ଏକ ମାତ୍ର ନଳକୂପ ପାଖରେ ଲମ୍ବୁଛି ଧାଡ଼ି

ଗାଁ ଦେଇ ଯାଇଛି ପାନୀୟ ଜଳ ଯୋଗାଣ ପାଇପ। ମାତ୍ର ଗ୍ରାମବାସୀଙ୍କୁ ପାନୀୟ ଜଳ ମିଳୁନି। ଏକ ମାତ୍ର ନଳକୂପରୁ ପାଣି ନେବାକୁ ଧାଡ଼ି ଲାମ୍ବୁଛି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉନି। ଗ୍ରାମର ଦେଢ ଶହ ପରିବାର ପାଣି ମୁନ୍ଦାଏ ପାଇଁ କଲବଲ ହେଉଛନ୍ତି। ଗତକାଲି ଖନ୍ତାପଶି ଗ୍ରାମର ମହିଳାମାନେ ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନ ପାଖରେ ଫେରାଦ ହେଇଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଉଛନ୍ତି।

ପାଲଲହଡା ବ୍ଲକ ବଡସଡ଼ା ପଂଚାୟତ ଖନ୍ତାପଶି ଗ୍ରାମରେ ପ୍ରାୟ ଦେଢ଼ଶହ ପରିବାର ବସବାସ କରନ୍ତି। ଗ୍ରାମରେ ପାନୀୟ ଜଳର ଯୋଗାଣ ବ୍ୟବସ୍ଥା ନାହିଁ। ଶଙ୍ଖମୁର ପଞ୍ଚାୟତ ପିଟା ଗ୍ରାମ ଠାରେ ବ୍ରାହ୍ମଣୀ ନଦୀରେ ୧୨ଶହ କୋଟି ବ୍ୟୟ ଅଟକଳରେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ପାଲଲହଡା ଓ ଖାମର ଅଞ୍ଚଳର ସମସ୍ତ ପଂଚାୟତ ଦେଇ କେଉଁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକକୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁଛି। ଅନ୍ୟ ଗ୍ରାମରେ ଘର ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ବେଳେ ଖନ୍ତାପଶି ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ହୋଇନି। ଗାଁ ଦେଇ ଜଳ ଯୋଗାଣ ପାଇପ୍ ପଡ଼ୋଶୀ ଗାଁକୁ ଯାଇଥିବା ବେଳେ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଦେଢ଼ଶହ ପାରିବାର ନିମନ୍ତେ ଗ୍ରାମରେ ମାତ୍ର ୨ଟି ନଳକୂପ ରହିଛି।ଗୋଟିଏ ନଳକୂପରୁ ବାହାରୁଥିବା ପାଣି ପାନୀୟ ଅନୁପଯୋଗୀ ହୋଇଥିବାରୁ ଅନ୍ୟ ନଳକୂପରୁ ପାଣି ନେବାକୁ ଧାଡ଼ି ଲଂବୁଛି। ଗ୍ରାମ ବିଦ୍ୟାଳୟ ମଧ୍ୟରେ ରହୁଥିବା ନଳକୂପ କେବଳ ବିଦ୍ୟାଳୟ ଖୋଲାଥିବା ସମୟରେ କାମରେ ଆସୁଛି। ପାଣି ଗରାଏ ନେବାକୁ ମହିଳାମାନଙ୍କୁ ସଂଘର୍ଷ କରିବାକୁ ପଡୁଛି। ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦୀର୍ଘଦିନ ହେଲା ଦାବୀ କରି ଆସୁଥିବା ବେଳେ କୌଣସି ପଦକ୍ଷେପ ନିଆଯାଉନି। ଆଜି ଗ୍ରାମ୍ୟର ଶତାଧିକ ମହିଳା ପାନୀୟ ଜଳ ସମସ୍ୟା ନେଇ ଉପଖଣ୍ଡ ପ୍ରଶାସନର ଦ୍ବାରସ୍ଥ ହେଇଛନ୍ତି। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର କୁଶଧ୍ଵଜ ଦେହୁରୀଙ୍କୁ ଏ ସଂପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି। ପାନୀୟ ଜଳ ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

Leave a Reply