ଅନୁଗୁଳରେ ଥିବା ରାଜ୍ୟର ଏକ ପୁରାତନ ଘାସ ବିହନ ଉତ୍ପାଦନ କେନ୍ଦ୍ର ଦୀର୍ଘ ୬ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ୧୦୨ ଏକର ଜମିରେ ବ୍ୟାପ୍ତ ଏହି ଫାର୍ମ ଦିନେ ଚାଷୀ ଓ ପଶୁପାଳକଙ୍କ ପାଇଁ ଏକ ବଡ଼ ଆଶାର କେନ୍ଦ୍ର ଥିଲା। ଏଠାରୁ ଅନୁଗୁଳ ସମେତ ପଡ଼ୋଶୀ ଜିଲ୍ଲାର ଚାଷୀମାନେ ଉନ୍ନତମାନର ଘାସ ବିହନ, ଘାସ ମୂଳ ଓ ପଶୁଖାଦ୍ୟ ପାଇପାରୁଥିଲେ। ଏବେ କିନ୍ତୁ ଅବ୍ୟବହୃତ ହୋଇ ପଡ଼ିଥିବା ଏହି କେନ୍ଦ୍ରର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ଏହି ଫାର୍ମର ପ୍ରାୟ ୧୦୦ ଏକର ଜମିରେ ଏକଦା ୨୧ ପ୍ରକାରର ଚାରା ଓ ପଶୁଖାଦ୍ୟ ଘାସ ଚାଷ କରାଯାଉଥିଲା। ମକା, ବାଜରା, ଷ୍ଟାଇଲୋ, ବରସିମ୍, ଜବ୍ସ ଟିଅର୍ସ, ଏଲିଫାଣ୍ଟ ଗ୍ରାସ୍ ଓ ଗିନିଆ ଗ୍ରାସ୍ ଭଳି ବିଭିନ୍ନ ପ୍ରଜାତିର ଘାସ ଏଠାରେ ଉତ୍ପାଦିତ ହେଉଥିଲା। ପ୍ରତିଦିନ ସ୍ଥାନୀୟ ଚାଷୀମାନେ ପ୍ରାୟ ୨୦ରୁ ୨୫ କ୍ୱିଣ୍ଟାଲ ଘାସ କିଣୁଥିବା କୁହାଯାଇଛି। ବିଶେଷକରି ଗୋପାଳନ କରୁଥିବା ଚାଷୀମାନେ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିଲେ।
ଫାର୍ମଟି କେବଳ ଘାସ ବିହନ ଯୋଗାଣରେ ସୀମିତ ନଥିଲା। ଏଠାରେ ଚାଷୀମାନଙ୍କୁ ଗୋରୁ, ଛେଳି, ଘୁଷୁରି ଓ କୁକୁଡ଼ା ପାଳନ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଥିଲା। ଏହା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ପଶୁପାଳନକୁ ଆୟର ଏକ ମାଧ୍ୟମ ଭାବେ ଗ୍ରହଣ କରି ସ୍ୱାବଲମ୍ବୀ ହେବାର ସୁଯୋଗ ପାଉଥିଲେ। ୧୯୯୯ ମସିହାର ମହାବାତ୍ୟା ସମୟରେ ମଧ୍ୟ ଏହି କେନ୍ଦ୍ର ବିଭିନ୍ନ ପ୍ରଭାବିତ ଜିଲ୍ଲାକୁ ପଶୁଖାଦ୍ୟ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।
ତେବେ ବର୍ତ୍ତମାନ ଏହି ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ଫାର୍ମର ଚାଷ ଜମିରେ ଜଙ୍ଗଲି ଗଛଲତା ଓ ଅନାବନା ଘାସ ମାଡ଼ି ଯାଇଛି। ଦୀର୍ଘ ସମୟ ଧରି ଅଚଳ ହୋଇ ପଡ଼ିଥିବା ମେସିନଗୁଡ଼ିକ ନଷ୍ଟ ହେବାକୁ ବସିଛି। କେତେକ ଯନ୍ତ୍ରପାତି ତାଲା ପଡ଼ି ରହିଥିବାବେଳେ କର୍ମଚାରୀଙ୍କ କ୍ୱାର୍ଟର, ବିହନ ସଂରକ୍ଷଣ ଗୃହ, ପମ୍ପ ହାଉସ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ଜରାଜୀର୍ଣ୍ଣ ହୋଇପଡ଼ିଛି।
ଏହାର ପ୍ରଭାବ ସିଧାସଳଖ ଭାବେ ପଶୁପାଳକ ଓ ଦୁଗ୍ଧ ଚାଷୀଙ୍କ ଉପରେ ପଡ଼ିଛି। ସ୍ଥାନୀୟ ଚାଷୀ ମାନସ ରଞ୍ଜନ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଏଠାରୁ ଗୋରୁଙ୍କ ପାଇଁ ଘାସ ମିଳୁଥିଲା। କିନ୍ତୁ ପ୍ରାୟ ୭ରୁ ୮ ବର୍ଷ ଧରି ଏଠାରେ ଘାସ ମିଳୁନାହିଁ। ଫଳରେ ଗୋରୁଙ୍କୁ ଖାଦ୍ୟ ଦେବାରେ ସମସ୍ୟା ହେଉଛି ଏବଂ ଦୁଗ୍ଧ ଉତ୍ପାଦନ ମଧ୍ୟ କମିଯାଇଛି। ଅନେକ ଚାଷୀ ବାଧ୍ୟ ହୋଇ ଗୋପାଳନ ଛାଡ଼ିବାକୁ ପଡ଼ୁଥିବା ସେ କହିଛନ୍ତି।
ତେବେ ଫାର୍ମକୁ ପୁଣିଥରେ ସକ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଜମି ସମ୍ପର୍କିତ ସମସ୍ୟାର ସମାଧାନ ପରେ କେନ୍ଦ୍ରର ପୁନରୁଦ୍ଧାର କରିବାକୁ ଯୋଜନା ରହିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କେନ୍ଦ୍ରୀୟ ଭାବେ ମିଳୁଥିବା ବିହନ ଚାଷୀମାନଙ୍କୁ ବଣ୍ଟନ କରାଯାଉଛି। ଅଧିକାରୀମାନେ ଫାର୍ମଟିକୁ ପୁଣି ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ନେଇ କାର୍ଯ୍ୟକ୍ରମ ଆରମ୍ଭ କରିବାର କଥା କହିଛନ୍ତି।
୧୦୨ ଏକରର ଏହି ବିଶାଳ ଫାର୍ମ ପୁଣି ସକ୍ରିୟ ହେଲେ ଅନୁଗୁଳ ସମେତ ଆଖପାଖ ଅଞ୍ଚଳର ପଶୁପାଳକ, ଦୁଗ୍ଧ ଚାଷୀ ଓ କୃଷକମାନେ ବହୁ ଉପକୃତ ହେବେ। ତେଣୁ ଜମି ସମସ୍ୟାର ଶୀଘ୍ର ସମାଧାନ କରି ଫାର୍ମର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବାକୁ ଚାଷୀମାନେ ଆଶା ରଖିଛନ୍ତି।
