ତାଳଚେର, :ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ସଂଯୋଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାରେ ଥିବା ଖାଲଖମା ଯୋଗୁ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ପ୍ରତିଦିନ ଆରଟିଓ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଲୋକଙ୍କ ଯାତାୟାତ ଲାଗି ରହିଥାଏ |
ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ, ଫିଟନେସ୍ ଓ ଅନ୍ୟାନ୍ୟ ପରିବହନ ସମ୍ପର୍କିତ କାମ ପାଇଁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି। ହେଲେ, କାର୍ଯ୍ୟାଳୟକୁ ପହଞ୍ଚିବା ପୂର୍ବରୁ ରାସ୍ତା ଶୋଚନୀୟ ହୋଇଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡୁଛି। କାର୍ଯ୍ୟାଳୟ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ଭ ସୃଷ୍ଟି ହୋଇଥିବାରୁ ଦୁଇଚକିଆ ଯାନ ଚାଳକ ବିପଦରେ ପଡୁଛନ୍ତି। ଗାଡ଼ି ଚଳାଇବା ସମୟରେ ହଠାତ୍ ଖାଲରେ ଚକା ପଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଥିବା ମଧ୍ୟ ଅନେକ ନଜର ରହିଛି।
ଅନ୍ୟପକ୍ଷରେ ବଡ଼ ଯାନବାହନ କାର୍ଯ୍ୟାଳୟକୁ ଫିଟ୍ନେସ୍ ପାଇଁ ଆସୁଥିବା ବେଳେ ଉକ୍ତ ଖାଲ ଦ୍ବିଗୁଣିତ ହୋଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ବର୍ଷା ସମୟରେ ସମସ୍ୟା ଆହୁରି ଗମ୍ଭୀର ହେଉଛି। ଖାଲଖମାରେ ପାଣି ଜମି ରହିବାରୁ କେଉଁଠି ରାସ୍ତା ଓ କେଉଁଠି ଗର୍ଭ ରହିଛି, ତାହା ଜଣାପଡୁନାହିଁ। ଫଳରେ ଗାଡ଼ିଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ଗତକାଲି ପାଳଲହଡ଼ା ଅଞ୍ଚଳର ରାଧାକାନ୍ତ କଅଁର ନାମକ ବ୍ୟକ୍ତି ତାଙ୍କ ଟ୍ରକ୍ ଫିଟନେସ୍ କରିବାକୁ ଆଣିଥିଲେ।
ଏହି ସମୟରେ ସେ କୌଣସି କାମରେ ଆରଟିଓ କାର୍ଯ୍ୟାଳୟ ଠାରୁ କିଛି ଦୂରରେ ଥିବା ଜନସେବା କେନ୍ଦ୍ରକୁ ବାଇକ୍ରେ ଯାଇଥିଲେ। ଗଲାବେଳେ ରାସ୍ତାରେ ଥିବା ଖାଲରେ ପଡ଼ିଯାଇଥିଲେ। ତାଙ୍କ ଡାହାଣଗୋଡ଼ ଭାଙ୍ଗି ଯାଇ ସେ ଚିକିତ୍ସାଳୟରେ ଭତ୍ତୀ ହୋଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ବାରମ୍ବାର ଆସିବା ପରେ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ତାଳଚେର ପୌରନିର୍ବାହୀ ଅଧିକାରୀଙ୍କୁ ଚିଠି ପରେ ଚିଠି ଲେଖିଥିଲେ ବି କୌଣସି ସୁଫଳ ମିଳୁନଥିବା ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ କହିଛନ୍ତି ।
କେବଳ ସେତିକି ନୁହେଁ, ୪ ନମ୍ବର ୱାର୍ଡବାସୀ ଏହି ରାସ୍ତାର ମରାମତି ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଏବଂ ଉପଜିଲ୍ଲାପାଳଙ୍କୁ ବାରମ୍ବାର ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। କିନ୍ତୁ, କୌଣସି ସୁଫଳ ମିଳି ନଥିବା ୱାର୍ଡବାସିନ୍ଦା ବିଭୂତି ଗୋଚ୍ଛାୟତ କହିଛନ୍ତି। ସେହିଭଳି ୱାର୍ଡବାସିନ୍ଦା ପ୍ରମୋଦ ବେହେରା କହିଛନ୍ତି, ‘ଆଗକୁ ଗଣେଶ ପୂଜା ଆସୁଛି। ପୂଜା ପୂର୍ବରୁ ରାସ୍ତା ମରାମତି ନହେଲେ ଆରଟିଓ କାର୍ଯ୍ୟାଳୟ ରାସ୍ତାରେ ଧାରଣା ଦେବୁ’। ଏ ନେଇ ତାଳଚେର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କୁ ପଚାରିବାରୁ ସେ କହିଛନ୍ତି, ‘୪ ନମ୍ବର ୱାର୍ଡର ରାସ୍ତା ତଥା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାସ୍ତାକୁ ନିର୍ମାଣ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ଫାଇଲ ଯାଇଛି। ତାହା ଖୁବ୍ ଶୀଘ୍ର ନିର୍ମାଣ ହୋଇଯିବ’।
