ସୁନ୍ଦର ଓ ଚମକଦାର ତ୍ୱଚା ସହ ମଜବୁତ ଏବଂ ସୁସ୍ଥ କେଶ ପାଇବା ପାଇଁ କେବଳ ବାହାରୁ ବ୍ୟବହାର କରାଯାଉଥିବା ବିୟୁଟି ପ୍ରଡକ୍ଟ ଉପରେ ନିର୍ଭର କରିବା ଜରୁରୀ ନୁହେଁ। ଖାଦ୍ୟପାନୀୟରେ କିଛି ପରିବର୍ତ୍ତନ କରି ମଧ୍ୟ ତ୍ୱଚା ଓ କେଶର ଯତ୍ନ ନିଆଯାଇପାରେ। ବିଶେଷଜ୍ଞଙ୍କ ମତରେ, କିଛି ପ୍ରକାରର ହର୍ବାଲ୍ ଚା’ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ପୋଷକତତ୍ତ୍ୱ ତ୍ୱଚା ଏବଂ କେଶର ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇପାରେ।
ନବଭାରତ ଟାଇମ୍ସର ଏକ ରିପୋର୍ଟରେ ନ୍ୟୁଟ୍ରିସନିଷ୍ଟ ଡା. ପାୟଲ ଦତ୍ତଙ୍କ ମତକୁ ଆଧାର କରି ଏପରି ୫ ପ୍ରକାର ଚା’ ବିଷୟରେ କୁହାଯାଇଛି। ଏଗୁଡ଼ିକ ହେଉଛି ଗ୍ରୀନ୍ ଟି, ହିବିସ୍କସ୍ ଟି, ରୋଜହିପ୍ ଟି, କ୍ୟାମୋମାଇଲ୍ ଟି ଏବଂ ପେପରମିଣ୍ଟ ଟି। ଏହି ଚା’ଗୁଡ଼ିକ ସିଧାସଳଖ କୌଣସି ତ୍ୱଚା କିମ୍ବା କେଶ ସମସ୍ୟାର ଚିକିତ୍ସା କରେ ନାହିଁ, କିନ୍ତୁ ଏଥିରେ ଥିବା ପୋଷକତତ୍ତ୍ୱ ସାମଗ୍ରିକ ଭାବେ ତ୍ୱଚା ଓ କେଶର ଯତ୍ନରେ ସହାୟକ ହୋଇପାରେ।
୧. ଗ୍ରୀନ୍ ଟି
ତ୍ୱଚା ପାଇଁ ଗ୍ରୀନ୍ ଟିକୁ ଏକ ଭଲ ବିକଳ୍ପ ଭାବେ ଗଣାଯାଏ। ଏଥିରେ କ୍ୟାଟେଚିନ୍ ଏବଂ EGCG ପରି ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏଗୁଡ଼ିକ ଶରୀରର ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଓ ପ୍ରଦାହ କମାଇବାରେ ସହାୟକ ହୋଇପାରେ। ଏହା ତ୍ୱଚାର ପ୍ରାକୃତିକ ଚମକ ବଜାୟ ରଖିବା ସହ କୋଲାଜେନ୍ ଗଠନରେ ମଧ୍ୟ ସହାୟତା କରିପାରେ। ତେଣୁ ଗ୍ରୀନ୍ ଟିକୁ ଆଣ୍ଟି-ଏଜିଂ ରୁଟିନ୍ର ଏକ ଅଂଶ ଭାବେ ନିଆଯାଇପାରେ। ଏହାକୁ ପ୍ରସ୍ତୁତ କରିବା ସମୟରେ ଅତ୍ୟଧିକ ଗରମ ପାଣି ବ୍ୟବହାର ନକରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ପାଣି ଫୁଟାଇ ଚୁଲି ବନ୍ଦ କରିବା ପରେ ସାମାନ୍ୟ ଥଣ୍ଡା ହେଲେ ଗ୍ରୀନ୍ ଟି ପତି ପକାଇ କିଛି ସମୟ ଢାଙ୍କି ରଖିବା ଉଚିତ। ଏଥିରେ ଅଳ୍ପ ଲେମ୍ବୁ ଓ ମହୁ ମିଶାଇ ପିଇପାରିବେ।
୨. ହିବିସ୍କସ୍ ଟି
ହିବିସ୍କସ୍ ବା ଜବା ଫୁଲର ଚା’ ମଧ୍ୟ ତ୍ୱଚା ଓ କେଶ ପାଇଁ ଲାଭଦାୟକ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ଭିଟାମିନ୍-ସି, ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍ ଓ ଜିଙ୍କ ରହିଥାଏ। ଏହା ତ୍ୱଚାର ଇଲାଷ୍ଟିସିଟି ଓ କୋଲାଜେନ୍କୁ ସମର୍ଥନ କରିବା ସହ କେଶର ଗଠନକୁ ମଜବୁତ କରିବାରେ ସହାୟକ ହୋଇପାରେ। ଦୁଇରୁ ତିନୋଟି ଜବା ଫୁଲକୁ ଗରମ ପାଣିରେ ଫୁଟାଇ ଏହାକୁ ପ୍ରସ୍ତୁତ କରିପାରିବେ। ସ୍ୱାଦ ପାଇଁ ଲେମ୍ବୁ ମଧ୍ୟ ମିଶାଇପାରିବେ।
୩. ରୋଜହିପ୍ ଟି
ରୋଜହିପ୍ ହେଉଛି ଗୋଲାପ ଫୁଲର ତଳଭାଗରେ ହେଉଥିବା ଏକ ଫଳ। ଏଥିରେ ଭିଟାମିନ୍-ସି ସହ କ୍ୟାରୋଟିନଏଡ୍ ଓ ପଲିଫେନଲ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏଗୁଡ଼ିକ ଫ୍ରି ରାଡିକାଲ୍ର ପ୍ରଭାବ କମାଇ ତ୍ୱଚାକୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ରୁ ସୁରକ୍ଷା ଦେବାରେ ସହାୟକ ହୋଇପାରେ। ତ୍ୱଚାର ଟୋନ୍ ଓ ଚମକ ବଜାୟ ରଖିବାରେ ମଧ୍ୟ ଏହା ସହାୟକ ହୋଇପାରେ। ଏକ କପ୍ ପାଣିରେ ୧-୨ ଚାମଚ ଶୁଖିଲା ରୋଜହିପ୍ ପକାଇ ପ୍ରାୟ ୫ ମିନିଟ୍ ଧୀମା ଆଞ୍ଚରେ ଫୁଟାଇ ପିଇପାରିବେ।
୪. କ୍ୟାମୋମାଇଲ୍ ଟି
ରାତିରେ ପିଇବା ପାଇଁ କ୍ୟାମୋମାଇଲ୍ ଟି ଏକ ଭଲ ବିକଳ୍ପ ହୋଇପାରେ। ଏଥିରେ ଆପିଜେନିନ୍, ଫ୍ଲାଭୋନଏଡ୍ ଓ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହାର ପ୍ରଦାହବିରୋଧୀ ଗୁଣ ଥିବା କୁହାଯାଏ। ଏହା ଚାପ କମାଇବା ଏବଂ ଭଲ ନିଦ ପାଇବାରେ ସହାୟକ ହୋଇପାରେ। ଏକ କପ୍ ଗରମ ପାଣିରେ ପ୍ରାୟ ୨ ଚାମଚ ଶୁଖିଲା କ୍ୟାମୋମାଇଲ୍ ଫୁଲ ପକାଇ ୫ ମିନିଟ୍ ଢାଙ୍କି ରଖିବା ପରେ ଛାଣି ମହୁ ମିଶାଇ ପିଇପାରିବେ।
୫. ପେପରମିଣ୍ଟ ଟି
ଅତ୍ୟଧିକ ତେଲିଆ ତ୍ୱଚା କିମ୍ବା ହର୍ମୋନ୍ର ପରିବର୍ତ୍ତନ ଯୋଗୁଁ ମୁହଁରେ ବ୍ରଣ ହେଉଥିବା ଲୋକଙ୍କ ପାଇଁ ପେପରମିଣ୍ଟ ଟି ଉପକାରୀ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏହା ତ୍ୱଚା ଓ ସ୍କାଲ୍ପରେ ତେଲ ଉତ୍ପାଦନ ନିୟନ୍ତ୍ରଣରେ ସହାୟକ ହୋଇପାରେ। ଏହା ସହ ଏଥିରେ ଥିବା ଥଣ୍ଡା ଅନୁଭୂତି ଓ ପ୍ରଦାହବିରୋଧୀ ଗୁଣ ମଧ୍ୟ ଉପକାର କରିପାରେ। ଏକ କପ୍ ପାଣିରେ ୫-୬ଟି ତାଜା ପେପରମିଣ୍ଟ ପତ୍ର କିମ୍ବା ଏକ ଚାମଚ ପେପରମିଣ୍ଟ ଟି ପକାଇ କିଛି ସମୟ ଢାଙ୍କି ରଖି ପରେ ଛାଣି ପିଇପାରିବେ।
ତେବେ ମନେ ରଖିବା ଦରକାର ଯେ, ଏହି ହର୍ବାଲ୍ ଚା’ଗୁଡ଼ିକ ତ୍ୱଚା କିମ୍ବା କେଶର ସମସ୍ୟାର ନିଶ୍ଚିତ ଚିକିତ୍ସା ନୁହେଁ। ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ପାଣି, ଭଲ ନିଦ ଏବଂ ନିୟମିତ ତ୍ୱଚା-କେଶ ଯତ୍ନ ସହ ଏଗୁଡ଼ିକୁ ଖାଦ୍ୟାଭ୍ୟାସର ଏକ ଅଂଶ କରାଯାଇପାରେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା, ଆଲର୍ଜି କିମ୍ବା ନିୟମିତ ଔଷଧ ସେବନ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଏପରି ହର୍ବାଲ୍ ଚା’ ପିଇବା ଭଲ।
