ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ-ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥର କାଣ୍ଡସର ଜସ୍ମିନୀ ହୋଟେଲ ସମ୍ମୁଖରେ ଗତରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଗୋରୁଙ୍କ ମଧ୍ୟରେ ଏକାଧିକ ଗର୍ଭବତୀ ଗାଈ ଥିବା ମଧ୍ୟ ସୂଚନା ମିଳିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ରାତି ସମୟରେ ରାଜପଥ ଉପରେ ଗୋରୁମାନେ ଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ନାଲକୋ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ, ଗ୍ରାମବାସୀ ଏବଂ ଗୋସେବକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଦୁର୍ଘଟଣାରେ ମୃତ ଗୋରୁଗୁଡ଼ିକୁ ସ୍ଥାନୀୟ ଲୋକ ଓ ଗୋସେବକଙ୍କ ସହଯୋଗରେ ସମ୍ମାନର ସହ ପୋତାଯାଇଥିଲା। ଘଟଣା ପରେ କାଣ୍ଡସର ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଭାରୀଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ନାଲକୋକୁ କୋଇଲା ପରିବହନ କରୁଥିବା ଭାରୀଯାନଗୁଡ଼ିକ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ ଅନେକ ସମୟରେ ଦ୍ରୁତ ଗତିରେ ଚଳାଚଳ କରୁଛି। ଏହା ଯୋଗୁଁ ଏହି ରାସ୍ତାରେ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ଧନଜୀବନ ନଷ୍ଟ ହେଉଥିବା ସେମାନେ କହିଛନ୍ତି। ବିଶେଷକରି ରାତି ସମୟରେ ଭାରୀଯାନର ଦ୍ରୁତ ଚଳାଚଳ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଏହାସହ ଦୁର୍ଘଟଣା ଘଟିଥିବା ସ୍ଥାନରେ ଷ୍ଟ୍ରିଟ୍ଲାଇଟ୍ ଜଳୁନଥିବା ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାତିରେ ଆଲୋକ ବ୍ୟବସ୍ଥା ନଥିବାରୁ ରାସ୍ତାରେ ଯାତାୟାତ ଆହୁରି ବିପଦପୂର୍ଣ୍ଣ ହୋଇପଡ଼ୁଛି ବୋଲି ସେମାନେ କହିଛନ୍ତି। ତେଣୁ ତୁରନ୍ତ ଷ୍ଟ୍ରିଟ୍ଲାଇଟ୍ ମରାମତି କରିବା ସହ ରାତିରେ ଭାରୀଯାନର ଗତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
ଗ୍ରାମବାସୀ ନାଲକୋ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଏହି ଦାବିଗୁଡ଼ିକ ରଖିଛନ୍ତି। ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ସହ ରାଜପଥରେ ସୁରକ୍ଷିତ ଯାତାୟାତ ପାଇଁ ଆବଶ୍ୟକ ବ୍ୟବସ୍ଥା ନକରାଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏବେ ପ୍ରଶାସନ ଏହି ଘଟଣାକୁ କିପରି ଗୁରୁତ୍ୱ ଦେଇ ଭବିଷ୍ୟତରେ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନେଉଛି, ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।
