ଭାରତୀୟ ପାଇଲଟଙ୍କ ସାହସରେ ବଞ୍ଚିଲା ଶତାଧିକ ଜୀବନ

ଆକାଶ ମଝିରେ ଉଡ଼ୁଥିବା ଏକ ବିମାନ। ବିମାନରେ ଥିଲେ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ। ହଠାତ୍ କକପିଟ୍ ଭିତରେ ଆରମ୍ଭ ହେଲା ଭୟଙ୍କର ଆକ୍ରମଣ। ପାଇଲଟଙ୍କ ଉପରେ ଛୁରୀରେ ଆକ୍ରମଣ ହେଲା ଏବଂ ବିମାନ ନିୟନ୍ତ୍ରଣ ହରାଇ ଦ୍ରୁତ ଭାବେ ତଳକୁ ଖସିବାକୁ ଲାଗିଲା। ଏଭଳି ଏକ ଗୁରୁତର ଘଟଣାରେ ଜଣେ ଭାରତୀୟ ପାଇଲଟଙ୍କ ସାହସ ଯୋଗୁଁ ଏକ ବଡ଼ ବିପର୍ଯ୍ୟୟ ଟଳିଥିବା ଇସ୍ରାଏଲୀ କର୍ତ୍ତୃପକ୍ଷ କହିଛନ୍ତି। ଏହି ପାଇଲଟ୍ ହେଉଛନ୍ତି କ୍ୟାପ୍ଟେନ୍ ସ୍ମିତ ମଛ୍ଛାର।
ଘଟଣାଟି ଫ୍ଲାଇଦୁବାଇର ଫ୍ଲାଇଟ୍ FZ1073ରେ ଘଟିଥିଲା। ଏହି ବିମାନଟି UAEରୁ ଇସ୍ରାଏଲ୍ ଅଭିମୁଖେ ଯାଉଥିଲା। ରିପୋର୍ଟ ଅନୁସାରେ, ଉଡ଼ାଣ ସମୟରେ କକପିଟ୍ ଭିତରେ କ୍ୟାପ୍ଟେନ୍ ସ୍ମିତ ମଛ୍ଛାର ଓ କୋ-ପାଇଲଟଙ୍କ ମଧ୍ୟରେ ହିଂସ୍ର ଘଟଣା ଘଟିଥିଲା। କୋ-ପାଇଲଟ୍ କ୍ୟାପ୍ଟେନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଇସ୍ରାଏଲୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।
ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍ ସ୍ମିତ ମଛ୍ଛାର କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହା ପରେ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟମାନେ କକପିଟ୍ ଭିତରକୁ ପହଞ୍ଚିଥିଲେ। ସେମାନେ ଆକ୍ରମଣକାରୀଙ୍କୁ କାବୁ କରିବାରେ ସହାୟତା କରିଥିବା କୁହାଯାଇଛି। ପରେ ଅନ୍ୟ ପାଇଲଟମାନେ ବିମାନର ନିୟନ୍ତ୍ରଣ ନେଇ ଏହାକୁ ସାଉଦି ଆରବର ତାବୁକ୍ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇଥିଲେ।
ଭାରତୀୟ ପାଇଲଟଙ୍କ ଏହି ଭୂମିକାକୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପ୍ରଶଂସା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପାଇଲଟଙ୍କୁ ‘ହିରୋ’ ବୋଲି କହିଛନ୍ତି। ଇସ୍ରାଏଲୀ ରାଜଦୂତ ରିୟୁଭେନ୍ ଅଜାର ମଧ୍ୟ ଆଜତକ ସହ କଥା ହୋଇ କହିଛନ୍ତି ଯେ, ଗୁରୁତର ଆହତ ହେବା ପରେ ମଧ୍ୟ ସ୍ମିତ ମଛ୍ଛାରଙ୍କ ପଦକ୍ଷେପ ବିମାନରେ ଥିବା ଲୋକଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଥିଲା।
ତେବେ ଏହି ଘଟଣାକୁ ନେଇ ଏବେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ମିଳିନାହିଁ। କୋ-ପାଇଲଟ୍ କିପରି କକପିଟ୍ ଭିତରେ ଅସ୍ତ୍ର ନେଇ ପହଞ୍ଚିଲେ? ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା? ଘଟଣା ପୂର୍ବରୁ କୌଣସି ସୁରକ୍ଷା ସଙ୍କେତ ମିଳିଥିଲା କି? ଏହାର ଉତ୍ତର ତଦନ୍ତ ଏବଂ ବିମାନର ବ୍ଲାକ୍ ବକ୍ସ ବିଶ୍ଳେଷଣ ପରେ ଅଧିକ ସ୍ପଷ୍ଟ ହେବ ବୋଲି ଇସ୍ରାଏଲୀ ରାଜଦୂତ କହିଛନ୍ତି। ଫ୍ଲାଇଦୁବାଇ ମଧ୍ୟ ତଦନ୍ତ ଶେଷ ହେବା ପୂର୍ବରୁ ଘଟଣା ସମ୍ପର୍କରେ ଶୀଘ୍ର ନିଷ୍କର୍ଷରେ ନପହଞ୍ଚିବାକୁ କହିଛି।
ଘଟଣା ପରେ ଇସ୍ରାଏଲ୍ ନିଜର ବିମାନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବାକୁ ପଦକ୍ଷେପ ନେଇଛି। ଇସ୍ରାଏଲ୍ ଆସୁଥିବା ପ୍ରତ୍ୟେକ ବିମାନର ପାଇଲଟଙ୍କ ପରିଚୟ ଓ ସୁରକ୍ଷା ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବ ବୋଲି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି।
ଅନ୍ୟପକ୍ଷରେ, କ୍ୟାପ୍ଟେନ୍ ସ୍ମିତ ମଛ୍ଛାରଙ୍କ ଚିକିତ୍ସା ତାବୁକ୍‌ର ଏକ ହସ୍ପିଟାଲରେ ଚାଲିଛି। ଭାରତୀୟ ଦୂତାବାସ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ଏବଂ ପରିବାର ସହ ଯୋଗାଯୋଗରେ ରହିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।
ସ୍ମିତ ମଛ୍ଛାରଙ୍କ ବିମାନ ଚାଳନା ଅଭିଜ୍ଞତା ମଧ୍ୟ ଚର୍ଚ୍ଚାରେ ରହିଛି। ସେ ୨୦୨୨ରେ ଫ୍ଲାଇଦୁବାଇ ସହ ଯୋଡ଼ିଥିଲେ ଏବଂ ଏହା ପୂର୍ବରୁ ପ୍ରାୟ ୧୧ ବର୍ଷ ସ୍ପାଇସଜେଟ୍‌ରେ କାମ କରିଥିଲେ। ବୋଇଂ ୭୩୭ ବିମାନ ଚାଳନାରେ ତାଙ୍କ ଅଭିଜ୍ଞତା ରହିଛି।
ତେବେ ଏହି ଘଟଣା ଏକପଟେ ବିମାନ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଥିବା ବେଳେ, ଅନ୍ୟପଟେ ସଙ୍କଟ ସମୟରେ ପାଇଲଟ୍, ଯାତ୍ରୀ ଓ କ୍ରୁଙ୍କ ତୁରନ୍ତ ପଦକ୍ଷେପ କିପରି ବଡ଼ ବିପଦକୁ ଟାଳିପାରେ, ତାହା ମଧ୍ୟ ସାମ୍ନାକୁ ଆଣିଛି। ଏବେ ସମସ୍ତଙ୍କ ନଜର ରହିଛି ଚାଲିଥିବା ତଦନ୍ତ ଓ ବ୍ଲାକ୍ ବକ୍ସ ରିପୋର୍ଟ ଉପରେ।

Leave a Reply