ଗୋଟିଏ ରାଜ୍ୟରେ କୌଣସି ଜାତିକୁ ଅନୁସୂଚିତ ଜାତି (SC) କିମ୍ବା ଅନୁସୂଚିତ ଜନଜାତି (ST) ଭାବେ ମାନ୍ୟତା ମିଳିଥିଲେ, ଅନ୍ୟ ରାଜ୍ୟରେ ମଧ୍ୟ ସେହି ମାନ୍ୟତା ସ୍ୱତଃସ୍ପୃତ ଭାବେ ଲାଗୁ ହେବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି ଝାଡ଼ଖଣ୍ଡର ଜଣେ ବାସିନ୍ଦାଙ୍କ ଜମି ବିକ୍ରି ସମ୍ପର୍କିତ ଦଲିଲ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପୂର୍ବ ନିର୍ଦ୍ଦେଶକୁ ମଧ୍ୟ ରଦ୍ଦ କରିଛନ୍ତି।
କ’ଣ ଥିଲା ପୂରା ମାମଲା?
ମାମଲାଟି ଝାଡ଼ଖଣ୍ଡର ବାସିନ୍ଦା ବିନୟ କୃଷ୍ଣ ଦାସଙ୍କ ସହ ଜଡ଼ିତ। ସେ ବ୍ୟବସାୟ କାରଣରୁ ବାରିପଦାରେ ରହୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ତହସିଲ ଅନ୍ତର୍ଗତ ଗଙ୍ଗରାଜ ଗ୍ରାମରେ ତାଙ୍କର ୦.୧୪ ଏକର ଜମି ରହିଥିଲା। ଏହି ଜମି ତାଙ୍କ ନାମରେ ସରକାରୀ ଜମି ରେକର୍ଡରେ ମଧ୍ୟ ଦର୍ଜ ଥିଲା।
ବିନୟ କୃଷ୍ଣ ଦାସ ଭୁଇଁୟା ଜାତିର। ଝାଡ଼ଖଣ୍ଡରେ ଏହି ଜାତିକୁ ଅନୁସୂଚିତ ଜାତି ଭାବେ ମାନ୍ୟତା ମିଳିଥିବାବେଳେ ଓଡ଼ିଶାରେ ଏହା ଅନୁସୂଚିତ ଜନଜାତି ତାଲିକାରେ ରହିଛି। ନିଜର ଚିକିତ୍ସା ଖର୍ଚ୍ଚ ଭରଣା କରିବା ଏବଂ ଧାର ନେଇଥିବା ଟଙ୍କା ପରିଶୋଧ କରିବା ପାଇଁ ସେ ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ।
ଏଥିପାଇଁ ସେ ଅନୁସୂଚିତ ଜାତିର ମାନସ ରଞ୍ଜନ ସେଠୀଙ୍କ ସହ ଚୁକ୍ତି କରିଥିଲେ। ଜମି ବାବଦରେ ୧୦ ଲକ୍ଷ ଟଙ୍କା ନେବା ସହ କ୍ରେତାଙ୍କୁ ଜମିର ଦଖଲ ମଧ୍ୟ ଦେଇଥିଲେ। ମାର୍ଚ୍ଚ ୧୭ ତାରିଖରେ ବିକ୍ରି ଦଲିଲ ପ୍ରସ୍ତୁତ କରି ଆବଶ୍ୟକ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ଦାଖଲ କରିଥିଲେ। ହେଲେ ସବ୍-ରେଜିଷ୍ଟ୍ରାର ଦଲିଲ ପଞ୍ଜୀକରଣ କରିବାକୁ ମନା କରିଥିଲେ।
ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ
ପରେ ବିନୟ କୃଷ୍ଣ ଦାସ ଜିଲ୍ଲା ରେଜିଷ୍ଟ୍ରାର ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ। ଏପ୍ରିଲ ୨୩ ତାରିଖରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ, ଓଡ଼ିଶାରେ ଭୁଇଁୟା ଜାତି ଅନୁସୂଚିତ ଜନଜାତି ତାଲିକାରେ ଥିବାରୁ ଜମି ବିକ୍ରି କରିବା ପୂର୍ବରୁ ୧୯୫୬ ମସିହାର ନିୟମ ଅନୁଯାୟୀ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ।
ଏହି ନିଷ୍ପତ୍ତିକୁ ଦାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଝାଡ଼ଖଣ୍ଡରେ ତାଙ୍କ ଜାତିକୁ ଅନୁସୂଚିତ ଜାତି ଭାବେ ମାନ୍ୟତା ମିଳିଥିବାରୁ ଓଡ଼ିଶାରେ ତାଙ୍କୁ ସ୍ୱତଃସ୍ପୃତ ଭାବେ ଅନୁସୂଚିତ ଜନଜାତି ବୋଲି ଧରାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ରଖିଥିଲେ।
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ, ସମ୍ବିଧାନର ଅନୁଚ୍ଛେଦ ୩୪୧ ଓ ୩୪୨ ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ତାଲିକା ରାଜ୍ୟ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲିଗଲେ, ବ୍ୟକ୍ତି ନିଜ ରାଜ୍ୟର ଜାତିଗତ ମାନ୍ୟତା ଓ ତାହା ସହ ଜଡ଼ିତ ସମସ୍ତ ସୁବିଧା ଅନ୍ୟ ରାଜ୍ୟରେ ସ୍ୱତଃସ୍ପୃତ ଭାବେ ପାଇପାରିବେ ନାହିଁ।
ଏହି ଆଧାରରେ ହାଇକୋର୍ଟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଏପ୍ରିଲ ୨୩ ତାରିଖର ଚିଠିକୁ ରଦ୍ଦ କରିଥିଲେ। ଏଥିସହ ରାୟର ପ୍ରମାଣିତ ନକଲ ଦାଖଲ ହେବାର ତିନି ଦିନ ମଧ୍ୟରେ ଅନ୍ୟ ଆଇନଗତ ସର୍ତ୍ତ ପୂରଣ ସାପେକ୍ଷରେ ଜମି ବିକ୍ରି ଦଲିଲ ପଞ୍ଜୀକରଣ କରିବାକୁ କୁଳିଅଣାର ସବ୍-ରେଜିଷ୍ଟ୍ରାର ତଥା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ରାୟ ରାଜ୍ୟାନ୍ତର ଜାତିଗତ ମାନ୍ୟତା ଏବଂ ଜମି ହସ୍ତାନ୍ତର ସମ୍ପର୍କିତ ଆଇନଗତ ପ୍ରଶ୍ନକୁ ସ୍ପଷ୍ଟ କରିଛି।
