ବର୍ଷେ ପୂରି ନାହିଁ। ପ୍ରଧାମନ୍ତ୍ରୀଙ୍କ ଗ୍ରାମ୍ୟ ସଡ଼କ ଫାଟି ଆଁ କଲାନି। ତାଳଚେର ବ୍ଲକ୍ ୧୪୯ନମ୍ବର ଜାତୀୟ ରାଜପଥ କଣ୍ଢଳ ତାରିଣୀ ମନ୍ଦିର ଠାରୁ ଗୁରୁଜାଙ୍ଗ ପର୍ଯ୍ୟନ୍ତ ଯାଇଥିବା ପ୍ରଧାମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ କାମ ହୋଇଥିଲା।
ଠିକା ସଂସ୍ଥା କମଳେଶ୍ୱର ଏଣ୍ଟରପ୍ରାଇଜର୍ସ ଉକ୍ତ ରାସ୍ତା ନିର୍ମାଣ କରିଥିଲା। ପ୍ରାୟ ୭କିଲୋମିଟର ରାସ୍ତାରେ ୨କୋଟି ୮୮ଲକ୍ଷ ୮୯ହଜାର ୪ଶହ ୪୮ଟଙ୍କା ଖର୍ଚ୍ଚ ହୋଇଥିଲା। ଠିକା ସଂସ୍ଥା ୨୦୦୪ ମସିହା ନଭେମ୍ବର ୮ତାରିଖରେ ରାସ୍ତା କାମ ଆରମ୍ଭ କରି ୨୦୦୪ ମସିହା ମେ ୭ତାରିଖରେ ଶେଷ କରିଥିଲା। କଣ୍ଢାଳ ଠାରୁ ଆରମ୍ଭ କରି କଣ୍ଢାଳ ଜଙ୍ଗଲ, ବୋଇଦା ମୁଣ୍ଡା ଗ୍ରାମ ଦେଇ ଗୁରୁଜାଙ୍ଗ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୭କିଲୋମିଟର ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ବର୍ଷେ ନପୁରୁଣୁ କଂକ୍ରିଟ ଫାଟିବା ସହିତ ରାସ୍ତାରୁ ପିଚୁ ଉଠିଗଲାଣି।
ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ଗମନାଗମନରେ ବିପଦ ସୃଷ୍ଟି କରିଲାଣି। ୨୦୨୮ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣ କରାଯିବା ପାଇଁ ଫଳକରେ ଉଲ୍ଲେଖ ରହିଥିଲେ ବି ଠିକା ସଂସ୍ଥା ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ରକ୍ଷଣାବେକ୍ଷଣ କାର୍ଯ୍ୟ କେବଳ ଫଳକରେ ସୀମିତ ରହିଛି ବୋଲି ବୋଇଦମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଠିକା ସଂସ୍ଥା କିମ୍ଵା ବିଭାଗୀୟ ଯନ୍ତ୍ରୀ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଅବସ୍ଥା ଏମିତି ହୋଇଛି ବୋଲି ଅଭିଯୋଗ ହେଉଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି।
ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଲୋକେଶ କୁମାର ସେଠୀଙ୍କୁ ପଚାରିବାରେ ରାସ୍ତାର ଯେଉଁ ସ୍ଥାନରେ ଫାଟିଛି କିମ୍ଵା ଭାଙ୍ଗିଛି ସେହି ସ୍ଥାନକୁ ଠିକା ସଂସ୍ଥା ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି।
