ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗଜନିତ ପରିସ୍ଥିତି ଯୋଗୁଁ ଓଡ଼ିଶାରେ ଆସନ୍ତା କିଛି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅଧିକ ବର୍ଷାର ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ବନ୍ୟା, ଜଳବନ୍ଦୀ ଓ ଅନ୍ୟାନ୍ୟ ବର୍ଷାଜନିତ ସମସ୍ୟା ମୁକାବିଲା ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଭାରି ବର୍ଷା ପାଇଁ ଖୋର୍ଦ୍ଧା, ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ ଓ ଛୋଟ ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ବର୍ଷା ସ୍ଥିତି ଅନୁଯାୟୀ ଆଗାମୀ ଦିନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନ୍ୟ ପଦକ୍ଷେପ ନିଆଯାଇପାରେ।
ଅନ୍ୟପଟେ, ମାଲକାନଗିରି, କୋରାପୁଟ ଓ ପୁରୀ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ଜିଲ୍ଲାଗୁଡ଼ିକର କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ପରିସ୍ଥିତିରେ ତୁରନ୍ତ ପ୍ରଶାସନିକ ଓ ରିଲିଫ୍ କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରାଯାଉଛି।
ବର୍ଷା ପରିସ୍ଥିତିକୁ ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବା ULBକୁ ସଜାଗ ରହିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ସମସ୍ତ ମ୍ୟୁନିସିପାଲ କମିଶନର ଓ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କୁ ରାପିଡ୍ ଆକ୍ସନ୍ ଟିମ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ତଳିଆ ଅଞ୍ଚଳ ଓ ପାଣି ଜମିବା ପ୍ରବଣ ସ୍ଥାନ ଚିହ୍ନଟ କରି ପୂର୍ବରୁ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସମ୍ଭାବ୍ୟ ବନ୍ୟା କିମ୍ବା ଜଳବନ୍ଦୀ ସ୍ଥିତି ପାଇଁ ଡିୱାଟରିଂ ପମ୍ପ, ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ବଳକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଉଛି।
ବିଶେଷକରି ମାଲକାନଗିରିରେ ସତର୍କତା ବଢ଼ାଯାଇଛି। ପାଣିପାଗ ପରିସ୍ଥିତିକୁ ଦେଖି ସତୀଗୁଡ଼ା ଓ ବାଲିମେଳା ଜଳଭଣ୍ଡାରରେ ମାଛଧରା ଉପରେ କଟକଣା ଲଗାଯାଇଛି। ଏହାସହ ଆବଶ୍ୟକ ସମୟରେ ଲୋକଙ୍କୁ ରଖିବା ପାଇଁ ଚାରିଟି ସାଇକ୍ଲୋନ୍ ସେଲ୍ଟରକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ପ୍ରବଳ ବର୍ଷା ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ସହ ଜରୁରୀ ସେବାକୁ ସଚଳ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ପେଶାଲ ରିଲିଫ୍ କମିଶନର ଓ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି SOP ଅନୁସରଣ କରିବାକୁ ସମସ୍ତ ULBକୁ କୁହାଯାଇଛି। ଆସନ୍ତା କିଛି ଦିନ ପାଣିପାଗ ଉପରେ ନଜର ରଖି ଜନସାଧାରଣଙ୍କୁ ଅନାବଶ୍ୟକ ଭାବେ ବିପଦପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି।
