ଆସନ୍ତା ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଶରତ ଚନ୍ଦ୍ର କ୍ଲବ୍, ପାଳଲହଡ଼ାରେ ଦୁଇ ବର୍ଷର ସଫଳତା ପାଳନ ଅବସରରେ ଏକ ଜନ ସମ୍ପର୍କ ଆରମ୍ଭ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ପଛୁଆବର୍ଗ ଉନ୍ନୟନ ବିଭାଗ ଦ୍ୱାରା ପାଳଲହଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ‘ଜନଜାତି ସମ୍ବାଦ ବୈଠକ’ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ୨୫୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷା, ସ୍ୱଚ୍ଛ ଭାରତ ମିଶନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏବଂ ଗ୍ରାମୀଣ ଗୃହ ନିର୍ମାଣ ବିଭାଗର ଷ୍ଟଲ୍ ମାଧ୍ୟମରେ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଅଧ୍ୟକ୍ଷତା କରିଥିଲେ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ ମିଶ୍ର, ସ୍ଵତନ୍ତ୍ର ଅଧିକାରୀ ସୀମା ଦେହୁରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୋଭିତ କୁମାର ବିଶି, ସାଂସଦ ପ୍ରତିନିଧି ଲିଙ୍ଗରାଜ ଦାସ, ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା କମିଟିର ସଭାପତି ଅର୍ଜୁନ କିସ୍କୁ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ସୁରୁମୁନି ଚାତର, ହୋ ସମ୍ପ୍ରଦାୟର ମୁଖ୍ୟ ବାବୁନ ସୟ ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ମୁଖ୍ୟ ପ୍ରତିନିଧି ଅଭୟ କୁମାର ନାଏକ ପ୍ରମୁଖ ଆଲୋଚନା କରିଥିଲେ।
ଏହି ବୈଠକରେ ବ୍ୟକ୍ତିଗତ ଜଙ୍ଗଲ ଜମି ପାଇଁ ୧୦ଟି ପଟ୍ଟା ଏବଂ ଗୋଷ୍ଠୀ ଜଙ୍ଗଲ ଜମି ପାଇଁ ୫ଟି ପଟ୍ଟା ବଣ୍ଟନ କରାଯାଇଛି। ୩୦ ଜଣ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ନେତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ସମନ୍ୱୟ ପାଇଁ ମନୋରଞ୍ଜନ ରାଉତ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଉପସ୍ଥିତ ଥିଲେ।
