ହିରାସତ ପରେ ରାଜଘାଟ ମୁହାଁ ରାହୁଲ ଗାନ୍ଧୀ, ବିରୋଧୀ ସାଂସଦଙ୍କ ବଡ଼ ପ୍ରତିବାଦ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଆହୁରି ତୀବ୍ର କରିଛି ବିରୋଧୀ ଇଣ୍ଡିଆ ମେଣ୍ଟ। ଲଗାତାର ଦୁଇ ଦିନ ଧରି ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ସାଂସଦମାନେ ପୁଲିସ ହିରାସତରେ ନିଆଯିବା ପରେ ଗୁରୁବାର ପୁଣିଥରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଆୟୋଜିତ ମଧ୍ୟାହ୍ନ ଭୋଜନ ପରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ରାଜଘାଟ ଅଭିମୁଖେ ବାହାରିଛନ୍ତି।

ବିରୋଧୀ ଦଳର ନେତାମାନେ ତିନୋଟି ବସ୍‌ରେ ରାଜଘାଟ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବା ସହ ନିର୍ବାଚନ କମିଶନଙ୍କ ବିରୋଧରେ ନିଜର ଦାବି ଉପସ୍ଥାପନ କରିବା ଯୋଜନା ଥିଲା। ତେବେ ସମ୍ଭାବ୍ୟ ବଡ଼ ଜମାବଡ଼ିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ରାଜଘାଟ ଅଞ୍ଚଳରେ BNSS ଧାରା ୧୬୩ ଅନୁସାରେ ନିଷେଧାଦେଶ ଜାରି କରିଛି। ଏହା ସହିତ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଏହି ପ୍ରତିବାଦର ମୁଖ୍ୟ ପ୍ରସଙ୍ଗ ହେଉଛି ଭୋଟର ତାଲିକାର Special Intensive Revision ବା SIR। ବିରୋଧୀ ଦଳର ଅଭିଯୋଗ ହେଉଛି, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ହୋଇଛି ଏବଂ ଏହା ଗଣତାନ୍ତ୍ରିକ ଅଧିକାରକୁ ପ୍ରଭାବିତ କରିପାରେ। ଏହି ମାମଲାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଇଣ୍ଡିଆ ମେଣ୍ଟ ନେତାମାନେ ଲଗାତାର ଆନ୍ଦୋଳନ କରୁଛନ୍ତି।

ବୁଧବାର ମଧ୍ୟ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବିରୋଧୀ ସାଂସଦ ଜନ୍ତରମନ୍ତର ଅଭିମୁଖେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ପରେ ରାହୁଲ ଓ ପ୍ରିୟଙ୍କାଙ୍କୁ ହିରାସତରେ ନିଆଯାଇଥିଲା। ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ।

ପୂର୍ବଦିନର ଘଟଣାକ୍ରମରେ ବିରୋଧୀ ସାଂସଦମାନେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପ୍ରିୟଙ୍କା ଗାନ୍ଧୀ ରାସ୍ତାରେ ସମ୍ବିଧାନର କପି ଧରି ବସିଥିବା ଦୃଶ୍ୟ ମଧ୍ୟ ଚର୍ଚ୍ଚାରେ ରହିଥିଲା। ପୁଲିସ ବ୍ୟାରିକେଡ୍ କରି ବିରୋଧୀ ନେତାମାନଙ୍କୁ ଆଗକୁ ଯିବାରୁ ରୋକିଥିଲା ଏବଂ ପରେ ଅନେକ ନେତାଙ୍କୁ ହିରାସତରେ ନିଆଯାଇଥିଲା।

ଏପଟେ ଏହି ଆନ୍ଦୋଳନକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଭାବେ ବଢ଼ାଯାଇଛି। ନିର୍ବାଚନ କମିଶନ କାର୍ଯ୍ୟାଳୟ, ରାଜଘାଟ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ମଧ୍ୟ ବଢ଼ାଯାଇଛି। ଆଗାମୀ ଦିନରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନ ଜାରି ରଖିବାର ସଙ୍କେତ ଦେଇଥିବାରୁ ଦିଲ୍ଲୀର ରାଜନୈତିକ ପରିବେଶ ଆହୁରି ଉଷ୍ମ ହେବାର ଆଶଙ୍କା ରହିଛି।

Leave a Reply