ବ୍ରିକ୍ସ ନେତାଙ୍କ ପାଇଁ ଭାରତୀୟ ସ୍ୱାଦର ଭବ୍ୟ ଭୋଜି

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ବିଶ୍ୱ ନେତାମାନଙ୍କ ପାଇଁ ଆୟୋଜିତ ଭବ୍ୟ ଗାଲା ଡିନର୍‌ରେ ଦେଖିବାକୁ ମିଳିଲା ଭାରତୀୟ ଖାଦ୍ୟ ପରମ୍ପରାର ଅନନ୍ୟ ଝଲକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସଦସ୍ୟ ଦେଶ ଏବଂ ଅନ୍ୟ ଅଂଶଗ୍ରହଣକାରୀ ଦେଶର ନେତାମାନଙ୍କ ସମ୍ମାନରେ ଏହି ରାତ୍ରିଭୋଜନ ଆୟୋଜନ କରିଥିଲେ। ରାଜନୈତିକ ଓ ଆର୍ଥିକ ଆଲୋଚନା ମଧ୍ୟରେ ଭାରତୀୟ ଖାଦ୍ୟକୁ ବିଶ୍ୱ ନେତାଙ୍କ ସାମ୍ନାରେ ଏକ ବିଶେଷ ଶୈଳୀରେ ପରିବେଷଣ କରାଯାଇଥିଲା।

ଏହି ଗାଲା ଡିନର୍‌ର ମେନୁକୁ ଖୁବ ଯତ୍ନର ସହ ପ୍ରସ୍ତୁତ କରାଯାଇଥିଲା। ପାରମ୍ପରିକ ଭାରତୀୟ ବ୍ୟଞ୍ଜନଗୁଡ଼ିକୁ ଆଧୁନିକ ଫାଇନ୍-ଡାଇନିଂ ଶୈଳୀରେ ପରିବେଷଣ କରାଯାଇଥିଲା। ଭାରତର ବିଭିନ୍ନ ଅଞ୍ଚଳର ସ୍ୱାଦକୁ ଏକ ମେନୁରେ ଏକାଠି କରିବାକୁ ଚେଷ୍ଟା କରାଯାଇଥିଲା। ଏଥିରେ ଗୁଜରାଟ, ଉତ୍ତର ଭାରତ, ହିମାଳୟ ଅଞ୍ଚଳ ଏବଂ ଦକ୍ଷିଣ ଭାରତର ଖାଦ୍ୟ ପରମ୍ପରାର ଝଲକ ମିଳିଥିଲା।

ଭୋଜିର ଆରମ୍ଭରେ ପରିବେଷଣ କରାଯାଇଥିଲା ଖାଣ୍ଡଭି ମିଲ୍-ଫ୍ୟୁଇଲ୍। ଏହା ଗୁଜରାଟର ପ୍ରସିଦ୍ଧ ଖାଣ୍ଡଭିର ଏକ ଆଧୁନିକ ରୂପ। ବେସନରେ ପ୍ରସ୍ତୁତ ଷ୍ଟିମ୍‌ଡ ରୋଲ୍‌କୁ ସୋରିଷ, ନଡ଼ିଆ ଓ କଡ଼ିପତ୍ରରେ ତଡ଼କା ଦିଆଯାଇଥିଲା। ଏହା ସହ କେଶର ଆମ୍ବ, ମାଇକ୍ରୋଗ୍ରିନ୍ସ ଏବଂ ଦହିର ଡ୍ରେସିଂ ଦିଆଯାଇଥିଲା। ଏହା ପାରମ୍ପରିକ ଭାରତୀୟ ଖାଦ୍ୟକୁ ଆଧୁନିକ ରୂପ ଦେବାର ଏକ ଉଦାହରଣ ଥିଲା।

ଏହାପରେ ଅତିଥିମାନଙ୍କୁ ପରିବେଷଣ କରାଯାଇଥିଲା ଖୁମ୍ବ ଗଲୌଟି। ଏହା ଏକ ଶାକାହାରୀ ବ୍ୟଞ୍ଜନ, ଯେଉଁଥିରେ ମସ୍ରୁମ୍‌ରୁ କବାବ ପ୍ରସ୍ତୁତ କରାଯାଇଥିଲା। ଏହାକୁ ମିଣ୍ଟ ପର୍ଲ୍ସ ଏବଂ ଶୀରମାଲ୍ ବ୍ରେଡ୍ ସହ ପରିବେଷଣ କରାଯାଇଥିଲା। ଏହା ପାରମ୍ପରିକ ଗଲୌଟି କବାବର ଏକ ଶାକାହାରୀ ରୂପ ଥିଲା।

ମୁଖ୍ୟ ଖାଦ୍ୟରେ ପନିର ଲାବାବଦାର ମଧ୍ୟ ରହିଥିଲା। ନରମ ପନିରକୁ ଶାଲଟ୍ ଓ ଟମାଟୋର ଗାଢ଼ ଗ୍ରେଭିରେ ପ୍ରସ୍ତୁତ କରାଯାଇଥିଲା। ତେବେ ଭୋଜିର ଅନ୍ୟତମ ଆକର୍ଷଣ ଥିଲା ଗୁଚ୍ଛି ମାର୍ମିକ୍। ହିମାଳୟରୁ ମିଳୁଥିବା ଦୁର୍ଲଭ ମୋରେଲ୍ ମସ୍ରୁମ୍‌କୁ ଆସ୍ପାରାଗସ୍, କେଶର, କିସମିସ୍ ଏବଂ ମାମ୍ରା ବାଦାମ ସହ ପ୍ରସ୍ତୁତ କରାଯାଇଥିଲା।

ଦକ୍ଷିଣ ଭାରତୀୟ ସ୍ୱାଦକୁ ମଧ୍ୟ ମେନୁରେ ସ୍ଥାନ ମିଳିଥିଲା। କ୍ୟାରଟ୍ ବିନ୍ ପୋରିୟାଲ୍ରେ ଗାଜର ଓ ବିନ୍ସକୁ ସୁଗନ୍ଧିତ ମସଲା, ଭର୍ଜିନ୍ ନଡ଼ିଆ ତେଲ ଏବଂ ତାଜା ଘଷା ନଡ଼ିଆ ସହ ପ୍ରସ୍ତୁତ କରାଯାଇଥିଲା। ଏହା ସହ ଥକ୍କାଲି ବେଲେ ସାରୁ ନାମକ ହାଲୁକା ଡାଲିର ଝୋଳ ମଧ୍ୟ ପରିବେଷଣ ହୋଇଥିଲା।

ଭାରତୀୟ ଭୋଜିରେ ଭାତ ଓ ରୁଟି ନଥିଲେ ତାହା ଅସମ୍ପୂର୍ଣ୍ଣ। ତେଣୁ ଅତିଥିମାନଙ୍କ ପାଇଁ ମିଲେଟ୍ ପୁଲାଓ ପ୍ରସ୍ତୁତ କରାଯାଇଥିଲା। ବାସମତୀ ଚାଉଳ ସହ ମିଲେଟ୍ ଏବଂ ବିଭିନ୍ନ ଋତୁକାଳୀନ ଉପାଦାନ ଏଥିରେ ବ୍ୟବହାର ହୋଇଥିଲା। ବିଭିନ୍ନ ପ୍ରକାରର ଭାରତୀୟ ରୁଟି ମଧ୍ୟ ମେନୁର ଅଂଶ ଥିଲା। ଏହା ସହ ବିଟ୍‌ରୁଟ୍ ରାଇତା ଦିଆଯାଇଥିଲା।

ମିଠାରେ ମଧ୍ୟ ଦିଲ୍ଲୀର ପାରମ୍ପରିକ ସ୍ୱାଦକୁ ଗୁରୁତ୍ୱ ଦିଆଯାଇଥିଲା। ଓଲ୍ଡ ଦିଲ୍ଲୀ ଫ୍ରୁଟ୍ କ୍ରିମ୍ ସହ ଜାଲେବି ଏବଂ ଶାହତୁତ୍ ଫିର୍ନି ଭଳି ମିଠା ପରିବେଷଣ କରାଯାଇଥିଲା। ସମ୍ପୂର୍ଣ୍ଣ ମେନୁଟି ଭାରତର ବିବିଧ ଖାଦ୍ୟ ପରମ୍ପରାକୁ ବିଶ୍ୱ ନେତାଙ୍କ ନିକଟରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ଥିଲା।

ଏହି ଭୋଜିରେ କେବଳ ଖାଦ୍ୟ ନୁହେଁ, ବିଭିନ୍ନ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା। ଭିନ୍ନ ଦେଶର ପ୍ରତିନିଧିମାନଙ୍କୁ ବିଭିନ୍ନ ଟେବୁଲ୍‌ରେ ବସାଯାଇଥିଲା, ଯାହାଦ୍ୱାରା ସେମାନେ ପରସ୍ପର ସହ ସହଜରେ ଆଲୋଚନା କରିପାରିଥିଲେ। ଏଭଳି ଭାବେ BRICS ଶିଖର ସମ୍ମିଳନୀର ଗମ୍ଭୀର କୂଟନୈତିକ ଆଲୋଚନା ମଧ୍ୟରେ ଭାରତର ସଂସ୍କୃତି, ପରମ୍ପରା ଓ ଖାଦ୍ୟ ବିବିଧତାର ଏକ ସ୍ୱାଦିଷ୍ଟ ପରିଚୟ ବିଶ୍ୱ ନେତାମାନଙ୍କୁ ମିଳିଥିଲା।

Leave a Reply