ପାଣି ପାଇଁ ଖଣି କାର୍ଯ୍ୟଳୟରେ ପଡ଼ିଛି ତାଲା। ତାଳଚେର ଉପସ୍ଥିତ ଘଣ୍ଟପଡ଼ା ଗାଁ କୁ MCL ପକ୍ଷରୁ ଯୋଗାଣ ହେଉଥିବା ପାଣି ବନ୍ଦ୍ ହୋଇଛି। ଯଦ୍ଵାରା ଘଣ୍ଟପଡ଼ା ଅଂଚଳରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଉତକ୍ଷିପ୍ତ ହୋଇ ଆନ୍ଦୋଳନ କରିଛନ୍ତି। ଖରାଦିନରେ ପାଣି ଅଭାବ ସାରା ରାଜ୍ୟରେ ଉତ୍କଟ ରୂପ ନେଇଥିବା ବେଳେ ଶୁଖିଲା ପଡ଼ିଛି ବ୍ରାହ୍ମଣୀ। ଏହି ନଦୀରେ ପାଣି ଅଭାବ ଯୋଗୁଁ ତାଳଚେର ଅଞ୍ଚଳବାସୀ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ତାଳଚେର ସହରରେ ସବୁଠି ଜଳସ୍ତର କମିଯାଉଛି। କୂଅ, ପୋଖରୀ ଶୁଖିଲା ପଡ଼ିଥିବା ବେଳେ ନଳକୂଅରୁ ପାଣି ବାହାରୁନି।
ଦୁଇ ଦିନ ହେଲା ଖଣିର ସମସ୍ତ କଲୋନୀ ସହିତ କାର୍ଯ୍ୟଳୟରେ ପାଣି ଅଭାବ ରହିଛି। ଗୁରୁବାର ଘଣ୍ଟପଡ଼ା ଗ୍ରାମବାସୀ ପାଣି ନ ପାଇବାରୁ ଆନ୍ଦୋଳନାତ୍ମକ ସ୍ଥିତି ଉପୁଜିଥିଲା। ପରିଣାମ ସ୍ୱରୂପ ଗ୍ରାମବାସୀ କାର୍ଯ୍ୟଳୟରେ ତାଲା ପକାଇ ଦେଇଛନ୍ତି। ସୂଚନା ଥାଉ କି ଗତ କିଛି ଦିନ ହେଲା ଘଣ୍ଟପଡ଼ା ଗାଁ କୁ MCL ଖଣି ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଉନାହିଁ। ଫଳରେ ପ୍ରଚଣ୍ଡ ଖରାର ପ୍ରକୋପ ସମୟରେ ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିଲେ।
ପାଣି ଅଭାବ ଦେଖା ଦେବାରୁ ବାରମ୍ବାର ଖଣି କର୍ତୁପକ୍ଷଙ୍କୁ ଅବଗତ କରାଇଥିଲେ। ହେଲେ ଖଣି କର୍ତୁପକ୍ଷ ଏହାକୁ ଅଣଦେଖା କରିଥିଲେ। ଗ୍ରାମବାସୀ ଏକତ୍ରିତ ହୋଇ ସକାଳୁ MCL ଜଗନ୍ନଥ କ୍ଷେତ୍ରର ମହା ପ୍ରବନ୍ଧକଙ୍କ କାର୍ଯ୍ୟଳୟର ସମସ୍ତ ଫାଟକରେ ନାଲି ଫିତା ବାନ୍ଧି ବନ୍ଦ କରି ଦେଇଥିଲେ। ପରେ ଖଣି କର୍ତ୍ତୃପକ୍ଷ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରିବେ ବୋଲି ଗ୍ରାମବାସୀଙ୍କୁ ବୁଝାସୁଝି କରିଥିଲେ ମଧ୍ୟ ଗ୍ରାମବାସୀ ସ୍ଥାୟୀ ପ୍ରତିକାର କରିବାକୁ ଦାବୀ କରିଛନ୍ତି। ଗ୍ରାମବାସୀଙ୍କ ଦାବିକୁ ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ବର୍ତ୍ତମାନ ଟ୍ୟାଙ୍କର ମାଧ୍ୟମରେ ଯଥେଷ୍ଟ ପାଣି ଯୋଗାଣ କରାଯିବ ବୋଲି କହିବା ପରେ ଆନ୍ଦୋଳନ ହଟିଥିଲା।
ଆଗାମୀ ଦିନରେ ପୁନର୍ବାର ଜଳର ଅଭାବ ରହିଲେ ଏହାର ପରିସ୍ଥିତି ଭୟାଭୟ ହେବ ବୋଲି ଗ୍ରାମବାସୀ ଖଣି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି।
