କଂଗ୍ରେସ ଶାସନ ସମୟରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା କେବଳ କିଛି ପ୍ରଭାବଶାଳୀ ଓ କ୍ଷମତାଶାଳୀ ଲୋକଙ୍କ ପାଇଁ ସୀମିତ ଥିଲା। କିନ୍ତୁ ଆମ ସରକାର ଗରିବ, ମଧ୍ୟବିତ୍ତ ଓ ସାଧାରଣ ଲୋକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ିବାକୁ ପ୍ରାଥମିକତା ଦେଇଛି। ରବିବାର ଓଡ଼ିଶା ଗସ୍ତ ସମୟରେ ଏଭଳି ମନ୍ତବ୍ୟ ଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ନିକଟ ଜଟଣୀର ଇନଫୋଭ୍ୟାଲି-୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂତନ ଡାଟା ସେଣ୍ଟର ଓ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ର ଉଦ୍ଘାଟନ ଅବସରରେ ସେ ଏହି କଥା କହିଛନ୍ତି।
ମୋଦୀ କହିଛନ୍ତି, ୨୦୧୪ ପୂର୍ବରୁ ଦେଶରେ ଏକ ପ୍ରକାରର ‘ଫୋନ୍ ବ୍ୟାଙ୍କିଂ’ ବ୍ୟବସ୍ଥା ଚାଲିଥିଲା। ଏହି ବ୍ୟବସ୍ଥାରେ କିଛି ପ୍ରଭାବଶାଳୀ ଲୋକ ଓ ରାଜନୈତିକ ନେତାଙ୍କ ସହ ସମ୍ପର୍କ ଥିବା ବ୍ୟକ୍ତିମାନେ ସହଜରେ ହଜାର ହଜାର କୋଟି ଟଙ୍କାର ଋଣ ପାଇପାରୁଥିଲେ। ଅନ୍ୟପଟେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ମଧ୍ୟ ଗ୍ୟାରେଣ୍ଟର ଆବଶ୍ୟକ ହେଉଥିଲା। ଛୋଟ ଚାଷୀ, ଭୂମିହୀନ ମହିଳା ଓ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ ଋଣ ପାଇବା ଏକ ସ୍ୱପ୍ନ ଭଳି ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ମତରେ, ୧୯୬୦ ଓ ୧୯୭୦ ଦଶକରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ଗରିବଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ତଥାପି ୨୦୧୪ ପର୍ଯ୍ୟନ୍ତ ଦେଶର ଅଧାରୁ ଅଧିକ ଲୋକ ବ୍ୟାଙ୍କିଂ ସେବାରୁ ବଞ୍ଚିତ ରହିଥିଲେ। ଏହି ବ୍ୟବସ୍ଥା ଯୋଗୁଁ ବ୍ୟାଙ୍କଗୁଡ଼ିକରେ ବହୁ ପରିମାଣର ଅନାଦାୟ ଋଣ ବା ଏନ୍ପିଏ (NPA) ସୃଷ୍ଟି ହୋଇଥିଲା ଏବଂ ବ୍ୟାଙ୍କିଂ ବ୍ୟବସ୍ଥା ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିଲା ବୋଲି ସେ କହିଛନ୍ତି।
ଜନଧନ ଯୋଜନା ଓ ଡିଜିଟାଲ ବ୍ୟାଙ୍କିଂ ଉପରେ ଗୁରୁତ୍ୱ
ମୋଦୀ କହିଛନ୍ତି, ତାଙ୍କ ସରକାର ଗରିବ ଲୋକଙ୍କୁ ବ୍ୟାଙ୍କିଂ ସେବା ସହ ଯୋଡ଼ିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୫୯ କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ଏହାଦ୍ୱାରା ସରକାରୀ ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଯାଇପାରୁଛି। ଫଳରେ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ଓ ଅର୍ଥ ହେରଫେର ହ୍ରାସ କରିବାରେ ସହାୟତା ମିଳିଛି ବୋଲି ସେ ଦାବି କରିଛନ୍ତି।
ଏହା ସହିତ ମୁଦ୍ରା ଯୋଜନା, ପିଏମ୍ ସ୍ୱନିଧି ଓ ପିଏମ୍ ବିଶ୍ୱକର୍ମା ଭଳି ଯୋଜନା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀ, ରାସ୍ତାକଡ଼ ବ୍ୟବସାୟୀ ଓ ପାରମ୍ପରିକ କାରିଗରମାନଙ୍କୁ ଆର୍ଥିକ ସହାୟତା ମିଳୁଛି। ଡିଜିଟାଲ ଇଣ୍ଡିଆ ଅଭିଯାନ ଦ୍ୱାରା ଦେଶର ଲୋକମାନେ ଡିଜିଟାଲ ବ୍ୟାଙ୍କିଂ ସେବା ସହ ଯୋଡ଼ି ହୋଇପାରିଛନ୍ତି। ଏହା ଭାରତର ବ୍ୟାଙ୍କିଂ ବ୍ୟବସ୍ଥାକୁ ଆହୁରି ମଜବୁତ କରିଛି ବୋଲି ସେ କହିଛନ୍ତି।
ସାଇବର ସୁରକ୍ଷାକୁ ଗୁରୁତ୍ୱ
ଆର୍ବିଆଇର ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡାଟା ସେଣ୍ଟର ଓ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍କୁ ଦେଶର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମୋଦୀ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି, ଆଜିର ଯୁଗରେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ଦ୍ୱାରା ହେଉନାହିଁ। ଦେଶର ଅର୍ଥନୀତି ଓ ଆର୍ଥିକ ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ କରି ମଧ୍ୟ ଦେଶକୁ ଦୁର୍ବଳ କରାଯାଇପାରେ। ତେଣୁ ସାଇବର ଅପରାଧୀ ଓ ସାଇବର ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଆଧୁନିକ ଭିତ୍ତିଭୂମି ସହ ତାଲିମପ୍ରାପ୍ତ ମାନବ ସମ୍ବଳ ଆବଶ୍ୟକ।
ଖଣିରୁ ମାଇକ୍ରୋଚିପ୍ ଦିଗରେ ଓଡ଼ିଶା
ଓଡ଼ିଶାର ବିକାଶକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଓଡ଼ିଶା ଏବେ କେବଳ ଖଣିଜ ଓ ଖଣିଭିତ୍ତିକ ଶିଳ୍ପ ଉପରେ ନିର୍ଭର ନକରି ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର ଓ ଆଧୁନିକ କମ୍ପ୍ୟୁଟିଂ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରୁଛି।
“ଓଡ଼ିଶା ଖଣିରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି” ବୋଲି ମୋଦୀ କହିଛନ୍ତି। ଏହି ନୂତନ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଓ ରୋଜଗାରର ନୂଆ ରାସ୍ତା ଖୋଲିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି. ସିଂହଦେଓଙ୍କ ସମେତ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଉପସ୍ଥିତ ଥିଲେ।
