ଗଣେଶ ପୂଜାକୁ ଆଉ ୯ ଦିନ, ତଥାପି ହୋଇନି ରାସ୍ତା ମରାମତି

ତାଳଚେର,: ଗଣେଶ ପୂଜାକୁ ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥାଏ। ଆଉ ମାତ୍ର ୯ ଦିନ। ସହରର ଗଣପର୍ବ ପାଇଁ ମେଢ଼, ତୋରଣ ଓ ଆଲୋକସଜାରେ ପୂଜା କମିଟିଗୁଡ଼ିକ ବ୍ୟସ୍ତ ରହିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ସହରର ରାସ୍ତା ମରାମତି କରାଯାଇନାହିଁ। ସହରସାରା ଖାଲଖମାରେ ଭର୍ତ୍ତି। ପୌର ପରିଷଦ ପକ୍ଷରୁ ରାସ୍ତା ମରାମତି ନେଇ କୌଣସି ତତ୍ପରତା ପ୍ରକାଶ ପାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂଜାରେ ହଜାର ହଜାର ଲୋକଙ୍କ ଭିଡ଼ ହେବାକୁ ଥିବା ବେଳେ ଖାଲଖମା ରାସ୍ତା ଦୁର୍ଘଟଣାକୁ ଆମନ୍ତ୍ରଣ ଦେଉଛି ବୋଲି ଲୋକେ ଆଶଙ୍କା କରୁଛନ୍ତି


ତାଳଚେରର ଗଣେଶ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ସହରର ଏକ ପ୍ରମୁଖ ଗଣପର୍ବ ପୂଜା ସମୟରେ ସହରର ବିଭିନ୍ନ ଅଞ୍ଚଳରେ ମେଢ଼ ଓ ପୂଜାମଣ୍ଡପ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ। ଏହା ସହ ରାତି ପର୍ଯ୍ୟନ୍ତ ଚାଲିଥାଏ ଲୋକଙ୍କ ଯାତାୟାତ। ଏପରି ସମୟରେ ରାସ୍ତାର ଖାଲଖମା ଯାତାୟାତକୁ ବିପଦସଙ୍କୁଳ କରିବାର ଆଶଙ୍କା ରହିଛି। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଏହି ଖାଲଖମା ଯୋଗୁ ଅଧିକ ବିପଦରେ ପଡ଼ିପାରନ୍ତି। ରାତି ସମୟରେ ଅନ୍ଧାର କିମ୍ବା ଭିଡ଼ ମଧ୍ୟରେ ରାସ୍ତାର ଖାଲ ଠିକ୍ ଭାବେ ଦେଖାନଗଲେ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପୂଜାକୁ ଆଉ ୯ ଦିନ ଥିବାରୁ ଏବେ ରାସ୍ତା ମରାମତି କଲେ ମଧ୍ୟ ପୂଜା ପୂର୍ବରୁ ଅଧିକାଂଶ ରାସ୍ତାକୁ ଯାତାୟାତ ଉପଯୋଗୀ କରାଯାଇପାରିବ ।

କିନ୍ତୁ, ଏପର୍ଯ୍ୟନ୍ତ ଏ ଦିଗରେ ପୌରପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ପୌରପରିଷଦ ପକ୍ଷରୁ ତାଳଚେର ସହରର ମୁଖ୍ୟ ରାସ୍ତାରେ ରହିଥିବା ଡାଳ ଏବଂ ଘାସକୁ କେବଳ ଜେସିବି ସାହାଯ୍ୟରେ ସଫାସୁତରା କରୁଥିବା ବେଳେ ସହର ଭିତରେ ରହିଥିବା ବିଭିନ୍ନ ଗଳିକନ୍ଦିଗୁଡ଼ିକ ସଫା ସୁତରା କରାଯାଇନାହିଁ। କେତେକ ସ୍ଥାନରେ ଡ୍ରେନ୍ ସଫା କରାଯାଇ ନଥିବାରୁ ରାସ୍ତା ଉପରେ ଡ୍ରେନ୍ ପାଣି ମାଡ଼ୁଛି । ପୂଜା ପୂର୍ବରୁ ରାସ୍ତାର ଖାଲ ପୋତିବା ସହ ଆବଶ୍ୟକ ସ୍ଥାନରେ ରାସ୍ତା ମରାମତି କରିବାକୁ ସହରବାସୀ ଦାବି କରିଛନ୍ତି। ଏ ନେଇ ତାଳଚେର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କୁ ପଚାରିବାରୁ ସେ କହିଛନ୍ତି, ‘ପୂଜା ପୂର୍ବରୁ ରହିଥିବା ରାସ୍ତାର ସମସ୍ୟା ଦୂର କରାଯିବ’|

Leave a Reply