ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବଢ଼ୁଥିବା ଯାତାୟାତ ଏବଂ ଶିଳ୍ପାଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ଦାବି ଉଠିଛି। ସମ୍ବଲପୁର-ଅନୁଗୋଳ-କଟକ NH-୫୫କୁ ୬-ଲେନ୍ କରିବା ସହ ୪ଟି ଅଣ୍ଡରପାସ୍ ଏବଂ ସମ୍ବଲପୁର ସହରରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।
ସାଂସଦ ତାଙ୍କ ଚିଠିରେ କହିଛନ୍ତି ଯେ ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଓ ସହରାଞ୍ଚଳ ସହ ଯୋଡ଼ିଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ଏହି ରାଜପଥ ଦେଇ ପ୍ରତିଦିନ ଯାତ୍ରୀବାହୀ ଗାଡ଼ି ସହିତ ବହୁ ସଂଖ୍ୟକ ମାଲବାହୀ ଓ ଖଣିଜ ପରିବହନକାରୀ ଗାଡ଼ି ଚଳାଚଳ କରୁଛି। ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ବଢ଼ିବା ସହ ଏହି ରାସ୍ତାରେ ଟ୍ରାଫିକ୍ ଚାପ ମଧ୍ୟ ବୃଦ୍ଧି ପାଉଛି।
ଏହି କାରଣରୁ ବର୍ତ୍ତମାନର ୪-ଲେନ୍ ରାଜପଥକୁ ୬-ଲେନ୍ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି। ଏଥିସହ ରାଜପଥର ଉଭୟ ପାର୍ଶ୍ୱରେ ଦୁଇ-ଲେନ୍ ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ଅଧିକ ସୁଗମ ହେବା ସହ ମୁଖ୍ୟ ରାଜପଥରେ ଟ୍ରାଫିକ୍ ଚାପ କମିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ, ଅନୁଗୋଳ-ସମ୍ବଲପୁର ଅଂଶରେ ଭାରୀ ଯାନବାହନ ଚଳାଚଳ ଯୋଗୁଁ ରାସ୍ତା ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି। ଏହି ଅଞ୍ଚଳରେ ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଓ ଚାରମାଳଠାରେ ୪ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ଦାବି ହୋଇଛି। ସ୍ଥାନୀୟ ବାସିନ୍ଦା ଓ ପଦଚାରୀମାନେ ସୁରକ୍ଷିତ ଭାବେ ରାଜପଥ ପାର ହୋଇପାରିବା ସହ ଦୁର୍ଘଟଣାର ଆଶଙ୍କା କମାଇବାରେ ଏହି ଅଣ୍ଡରପାସ୍ଗୁଡ଼ିକ ସହାୟକ ହେବ ବୋଲି ଦାବି କରାଯାଇଛି।
ସେହିପରି ସମ୍ବଲପୁର ସିଟି ରେଳ ଷ୍ଟେସନ ଛକ ନିକଟରେ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ଆଶଙ୍କାକୁ ନେଇ ଫ୍ଲାଏଓଭର ନିର୍ମାଣର ଆବଶ୍ୟକତା ଦର୍ଶାଇଛନ୍ତି ସାଂସଦ। ଏହି ଛକ ଦେଇ ପ୍ରତିଦିନ ବହୁ ସଂଖ୍ୟକ ରେଳଯାତ୍ରୀ ଯାତାୟାତ କରୁଥିବାରୁ ବ୍ୟସ୍ତ ରାଜପଥ ପାର ହେବା ସମୟରେ ପଦଚାରୀଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଏକ ସମ୍ଭାବ୍ୟ ‘ବ୍ଲାକ୍ ସ୍ପଟ୍’ ଭାବେ ଦର୍ଶାଇ ଶୀଘ୍ର ଫ୍ଲାଏଓଭର ନିର୍ମାଣ ପାଇଁ ସେ ଅନୁରୋଧ କରିଛନ୍ତି।
ଏହି ସମସ୍ତ ପ୍ରକଳ୍ପ ପାଇଁ ଶୀଘ୍ର ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ଦେବା ସହ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ପ୍ରସ୍ତାବିତ ୬-ଲେନ୍ ରାଜପଥ, ସର୍ଭିସ୍ ରୋଡ୍, ଅଣ୍ଡରପାସ୍ ଓ ଫ୍ଲାଏଓଭର ନିର୍ମାଣ ହେଲେ ପଶ୍ଚିମ ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏହା ସହିତ ଯାତାୟାତ ସମୟ କମିବା, ଟ୍ରାଫିକ୍ ଜାମ୍ ହ୍ରାସ ପାଇବା ଓ ରାସ୍ତା ସୁରକ୍ଷା ବଢ଼ିବା ସମ୍ଭାବନା ରହିଛି। ବିଶେଷକରି ସମ୍ବଲପୁର-ଅନୁଗୋଳ ଅଞ୍ଚଳର ଶିଳ୍ପ, ଖଣି ଓ ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ଉନ୍ନତ ସଡ଼କ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ହେବ।
ଧର୍ମେନ୍ଦ୍ର ପ୍ରଧାନ ଆଶା ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଓ NHAI ଏହି ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଦେଇ ବିଚାର କରିବେ। ଏହି ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ିଲେ ପଶ୍ଚିମ ଓଡ଼ିଶାର ସଡ଼କ ଯୋଗାଯୋଗ ସହ ଶିଳ୍ପ ଓ ଆର୍ଥିକ ବିକାଶକୁ ମଧ୍ୟ ନୂଆ ଗତି ମିଳିପାରେ।
