‘ଲକ୍ଷପତି ଦିଦି’, ସୁଭଦ୍ରା ଯୋଜନାର ହିତାଧିକାରୀ, ପିଡିଏସ୍‌ ଓ ସାମାଜିକ ଭତ୍ତା ପାଉଥିବା ଲୋକଙ୍କ ସହ ଆଲୋଚନା କରି ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ଠିକ୍ ଭାବେ ପହଞ୍ଚୁଛି କି ନାହିଁ ପଚାରି ବୁଝିଥିଲେ।

ପରେ ସେ କେଟେଇସାହିର ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ, ଅଭିଭାବକ ଓ ଅଙ୍ଗନୱାଡ଼ି କର୍ମଚାରୀଙ୍କ ସହ କଥା ହୋଇଥିଲେ। ଜନଜାତି ଶିଶୁମାନଙ୍କ ପୋଷଣ, ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସରକାର ଗୁରୁତ୍ୱ ଦେଉଥିବା ସେ କହିଥିଲେ। କୌଣସି ଶିଶୁ ଯେପରି ବିକାଶର ସୁଯୋଗରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ।

ଏହାସହ ଠିଆନାଳ ସିଆରିହୁଳି ଗ୍ରାମରେ ‘ପିଏମ୍ ଜନମନ୍’ ଯୋଜନାର ହିତାଧିକାରୀ ବୁଦ୍ଧେଇ ପ୍ରଧାନଙ୍କୁ ଭେଟି ସେ ଯୋଜନାରୁ ମିଳୁଥିବା ସୁବିଧା ବିଷୟରେ ଜାଣିଥିଲେ। ଗୁରୁସଙ୍ଗଠାରେ ବାଉଁଶ ଶିଳ୍ପ ତାଲିମ ନେଉଥିବା ମିଶନ ଶକ୍ତି ଏସ୍‌ଏଚ୍‌ଜିର ମହିଳାମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ସେମାନଙ୍କ ଦ୍ୱାରା ତିଆରି ବାଉଁଶ ସାମଗ୍ରୀକୁ ବଡ଼ ବଜାର ସହ ଯୋଡ଼ିବା ଓ ଉଚିତ ମୂଲ୍ୟ ଦେବା ନେଇ ଆଲୋଚନା ହୋଇଥିଲା।

ଗୋପାଳପାଲିଠାରେ ଯୁବ ଉଦ୍ୟୋଗୀ ସତ୍ୟବ୍ରତ ଜିତ୍‌ଙ୍କ ଦ୍ୱାରା ସ୍ଥାପିତ ଟ୍ରାନ୍ସଫର୍ମର ଉତ୍ପାଦନ ୟୁନିଟ୍ ସାଇ ଇଲେକ୍ଟ୍ରୋଟେକ୍’ ଏବଂ ‘ପ୍ରତୀକ୍ଷା ଡାଏରୀ’ ପରିଦର୍ଶନ କରିଥିଲେ। ସ୍ଥାନୀୟ ଯୁବକ ଓ ମହିଳାଙ୍କୁ ରୋଜଗାର ଦେବା ସହ ଅଞ୍ଚଳର ଅର୍ଥନୀତିକୁ ମଜବୁତ କରିବା ଦିଗରେ ଏଭଳି ଉଦ୍ୟମ ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।

ସମଗ୍ର ଗସ୍ତରେ ଜନଜାତି ଶିକ୍ଷା, ମହିଳା ସଶକ୍ତିକରଣ, ସରକାରୀ ଯୋଜନାର ସୁଫଳ, ଶିଶୁଙ୍କ ପୋଷଣ ଓ ସ୍ଥାନୀୟ ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ତୃଣମୂଳ ସ୍ତରର ଲୋକଙ୍କ ସହ ସିଧାସଳଖ ଆଲୋଚନା ମାଧ୍ୟମରେ ସେମାନଙ୍କ ସମସ୍ୟା ଓ ଆଶା ବୁଝିବାକୁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

Leave a Reply